ଅକ୍ସଫୋର୍ଡ ଟିକା ଉପରେ ସାରା ବିଶ୍ବର ନଜର

ନୂଆଦିଲ୍ଲୀ: ଆମେରିକୀୟ କମ୍ପାନି ଫାଇଜର୍‌ ଏବଂ ମଡର୍ଣ୍ଣା ପକ୍ଷରୁ ବିକଶିତ କରୋନା ଟିକା ଖୁବ ଶୀଘ୍ର ବଜାରକୁ ଆସିବା ସମ୍ଭାବନା ରହିଛି। କିନ୍ତୁ ସାରା ବିଶ୍ବର ନଜର ଏବେ ୟୁରୋପୀୟ କମ୍ପାନି ଆଷ୍ଟ୍ରାଜେନେକା ପକ୍ଷରୁ ପ୍ରସ୍ତୁତ ହେବାକୁ ଥିବା ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଟିକା ଉପରେ ରହିଛି। ବିଶେଷକରି ମଧ୍ୟବିତ୍ତ ଏବଂ ନିମ୍ନ ଆୟବର୍ଗର ‌ଦେଶଗୁଡ଼ିକ ଏହି ଟିକାକୁ କିଣିବା ପାଇଁ ଅପେକ୍ଷା କରି ରହିଛନ୍ତି। ଏହାର କାରଣ ହେଲା ମୂଲ୍ୟ, ଫଳପ୍ରଦତା ଏବଂ ସହଜ ପରିବହନ ଆଦି ଦିଗରୁ ବିଚାର କଲେ ଏହି ଟିକା ସବୁଠୁ ଆଗରେ ରହିବ। ଆଷ୍ଟ୍ରାଜେନେକା ଟିକାର ଚୂଡ଼ାନ୍ତ ପରୀକ୍ଷଣ ରିପୋର୍ଟ ଖୁବ୍‌ ଶୀଘ୍ର ମିଳିବ।

ଏହାପରେ ନିମ୍ନ ଏବଂ ମଧ୍ୟମ ଆୟବର୍ଗର ଦେଶଗୁଡ଼ିକ ମଧ୍ୟରେ ଉକ୍ତ ଟିକା କିଣିବା ପାଇଁ ମାତ୍ରାଧିକ ଚାହିଦା ଦେଖାଦେବ। ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ଗବେଷକଙ୍କ ଗବେଷଣାଲବ୍ଧ ଏହି ଟିକାର ଯୋଗାଣ ନିମ୍ନ ଓ ମଧ୍ୟମ ଆୟବର୍ଗର ଦେଶଗୁଡ଼ିକୁ ୪୦ ପ୍ରତିଶତରୁ ଅଧିକ ରହିବ ବୋଲି ଲଣ୍ଡନସ୍ଥିତ ଗବେଷଣା ସଂସ୍ଥା ଏୟାରଫିନିଟି ପକ୍ଷରୁ କୁହାଯାଇଛି। ଫାଇଜର ଟିକା ତୁଳନାରେ ଅକ୍ସେଫୋର୍ଡ ଟିକାର ମୂଲ୍ୟ କମ୍ ରହିବ। ଏଥିସହିତ ଭାରତଠାରୁ ଆରମ୍ଭ କରି ବ୍ରାଜିଲ ପର୍ଯ୍ୟନ୍ତ ବିଶ୍ବର ବିଭିନ୍ନ ଦେଶରେ ଏହି ଟିକାର ଉତ୍ପାଦନ ହେବ। ଅନ୍ୟ ଟିକାଗୁଡ଼ିକୁ ଅତ୍ୟଧିକ ନିମ୍ନ ତାପମାତ୍ରାରେ ସଂରକ୍ଷିତ କରି ରଖିବାର ଆବଶ୍ୟକତା ରହୁଥିବା‌ବେଳେ ଏହି ଟିକା କ୍ଷେତ୍ରରେ ତାହାର ଆବଶ୍ୟକତା ରହିବନି। ଭାରତରେ ସିରମ୍ ଇନ୍‌ଷ୍ଟିଚ୍ୟୁଟ ଅକ୍ସଫୋର୍ଡ ଟିକାର ଉତ୍ପାଦନ କରିବ। ଭାରତରେ ଏହି ଟିକାର ନାମ କୋଭିସିଲଡ ରହିବ । ୨ରୁ ୮ ଡିଗ୍ରି ସେଣ୍ଟିଗ୍ରେଡ ତାପମାତ୍ରାରେ ଉକ୍ତ ଟିକାକୁ ସଂରକ୍ଷଣ କରି ରଖାଯାଇ ପାରିବ ଏବଂ ଏହାର ମୂଲ୍ୟ ଲୋକଙ୍କ ପାଇଁ ୫୦୦ରୁ ୬୦୦ ଟଙ୍କା ରହିପାରେ।

The post ଅକ୍ସଫୋର୍ଡ ଟିକା ଉପରେ ସାରା ବିଶ୍ବର ନଜର first appeared on Sambad.



from କରୋନା – Sambad https://ift.tt/35QRLzw

Post a Comment

0 Comments