ଭୁବନେଶ୍ୱର : ଭାରତର ନିଜସ୍ବ କରୋନା ଟିକା ‘କୋଭାକ୍ସିନ୍’ର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ସ୍ଥାନୀୟ ଆଇଏମ୍‌ଏସ୍‌ ‘ସମ୍’ ହସ୍ପିଟାଲରେ ଆରମ୍ଭ ହୋଇଛି। ଆଇସିଏମ୍‌ଆର ଓ ଭାରତ ବାଇଓଟେକ୍‌ର ମିଳିତ ଉଦ୍ୟମରେ ପ୍ରସ୍ତୁତ କରାଯାଉଥିବା ଏହି ଟିକା ପ୍ରଥମ ଦିନରେ ଦୁଇଜଣ ସ୍ବେଚ୍ଛାସେବୀଙ୍କୁ ଦିଆଯାଇଥିଲା। ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ବେଶ୍ ଗୁରୁତ୍ବପୂର୍ଣ୍ଣ ଓ ସମୟସାପେକ୍ଷ ବୋଲି କୋଭାକ୍ସିନ୍ ହ୍ୟୁମାନ ଟ୍ରାଏଲର ପ୍ରିନ୍ସିପାଲ ଇ‌ନଭେଷ୍ଟିଗେଟ୍‌ର ପ୍ରଫେସର ଇ. ଭେଙ୍କଟ ରାଓ ସୂଚନା ଦେଇଛନ୍ତି। ତୃତୀୟ ପର୍ଯ୍ୟାୟରେ ପ୍ରତ୍ୟେକ ସ୍ବେଚ୍ଛାସେବୀଙ୍କୁ ୨୮ ଦିନର ବ୍ୟବଧାନରେ ୨ ଡୋଜ୍ ଟିକା ଦିଆଯିବ। ତେବେ ଏହାର ଅନୁସନ୍ଧାନ ପାଇଁ ପ୍ରାୟ ବର୍ଷେ ଲାଗିବ ବୋଲି କୁହାଯାଉଛି।

ପରୀକ୍ଷଣ ସମ୍ବନ୍ଧରେ ପ୍ରଫେସର୍‌ ରାଓ କହିଛନ୍ତି, ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷଣରେ ଟିକାର ନିରାପତ୍ତା ପ୍ରତି ଧ୍ୟାନ ଦିଆଯାଇଥିଲା। ମଣିଷ ଶରୀରରେ କୌଣସି ପ୍ରାର୍ଶ୍ବ ପ୍ରତିକ୍ରିୟା ହେଉଛି କି ନାହିଁ, ତାହାର ଅନୁଧ୍ୟାନ କରାଯାଇଥିଲା। ଦ୍ବିତୀୟ ପର୍ଯ୍ୟାୟରେ ଏହାର ରୋଗ ପ୍ରତିରୋଧକ ଶକ୍ତି ଉପରେ ଗୁରୁତ୍ବାରୋପ କରାଯାଇଛି। ଟିକା ନେଉଥିବା ସ୍ବେଚ୍ଛାସେବୀଙ୍କ ରକ୍ତରେ ସୃଷ୍ଟି ହେଉଥିବା ଆଣ୍ଟିବଡିର ସ୍ତର ଉପରେ ଲକ୍ଷ୍ୟ ରଖାଯାଇଥିଲା। ତୃତୀୟ ପର୍ଯ୍ୟାୟରେ ପରୀକ୍ଷଣରେ ଏହି ଟିକାର କାର୍ଯ୍ୟକାରିତା ଉପରେ ଦୃଷ୍ଟି ନିବଦ୍ଧ ରହିବ। ଟିକା ନେଇଥିବା ଲୋକଙ୍କ ମଧ୍ୟରେ ସଂକ୍ରମଣର ହାର ନିର୍ଧାରଣ କରିବାକୁ ପଡ଼ିବ। ଏଥିପାଇଁ ଦେଶରେ ପ୍ରାୟ ୨୫ଶହ ସ୍ବେଚ୍ଛାସେବୀଙ୍କୁ ଚୟନ କରାଯାଇଥିବା ସେ କହିଛନ୍ତି।

ଅପରପକ୍ଷରେ ରାଜ୍ୟରେ ଟିକାର ପରୀକ୍ଷଣ ଚାଲିଥିବା ବେଳେ ଏଥିରେ ଭାଗ ନେବାକୁ ଚାହୁଥିବା ସ୍ବେଚ୍ଛାସେବୀ ସଂପୂର୍ଣ୍ଣ ସୁସ୍ଥ ଥିବା ବାଧ୍ୟତାମୂଳକ ନୁହେଁ। ଯେଉଁ ବ୍ୟକ୍ତିମାନେ ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ ପୀଡ଼ିତ ଓ ଔଷଧ ବ୍ୟବହାର ଦ୍ବାରା ଏହା ନିୟନ୍ତ୍ରଣକୁ ଆସିପାରୁଛି, ସେମାନେ ମଧ୍ୟ ଏଥିରେ ସାମିଲ ହୋଇପାରିବେ। ତେଣୁ ମାନବ ପରୀକ୍ଷଣରେ ଆଗ୍ରହୀ ବ୍ୟକ୍ତିମାନେ http://ptctu.soa.ac.in ରେ ନିଜର ଅନଲାଇନ୍ ପଞ୍ଜୀକରଣ କରିପାରିବେ। ବ୍ୟକ୍ତିଙ୍କ ନାମ, ଲିଙ୍ଗ ଓ ବାସସ୍ଥାନ ସଂପର୍କରେ ଉଲ୍ଲେଖ କରି ୭୮୪୯୦୨୧୪୫୦ କୁ ହ୍ବାଟ୍‌ସଆପ୍ ମାଧ୍ୟମରେ ଜଣାଇ ପାରିବେ ବୋଲି ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ସମ୍‌ ହସ୍ପିଟାଲରେ କୋଭାକ୍ସିନ୍‌ର ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷଣ ହୋଇସାରିଛି।

The post ସମ୍‌ରେ ‘କୋଭାକ୍ସିନ୍’ର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଆରମ୍ଭ, ପ୍ରଥମ ଦିନରେ ୨ଜଣ ସ୍ବେଚ୍ଛାସେବୀଙ୍କୁ ଦିଆଗଲା ଟିକା first appeared on Sambad.



from କରୋନା – Sambad https://ift.tt/2ILCibp