
ନୂଆଦିଲ୍ଲୀ: କରୋନା ମହାମାରୀ ମୁକାବିଲା ପାଇଁ କେନ୍ଦ୍ର ସରକାର ଆଜି ନୂଆ ଗାଇଡ୍ଲାଇନ୍ ଜାରି କରିଛନ୍ତି। ଏହା ଆସନ୍ତା ଡିସେମ୍ବର ୧ରୁ ଲାଗୁ ହେବ ଏବଂ ୩୧ ଯାଏ ବଳବତ୍ତର ରହିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ସମୟରେ ରାଜ୍ୟମାନେ କେନ୍ଦ୍ର ସରକାରଙ୍କ ବିନା ଅନୁମତିରେ ଆଞ୍ଚଳିକ ଲକ୍ଡାଉନ୍ ଘୋଷଣା କରିପାରିବେ ନାହିଁ। ରାଜ୍ୟମାନେ କେତେକ କଟକଣା ସହିତ ‘ରାତ୍ରୀକାଳୀନ କର୍ଫ୍ୟୁ’ ଜାରି କରିପାରିବେ। ତେବେ ସ୍ବାସ୍ଥ୍ୟସେବା ଏବଂ ଜରୁରୀକାଳୀନ ସେବା ବ୍ୟତୀତ କଣ୍ଟେନ୍ମେଣ୍ଟ ଜୋନ୍ରେ ଲକ୍ଡାଉନ୍ ସ୍ଥିତାବସ୍ଥା ବଜାୟ ରହିବ ବୋଲି ଗାଇଡ୍ଲାଇନରେ ଉଲ୍ଲେଖ ରହିଛି। କୋଭିଡ୍ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ଜୋରିମାନା ରାଜ୍ୟମାନଙ୍କ ଇଛାଧୀନ ବ୍ୟାପାର ବୋଲି କେନ୍ଦ୍ର ସ୍ପଷ୍ଟ କରିଛି। ମାତ୍ର କଣ୍ଟେନ୍ମେଣ୍ଟ ଜୋନ୍ ବାହାରେ ରାଜ୍ୟମାନେ ଲକ୍ଡାଉନ୍ ଘୋଷଣା କରିପାରିବେ ନାହିଁ।
ନୂଆ ନିୟମ ଅନୁଯାୟୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଯାତ୍ରୀମାନଙ୍କୁ ଅନୁମତି ମିଳିବ। ୫୦ ପ୍ରତିଶତ ସାମର୍ଥ୍ୟରେ ସିନେମା ହଲ୍ଗୁଡ଼ିକ ଚାଲୁ ରହିବ। କ୍ରୀଡ଼ାବିତ୍ ଏବଂ ପ୍ରଶିକ୍ଷଣକାରୀଙ୍କ ପାଇଁ ସୁଇମିଂ ପୁଲ୍ ଖୋଲା ରହିବ। ବି୨ବି (ବିଜ୍ନେସ ଟୁ ବିଜ୍ନେସ) ଉଦ୍ଦେଶ୍ୟରେ ପ୍ରେକ୍ଷାଳୟଗୁଡ଼ିକ ଖୋଲା ରହିବ। ଅତି ବେଶିରେ ୫୦ ଜଣଙ୍କୁ ନେଇ ସାଂସ୍କୃତିକ ଓ କ୍ରୀଡ଼ା କାର୍ଯ୍ୟକ୍ରମଗୁଡ଼ିକ ଚାଲିପାରିବ। ମୁହଁରେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ରକ୍ଷା କରିବା ଭଳି ନିୟମକୁ ଅଧିକ କଡ଼ାକଡ଼ି କରାଯାଇଛି। ସାପ୍ତାହିକ ହାଟ ଏବଂ ବଜାର ପାଇଁ ସ୍ବତନ୍ତ୍ର ନିୟମ ଘୋଷଣା କରାଯିବ। ଯେଉଁ ସହରମାନଙ୍କରେ ସାପ୍ତାହିକ ସଂକ୍ରମଣ ପଜିଟିଭ୍ ହାର ୧୦ ପ୍ରତିଶତରୁ ଅଧିକ ରହିବ ସେହିସବୁ ସହରମାନଙ୍କରେ ଅଫିସ ସମୟ ପରିବର୍ତ୍ତନ କରାଯାଇପାରିବ। ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବ ଲୋକଙ୍କର ଟ୍ରାକିଂ ଓ ତାଲିକା ପ୍ରସ୍ତୁତ କରାଯିବ। କରୋନା ରୋଗୀମାନଙ୍କୁ ଗୃହ ସଙ୍ଗରୋଧରେ ରଖାଯିବା ସହ ତ୍ବରିତ ଚିକିତ୍ସା ସୁବିଧା ଯୋଗେଇ ଦିଆଯିବ।
ସଂକ୍ରମଣ ୯୨ଲକ୍ଷ ଟପିଲା, ସକ୍ରିୟ ମାମଲାରେ ୬ହଜାର ବୃଦ୍ଧି
ନୂଆଦିଲ୍ଲୀ,: ଦେଶରେ କରୋନା ସଂକ୍ରମଣ ମାମଲା ୯୨ ଲକ୍ଷ ଟପିଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୪ ହଜାର ୩୭୬ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୪୮୧ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ମୋଟ୍ ସଂକ୍ରମଣ ସଂଖ୍ୟା ୯୨ ଲକ୍ଷ ୨୨ ହଜାର ୨୧୬କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ ମୃତ୍ୟୁସଂଖ୍ୟା ୧ ଲକ୍ଷ ୩୪ ହଜାର ୬୯୯ ରହିଛି। ଦେଶରେ ସକ୍ରିୟ ମାମଲା ୪ ଲକ୍ଷ ୪୪ ହଜାର ୭୪୬କୁ ବୃଦ୍ଧି ପାଇଛି। ଲଗାତାର ୧୫ ଦିନ ଧରି ଦେଶରେ ସକ୍ରିୟ ମାମଲା ୫ ଲକ୍ଷରୁ କମ୍ ରହିଲେ ମଧ୍ୟ ମଙ୍ଗଳବାର ତୁଳନାରେ ଦେଶରେ ସକ୍ରିୟ ମାମଲା ୬ ହଜାର ୭୯କୁ ବୃଦ୍ଧି ପାଇଛି। ଏହା ମୋଟ୍ ସଂକ୍ରମଣ ମାମଲାର ୪.୮୨ ପ୍ରତିଶତ। ଅନ୍ୟପକ୍ଷେ ଆରୋଗ୍ୟ ସଂଖ୍ୟା ୮୪ ଲକ୍ଷ ୪୨ ହଜାର ୭୭୧କୁ ବୃଦ୍ଧି ପାଇଛି। ଦେଶରେ ଆରୋଗ୍ୟ ହାର ୯୩.୭୨ ପ୍ରତିଶତକୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁହାର ୧.୪୬ ପ୍ରତିଶତ ରହିଛି।
The post କେନ୍ଦ୍ରର ନୂଆ କୋଭିଡ୍-୧୯ ଗାଇଡ୍ଲାଇନ, ରାଜ୍ୟମାନେ ଲାଗୁ କରିପାରିବେନି ଲକ୍ଡାଉନ first appeared on Sambad.
from କରୋନା – Sambad https://ift.tt/2V0hS0v
0 Comments