କଟକ : ପୁରୀ ଜିଲ୍ଲା ପିପିଲି ଥାନାରେ ପୁଲିସର ଥାର୍ଡ ଡିଗ୍ରିରେ ଗୁରୁତର ଆହତ ହୋଇଥିବା ୫ଜଣ ଅଭିଯୁକ୍ତ ୫ଦିନ ହେଲା କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ଭିତରୁ ଆଜି ୨ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ତୁରନ୍ତ ସେ ଦୁହିଁଙ୍କୁ ଏସ୍‌ସିବି କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ସେମାନଙ୍କର କୌଣସି ଲକ୍ଷଣ ନଥିବାବେଳେ ଆଣ୍ଟିଜେନ୍‌ ପରୀକ୍ଷା ରିପୋର୍ଟ ବି ନେଗେଟିଭ୍‌ ଆସିଥିଲା। କିନ୍ତୁ ଆର୍‌ଟିପିସିଆର ରିପୋର୍ଟ ପଜିଟିଭ୍‌ ଆସିଥିବା ଜଣାପଡ଼ିଛି।

ଉଲ୍ଲେଖ୍ୟ, ୫ଜଣଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ୩ଜଣଙ୍କ ହାତ ଭାଙ୍ଗିଛି। ଦୁଇଦିନ ତଳେ ଅସ୍ଥିଶଲ୍ୟ ବିଭାଗରେ ଉକ୍ତ ୩ଜଣଙ୍କ ହାତରେ ପ୍ଲାଷ୍ଟର କରାଯାଇଛି। କେବଳ ସେତିକି ନୁହେଁ, ୫ଜଣ ଅଭିଯୁକ୍ତଙ୍କୁ ଶରୀରରେ କ୍ଷତ ହେବା ସହ ସମସ୍ତଙ୍କ ଶରୀରର କୌଣସି ନା କୌଣସି ହାଡ଼ ଭାଙ୍ଗିଥିବା ସୂଚନା ମିଳିଛି। ଜଣଙ୍କର ହାତରେ ଏହା ଭିତରେ ଅସ୍ତ୍ରୋପଚାର ବି କରାଯାଇଛି। ସେମାନଙ୍କ ଚିକିତ୍ସା ପାଇଁ ସର୍ଜରି, ଅର୍ଥୋପେଡିକ ଓ ପ୍ଲାଷ୍ଟିକ୍‌ ସର୍ଜରି ବିଶେଷଜ୍ଞଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇଛି। ସୂଚନାଯୋଗ୍ୟ, ପିପିଲି ଥାନାରେ ୬ଜଣ ଅଭିଯୁକ୍ତଙ୍କୁ ପୁଲିସ୍‌ ନିସ୍ତୁକ ପିଟିବାରୁ ସେମାନଙ୍କ ମଧ୍ୟରୁ ୫ଜଣ ଗୁରୁତର ହୋଇପଡ଼ିଥିଲେ। ତରବରିଆ ଭାବେ ପୁଲିସ୍‌ ସେମାନଙ୍କୁ କୋର୍ଟ ଚାଲାଣ କରିଥିଲା। ତେବେ, ନିମାପଡ଼ା ଜେଲ୍‌ କର୍ତ୍ତୃପକ୍ଷ ସେମାନଙ୍କ ଅବସ୍ଥା ଦେଖି ଫେରାଇ ଦେଇଥିଲେ। ପରେ ସମସ୍ତ ଆହତ ଅଭିଯୁକ୍ତଙ୍କୁ ଶୁକ୍ରବାରଠାରୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।

The post ପିପିଲି ଥାର୍ଡଡିଗ୍ରିରେ ୨ ଗୁରୁତର କରୋନା ପଜିଟିଭ୍‌ first appeared on Sambad.



from କରୋନା – Sambad https://ift.tt/3fAuhSl