ନୂଆଦିଲ୍ଲୀ: ଆମେରିକାର ପ୍ରତିଷ୍ଠିତ ବହୁରାଷ୍ଟ୍ରୀୟ ଔଷଧ କମ୍ପାନୀ ମଡର୍ଣ୍ଣା ଏବଂ ଫାଇଜର ଏହାର କରୋନା ଟିକା ପ୍ରାୟ ୯୫ ପ୍ରତିଶତ ଫଳପ୍ରଦ ସାବ୍ୟସ୍ତ ହୋଇଥିବା ଦାବି କରିବା ସହ ସମଗ୍ର ବିଶ୍ବ ପାଇଁ ଏ କ୍ଷେତ୍ରରେ ଆଶା ସଂଚାର କରିଛନ୍ତି। ମଡର୍ଣ୍ଣା କୋଭିଡ୍ ଟିକାର ବର୍ତ୍ତମାନ ଶେଷ ପର୍ଯ୍ୟାୟ ପରୀକ୍ଷା ଚାଲିଛି ଏବଂ ପ୍ରାୟ ୩୦,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଠାରେ ଏହାର ପ୍ରୟୋଗ କରାଯାଇଛି। ଅନ୍ୟପକ୍ଷରେ ଫାଇଜର ଟିକା ଏହାର ଚୂଡ଼ାନ୍ତ ପର୍ଯ୍ୟାୟ ପରୀକ୍ଷଣ ଶେଷ କରିଛି ଏବଂ ପ୍ରାୟ ୪୫ ହଜାର ସ୍ବେଚ୍ଛାସେବୀଙ୍କଠାରେ ଏହାର ପ୍ରୟୋଗ କରାଯାଇଛି। ଆମେରିକାର ଖାଦ୍ୟ ଓ ଡ୍ରଗ୍ସ ପ୍ରଶାସନ, ଫାଇଜର କିମ୍ବା ମଡର୍ଣ୍ଣା ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଯଦି ଅନୁମତି ଦିଅନ୍ତି, ତା’ହେଲେ ଚଳିତ ବର୍ଷ ଶେଷ ସୁଦ୍ଧା ଏହି ଦୁଇ କମ୍ପାନୀର ଟିକା ପ୍ରଥମେ ଆମେରିକାବାସୀଙ୍କ ପାଇଁ ଉପଲବ୍ଧ ହେବ। ତେବେ ଏହି ପରିପ୍ରେକ୍ଷୀରେ ଭାରତ ପାଇଁ ଯଥା ଶୀଘ୍ର ଏହି ଟିକା ଉପଲବ୍ଧ ହେବା ସମ୍ଭବ ନୁହେଁ। ଆମେରିକୀୟ ପ୍ରଶାସନର ମଂଜୁରି ପରେ ମଧ୍ୟ ସେଠାକାର ବାସିନ୍ଦା ଟିକା ହାସଲ କରିବାପାଇଁ ପ୍ରାୟ ୨ ମାସ ଅପେକ୍ଷା କରିବାକୁ ପଡ଼ିବ।

ଫାଇଜର ଟିକା ବିଯୁକ୍ତ ୭୦ ଡିଗ୍ରି ସେଲ୍‌ସିୟସ ତାପମାତ୍ରାରେ ହିଁ ପରିବହନ ଓ ସଂରକ୍ଷିତ ହୋଇପାରିବ ବୋଲି ପୂର୍ବରୁ ସ୍ପଷ୍ଟ କରାଯାଇଥିବାରୁ ଏ କ୍ଷେତ୍ରରେ ଭାରତକୁ ବ୍ୟାପକ ପ୍ରସ୍ତୁତି କରିବାକୁ ହେବ। ଭାରତ ସରକାରଙ୍କ ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମରେ ୨୭ ହଜାର ଶୀତଳୀକରଣ ପ୍ରତିଷ୍ଠାନ ରହିଛି ଏବଂ ସେଗୁଡ଼ିକ କେବଳ ବିଯୁକ୍ତ ୩୦ ଡିଗ୍ରି ସେଲସିୟସରେ ସଂରକ୍ଷଣ ପାଇଁ ଉଦ୍ଦିଷ୍ଟ। ତେବେ ଏ କ୍ଷେତ୍ରରେ ମଡର୍ଣ୍ଣା ଟିକା ଭାରତ ପାଇଁ ଅଧିକ ଉପଯୋଗୀ ହୋଇପାରିବ। ମଡର୍ଣ୍ଣା ବିଯୁକ୍ତ ୨୦ ଡିଗ୍ରି ତାପମାତ୍ରାରେ ସଂରକ୍ଷିତ ଏବଂ ପରିବହନ ହୋଇପାରିବ ବୋଲି କୁହାଯାଇଛି। ଫାଇଜର ଟିକାର ସଂରକ୍ଷଣ କେବଳ ବିଯୁକ୍ତ ୭୦ ଡିଗ୍ରିରେ ବେହକୁ ଥିବାରୁ ଭାରତ ଏହି ଟିକା କିଭଳି ହାସଲ କରିବ ଏବଂ ବିତରଣ କରିବ ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଫାଇଜର ଆମେରିକା, ଜାପାନ, ୟୁରୋପୀୟ ସଂଘ ଏବଂ ବ୍ରିଟେନ୍‌କୁ ଟିକା ଯୋଗାଇ ଦେବାକୁ ଚୁକ୍ତିବଦ୍ଧ ହୋଇଥିବା ବେଳେ ଭାରତ ସହ କୌଣସି ଚୁକ୍ତି ହୋଇନାହିଁ। ଏବେ ଚୁକ୍ତି ସଂପନ୍ନ ହେଲେ ମଧ୍ୟ ଫାଇଜର ପ୍ରଥମେ ଭାରତକୁ ଅଗ୍ରାଧିକାର ଦେଇପାରିବ ନାହିଁ। ଭାରତ ଏବେ ମଡର୍ଣ୍ଣା ଟିକା କୋଭାକ୍ସ ମାଧ୍ୟମରେ ହାସଲ କରିବାକୁ ଯୋଜନା କରୁଛି ଏବଂ ମଡର୍ଣ୍ଣା ସହ ଏ ନେଇ ଆଲୋଚନା ଜାରି ରଖିଛି। ବିଶ୍ବବ୍ୟାପୀ କୋଭିଡ୍‌ ଟିକା ବିତରଣ ତ୍ବରାନ୍ବିତ କରିବା ପାଇଁ ଗଠିତ କୋଭାକ୍ସ ୨ ଶହ କୋଟି ଟିକା ନିମ୍ନ ଏବଂ ମଧ୍ୟମ ଆୟ ବର୍ଗର ରାଷ୍ଟ୍ରରେ ବିତରଣ ପାଇଁ ଲକ୍ଷ୍ୟ ରଖିଛି।

The post ଭାରତକୁ ଶୀଘ୍ର ମିଳିବନି ମଡର୍ଣ୍ଣା, ଫାଇଜର ଟିକା; ଫାଇଜର ସହ କୌଣସି ଚୁକ୍ତି କରିନାହିଁ ଭାରତ first appeared on Sambad.



from କରୋନା – Sambad https://ift.tt/3kLSUwo