
ଭଞ୍ଜନଗର: ଗଂଜାମ ଜିଲ୍ଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଆଜି ଭଞ୍ଜନଗର ବ୍ଳକର ୪ଟି ପଞ୍ଚାୟତର ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ, ଭିନ୍ନକ୍ଷମ ବିଧବା ଓ ଅବିବାହିତ ଭତ୍ତା ପ୍ରଦାନ କରାଯାଇଛି। ଏଥିରେ ରାଜ୍ୟ ଜଙ୍ଗଲ ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଭତ୍ତା ପ୍ରଦାନ କରିଥିଲେ। ଏହି ଅବସରରେ ଭଞ୍ଜନଗର ବ୍ଳକ୍ର ବଡ଼କୋଦଣ୍ଡା, ମୁଦୁଲିପଲ୍ଲୀ, ବାଉଁଶଲୁଣ୍ତି, ଜିଲୁଣ୍ଡି ପଞ୍ଚାୟତର ହିତାଧିକାରୀ ମାନଙ୍କୁ ଶ୍ରୀ ଆରୁଖ ୮ ମାସର ଭତ୍ତା ସହ କୋଭିଡ ସହାୟତା ରାଶି ପ୍ରଦାନ କରିଥିଲେ। ଏହାପରେ ଶ୍ରୀ ଆରୁଖ ସାନକୋଦଣ୍ଡା ପଞ୍ଚାୟତ ଯୋଗୀମାରୀ ଠାରେ ହୋଇଥିବା କୋଭିଡ ସଚେତନତା ପଦଯାତ୍ରାରେ ସାମିଲ ହୋଇଥିଲେ। ବାହାଡାପଦର ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଡୁମାକୁମ୍ପା ଏବଂ ସାନକୋଦଣ୍ଡା ପଞ୍ଚାୟତର ହିତାଧିକାରୀ ମାନଙ୍କୁ ଭତ୍ତା ପ୍ରଦାନ କରିଥିଲେ।
ସାରା ବିଶ୍ବରେ କରୋନା ମହାମାରୀ କାୟା ବିସ୍ତାର କରିଥିବା ବେଳେ ରାଜ୍ୟବାସୀ ମଧ୍ୟ ଏହି ମହାମାରୀରେ କବଳିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ କରୋନା ମୁକାବିଲା ପାଇଁ ପ୍ରଥମ ଦିନରୁ ହିଁ ଅହରହ ପରିଶ୍ରମ ଜାରି ରଖିଛନ୍ତି। ସାରା ଭାରତ ବର୍ଷରେ କେବଳ ଓଡ଼ିଶାରେ କରୋନା ଆକ୍ରାନ୍ତ ମାନଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇ ଦିଆଯାଉଛି ବୋଲି ଶ୍ରୀ ଆରୁଖ କହିଥିଲେ। ଏଥିସହ ଏହି କରୋନା ମହମାରୀ ସମୟରେ ଜନ ପ୍ରତିନିଧି ମାନଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ମାନଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁ ଆଜି ଜିଲ୍ଲାରେ କରୋନା ନିୟନ୍ତ୍ରଣ ଆଡକୁ ଗତି କରୁଛି । ତେଣୁ ବର୍ତ୍ତମାନ ଅଧିକା ସର୍ତ୍ତକତା ପାଳନ କରିବା ଜରୁରୀ ବୋଲି ଶ୍ରୀ ଆରୁଖ କହିଥିଲେ।

କରୋନା ପାଇଁ ଲୋକମାନଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହୋଇପଡିଥିବାରୁ ରାଜ୍ୟ ସରକାର ଆଗୁଆ ଭତ୍ତା ପ୍ରଦାନ କରିବା ସହ ସରକାରୀ ଚାଉଳ ପାଉଥିବା ଲୋକ ମାନଙ୍କୁ ଆଗୁଆ ଖାଦ୍ୟ ସାମଗ୍ରୀ ପ୍ରଦାନ କରୁଛନ୍ତି। ତେଣୁ କୋଭିଡ ନିୟମ ପାଳନ କରିବା ସହ କଟକଣା କୋହଳ ହୋଇଥିଲେ ମଧ୍ୟ ସର୍ତ୍ତକ ରହିବା ପାଇଁ ଶ୍ରା ଆରୁଖ ପ୍ରକାଶ କରିଥିଲେ। ଉଭୟ କାର୍ଯ୍ୟକ୍ରମରେ ଶ୍ରୀ ଆରୁଖଙ୍କ ସମେତ ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ,ବ୍ଳକ୍ ଉପାଧ୍ୟକ୍ଷ ଜିତେନ୍ଦ୍ର କେଶରୀ ଆରୁଖ, ଅଧ୍ୟକ୍ଷା ବିନ ଦଳବେହେରା, ତହସିଲଦାର ଆଲୋକ କୁମାର ପ୍ରଧାନ, ବିଡ଼ିଓ ଅନୀଲ କୁମାର ସେଠୀ, ଏନ୍ଏସି କାର୍ଯ୍ୟ ନିର୍ବାହି ଅଧିକାରୀ ଚିନ୍ମୟ କୁମାର ଆଚାର୍ଯ୍ୟ ପ୍ରମୁଖ ମଞ୍ଚାସୀନ ରହିଥିଲେ। ଏହି କାର୍ଯ୍ୟକ୍ରମକୁ ଶୂଳପାଣୀ ଶତପଥି ସଂଯୋଜନା କରିଥିବା ବେଳେ ସାଂସଦ ପ୍ରତିନିଧି ଦିବାକର ନାୟକ, ବିଜେଡି ବ୍ଳକ୍ ସଭାପତି ରାଜେନ୍ଦ୍ର ପ୍ରଧାନ, ଆଇନଜୀବୀ ଏମ୍ ତାଜ୍ ଆଦେନୀ, ଅଲ୍ଓଷ୍ଟା ରାଜ୍ୟ ସଭାପତି ଜଗବନ୍ଧୁ ଜେନା, ସାନକୋଦଣ୍ଡା ସମିତିସଭ୍ୟା ଶୌଳବାଳା ବିଷୋୟୀ, ପଞ୍ଚାୟତ ଅଧିକାରୀ ଅଶୋକ ପଣ୍ଡା, ସାମାଜିକ ସୁରକ୍ଷା ଅଧିକାରୀ ମମିତା ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ। ବାହାଡାପଦର ସ୍କୁଲର ବରିଷ୍ଠ ଶିକ୍ଷକ ସନ୍ତୋଷ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।
The post ସଚେତନ ରହିଲେ ସହଜରେ କରୋନାକୁ ମୁକାବିଲା କରି ପାରିବା: ମନ୍ତ୍ରୀ ଆରୁଖ first appeared on Sambad.
from କରୋନା – Sambad https://ift.tt/2JeL4yh
0 Comments