ନୂଆଦିଲ୍ଲୀ : ଦେଶରେ କୋଭିଡ୍‌ ଆରୋଗ୍ୟଙ୍କ ସଂଖ୍ୟା ୬୯ ଲକ୍ଷ ଟପିଯାଇଛି। ଲଗାତାର ୫ ଦିନ ଧରି ଦେଶରେ ସକ୍ରିୟ ମାମଲା ୬୦ ହଜାରରୁ କମ୍‌ ରହୁଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୪ ହଜାର ୩୬୬ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୬୯୦ ଜଣଙ୍କ ମୃତ୍ୟୁ ହୋଇଛି। ମୋଟ୍‌ ସଂକ୍ରମଣ ମାମଲା ୭୭ ଲକ୍ଷ ୬୧ ହଜାର ୩୧୨ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୧ ଲକ୍ଷ ୧୭ ହଜାର ୩୦୬କୁ ବୃଦ୍ଧି ପାଇଛି। ଦେଶରେ ଆରୋଗ୍ୟ ହାର ୮୯.୫୩ ପ୍ରତିଶତକୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁହାର ୧.୫୧ ପ୍ରତିଶତ ରହିଛି।

ଆଇସିଏମ୍‌ଆର ଅନୁଯାୟୀ ଦେଶରେ କରୋନା ଟେଷ୍ଟିଂ ୧୦ କୋଟି ଟପିଯାଇଛି। ଦେଶରେ ଏବେ ମୋଟ୍‌ ୬ ଲକ୍ଷ ୯୫ ହଜାର ୫୦୯ ସକ୍ରିୟ ମାମଲା ରହିଛି। ଏହା ମୋଟ୍‌ ସଂକ୍ରମଣ ମାମଲାର ୮.୯୬ ପ୍ରତିଶତ। ୨ ମାସ ପରେ ଦେଶରେ ସକ୍ରିୟ ମାମଲା ୭ ଲକ୍ଷରୁ କମ୍‌ ରହିଛି। ଶେଷ ଥର ପାଇଁ ଅଗଷ୍ଟ ୨୨ ତାରିଖରେ ଦେଶରେ ସକ୍ରିୟ ମାମଲା ୬ ଲକ୍ଷ ୯୭ ହଜାର ୩୩୦ ଥିଲା। ପ୍ରତିଦିନ ଦେଶରେ ଅଧିକ ସଂଖ୍ୟାରେ ରୋଗୀ କରୋନାରୁ ସୁସ୍ଥ ହେଉଛନ୍ତି। ଫଳରେ ମୃତ୍ୟୁହାର କମ୍‌ ରହୁଛି ଏବଂ ସକ୍ରିୟ ମାମଲା ଲଗାତାର ଭାବେ କମି ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ୭୩ ହଜାର ୯୭୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ୮୧ ପ୍ରତିଶତ ଆରୋଗ୍ୟ ମାମଲା ୧୦ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଚିହ୍ନଟ ହୋଇଛି। ମହାରାଷ୍ଟ୍ରରୁ ଗତକାଲି ସର୍ବାଧିକ ୧୬ ହଜାର ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି।

The post ଦେଶରେ ୫୪ ହଜାର ନୂଆ ମାମଲା, ୨ ମାସ ପରେ ସକ୍ରିୟ ମାମଲା ୭ ଲକ୍ଷରୁ କମ୍‌ first appeared on Sambad.



from କରୋନା – Sambad https://ift.tt/35vQD2H