
ଭୁବନେଶ୍ୱର : ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଆକ୍ରାନ୍ତ ଚିକିତ୍ସା ପାଇଁ ଭର୍ତ୍ତି ହେବା ପରେ ପରିବାରଲୋକ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ଜାଣି ପାରୁନଥିଲେ। ଏପରିକି ୧୯୨୯ ନମ୍ବରରେ କେବଳ ଭେଣ୍ଟିଲେଟର୍ ଓ ଆଇସିୟୁରେ ଥିବା ଆକ୍ରାନ୍ତଙ୍କ ବିଷୟରେ ସୂଚନା ଦିଆଯାଇଥିବାରୁ ଅନ୍ୟ ଆକ୍ରାନ୍ତଙ୍କ ବିଷୟରେ ଲୋକଙ୍କୁ ଖବର ମିଳୁ ନଥିଲା। ଏନେଇ ବାରମ୍ବାର ଅଭିଯୋଗ ହେବା ପରେ ସବୁ କୋଭିଡ୍ ହସ୍ପିଟାଲରେ ହେଲ୍ପ-ଡେସ୍କ ଖୋଲା ଯାଇଛି। ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶନାମା ଅନୁଯାୟୀ, ଏହି ହେଲ୍ପ-ଡେସ୍କ ଖୋଲିଥିଲେ ହେଁ ଏହା କିପରି କାର୍ଯ୍ୟ କରୁଛି, ତାହାକୁ ବିଏମ୍ସି କମିସନର୍ ପ୍ରେମଚନ୍ଦ୍ର ଚୌଧରୀ ଏବଂ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଯାଞ୍ଚ କରିଛନ୍ତି।
ବିଏମ୍ସି କମିସନର୍ ଶନିବାର ସଂଧ୍ୟା ପ୍ରାୟ ୭ଟା ବେଳେ ସମ୍ ହସ୍ପିଟାଲକୁ ଅଚାନକ ପରିଦର୍ଶନ କରି ସ୍ଥିତି ଯାଞ୍ଚ କରିଥିଲେ। କଲ୍ ସେଣ୍ଟର ଖୋଲା ଯାଇଛି ନା ନାହିଁ, ସେଠାକୁ କେତେ ଲୋକ ଫୋନ୍ କରୁଛନ୍ତି, କିପରି ଲୋକଙ୍କୁ ରୋଗୀଙ୍କ ବିଷୟରେ ସୂଚନା ଦିଆଯାଉଛି, ତାହା ଯାଞ୍ଚ କରିଥିଲେ। ଏହାବାଦ୍ କ୍ୟାବିନରେ ଡାକ୍ତର ଅଛନ୍ତି କି ନାହିଁ, କେଉଁ ଦିନ କେତେ ଡାକ୍ତର ଆସିଛନ୍ତି, ତାହା ଯାଞ୍ଚ କରିଥିଲେ।
ଏବେ ସମ୍, କିମ୍ସ, ହାଇଟେକ୍, ଆଦିତ୍ୟ ଅଶ୍ବିନୀ, କିଡ୍ସ, ନୀଳାଚଳ ଏବଂ ବ୍ଲୁ ହୁଇଲ୍ ହସ୍ପିଟାଲ କରୋନା ଆକ୍ରାନ୍ତଙ୍କ ଉତ୍ସର୍ଗୀକୃତ ହସ୍ପିଟାଲ ଭାବେ କାର୍ଯ୍ୟ କରୁଛି। ସବୁଠି ହେଲ୍ପ-ଡେସ୍କ ଖୋଲିଥିବା ବେଳେ ଏବେ ଫୋନ୍ ମାଧ୍ୟମରେ ସୂଚନା ଦିଆଯାଉଛି। ଆଗାମୀ ଦିନରେ ହ୍ବାଟ୍ସଆପ୍ ମାଧ୍ୟମରେ ମଧ୍ୟ ସୂଚନା ଦିଆଯିବ। ସବୁ ସ୍ଥାନରେ ସିସିଟିଭି ଲାଗିବ ବୋଲି କୁହାଯାଇଛି। ବିଏମ୍ସି କମିସନରଙ୍କ ସମେତ ସହରାଞ୍ଚଳ ସ୍ବାସ୍ଥ୍ୟଅଧିକାରୀ ସିବିଏସ୍ଏନ୍ ରାଓ, ଦକ୍ଷିଣ ପଶ୍ଚିମ ଜୋନ୍ ଡେପୁଟି କମିସନର ରବିନାରାୟଣ ଜେଠୀ, ନଗର ସ୍ବାସ୍ଥ୍ୟ ଅଧିକାରୀ ବସନ୍ତ ମିଶ୍ର ପ୍ରମୁଖ ହସ୍ପିଟାଲ ପରିଦର୍ଶନରେ ଯାଇଥିଲେ।
from କରୋନା – Sambad https://ift.tt/3nIwcIr
0 Comments