ଭୁବନେଶ୍ବର: କୋଭିଡ୍ ଆଇନ୍ ଉଲ୍ଲଂଘନ ନେଇ ଭୁବନେଶ୍ବର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାଁରେ ଜଣେ  କୋଭିଡ୍ ଯୋଦ୍ଧା ଲିଖିତ ଅଭିଯୋଗ ଆଣିଥିବା ଜଣାଯାଇଛି । ସାଂସଦଙ୍କ ବେପରୁଆ କାର୍ଯ୍ୟ ଅନ୍ୟମାନଙ୍କ ଜୀବନ ବିପନ୍ନ କରୁଛି । ସାଂସଦ ବାରମ୍ବାର କୋଭିଡ୍ ଆଇନ୍ ଭାଙ୍ଗୁଥିବାରୁ କୋଭିଡ୍ ଯୋଦ୍ଧା କାର୍ଯ୍ୟାନୁଷ୍ଠାନ ଦାବି କରି  ଲିଖିତ ଭାବେ ଭୁବନେଶ୍ୱର ଡିସିପିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏଣେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଅଫିସକୁ ୧୫ ଦିନ ପାଇଁ ସିଲ୍ କରିବାକୁ କମିସନରେଟ ପୁଲିସ ପକ୍ଷରୁ ନୋଟିସ ଜାରି ହୋଇଛି । ପୁଲିସ ଓ ବିଏମସି ଅଧିକାରୀ ଅଫିସ୍ ସିଲ୍ କରିବାକୁ ପହଞ୍ଚିଥିବାର ଖବର ମିଳିଛି ।

ସୂଚନାଯୋଗ୍ୟ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ କୋଭିଡ୍ ନିୟମ ଭାଙ୍ଗିବା ପ୍ରସଙ୍ଗ ଗତକାଲି କେନ୍ଦ୍ର ସରକାରଙ୍କ କୋର୍ଟକୁ ଯାଇଛି। ଏଥର ଅପରାଜିତାଙ୍କ ବିରୋଧରେ ଉଁ କି ଚୁଁ କିଛି ବି ନ କହି ସାଂସଦ ବାରମ୍ବାର କୋଭିଡ୍ ନିୟମ ଉଲ୍ଲଂଘନ କରୁଥିବା ସଂପର୍କରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ନିକଟରେ ଫେରାଦ ହୋଇଛନ୍ତି ରାଜ୍ୟ ସରକାର। ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଗତକାଲି ଏ ସଂକ୍ରାନ୍ତରେ ଏକ ଦୁଇ ପୃଷ୍ଠାର ଲମ୍ବା ଚିଠି ଲେଖି ଆଶା କରିଛନ୍ତି ଯେ ଶ୍ରୀ ରାୟ ନିଶ୍ଚିତ ଭାବେ ଏହି ପ୍ରସଙ୍ଗଟିକୁ ଉଭୟ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଦୃଷ୍ଟିକୁ ଆଣିବେ ଓ ଭୁବନେଶ୍ବର ଲୋକଙ୍କ ଜୀବନକୁ ବିପଦକୁ ନ ଠେଲିବା ପାଇଁ ସେମାନେ ଅବଶ୍ୟ ପରାମର୍ଶ ଦେବେ।

କେନ୍ଦ୍ରମନ୍ତ୍ରୀଙ୍କୁ ଦେଇଥିବା ଚିଠିରେ ଶ୍ରୀ ମିଶ୍ର କହିଛନ୍ତି ଯେ ୮ ତାରିଖ ଦିନ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କର ଏକ ଜନ୍ମଦିନ ପାଳନ ସଂକ୍ରାନ୍ତ ଏକ ଭିଡ଼ିଓ ଭାଇରାଲ୍ ହୋଇଛି। ଏହି ଭିଡ଼ିଓରେ ସ୍ପଷ୍ଟ ଜଣାପଡୁଛି ଯେ ସାଂସଦ ଓ ଶତାଧିକ ମହିଳା ଯେଉଁମାନେ ମାସ୍କ ପିନ୍ଧିନାହାନ୍ତି (କେବଳ ଜଣେ ମାସ୍କ ପରିଧାନ କରିଛନ୍ତି) ଓ କୋଭିଡ୍ ନିୟମର ଖୋଲା ଉଲ୍ଲଂଘନ କରି ସାଂସଦଙ୍କ ଜନ୍ମୋତ୍ସବ ପାଳନରେ ମସଗୁଲ୍ ଥିଲେ ଏବଂ କୋଭିଡ୍ ନିୟମ ଭୁଲିଯାଇଥିଲେ।

ଅନ୍ୟପକ୍ଷରେ ଏ ସଂକ୍ରାନ୍ତରେ ଅପରାଜିତା ଗଣମାଧ୍ୟମରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହିତ ଗୋଟିଏ ରାଜ୍ୟରେ ଦୁଇଜଣ ଲୋକଙ୍କ ପାଇଁ ଦୁଇଟି ନିୟମ ଲାଗୁ ହୋଇପାରିବ ନାହିଁ ବୋଲି କଡ଼ା ଟିପ୍ପଣୀ ଦେଇଥିଲେ। ରାଜ୍ୟ ସରକାରଙ୍କର ଜଣେ ମନ୍ତ୍ରୀ ଓ ବିଧାୟକ କୋଭିଡ୍ ଆକ୍ରାନ୍ତ ଥାଇ କିଭଳି ଦିବଂଗତ ବିଧାୟକଙ୍କ ଦାହସଂସ୍କାରରେ ଶହଶହା ଲୋକଙ୍କ ସହ ସେ ମିଶିଲେ ବୋଲି ପ୍ରଶ୍ନ କରିଥିଲେ।ସେମାନଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ହୋଇଛି ବୋଲି ଯୁକ୍ତି ବାଢ଼ିଥିଲେ। ଏଣେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଅନ୍ତ୍ୟୋଷ୍ଟି କ୍ରିୟାରେ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ ସାମିଲ ହେବା ଘଟଣାରେ ପୁରୀ ସମୁଦ୍ରକୂଳ ଥାନାରେ ଗତକାଲି ରାତିରେ ପୁଲିସ ପକ୍ଷରୁ ମାମଲା ରୁଜୁ ହୋଇଛି। ମହାମାରୀ ଆଇନ ଉଲ୍ଲଂଘନ ନେଇ ଏହି ମାମଲା ରୁଜୁ କରିଛି।



from କରୋନା – Sambad https://ift.tt/2SKduSd