ଭୁବନେଶ୍ବର: କୋଭିଡ୍ ନିୟମର ଉଲ୍ଲଂଘନ କରିବା ଅଭିଯୋଗରେ ଭୁବନେଶ୍ବର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପଳାସପଲ୍ଲୀସ୍ଥିତ ଅଫିସ୍ ୧୫ ଦିନ ଲାଗି ସିଲ୍ କରାଯାଇଛି। ବିଏମସି ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।


ସୂଚନାଯୋଗ୍ୟ, ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାମରେ କୋଭିଡ୍ ଯୋଦ୍ଧା ଅଭିଯୋଗ ଆଣିଛନ୍ତି । ସାଂସଦଙ୍କ ବେପରୁଆ କାର୍ଯ୍ୟ ଅନ୍ୟମାନଙ୍କ ଜୀବନ ବିପନ୍ନ କରୁଛି । ସାଂସଦ ବାରମ୍ବାର କୋଭିଡ୍ ଆଇନ୍ ଭାଙ୍ଗୁଥିବାରୁ କୋଭିଡ୍ ଯୋଦ୍ଧା କାର୍ଯ୍ୟାନୁଷ୍ଠାନ ଦାବି ଜଣାଇ ଲିଖିତ ଭାବେ ଭୁବନେଶ୍ୱର ଡିସିପିଙ୍କ ଠାରେ ଅଭିଯୋଗ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ କୋଭିଡ୍ ନିୟମ ଭାଙ୍ଗିବା ପ୍ରସଙ୍ଗ ଗତକାଲି କେନ୍ଦ୍ର ସରକାରଙ୍କ କୋର୍ଟକୁ ଯାଇଛି। ଏଥର ଅପରାଜିତାଙ୍କ ବିରୋଧରେ ଉଁ କି ଚୁଁ କିଛି ବି ନ କହି ସାଂସଦ ବାରମ୍ବାର କୋଭିଡ୍ ନିୟମ ଉଲ୍ଲଂଘନ କରୁଥିବା ସଂପର୍କରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ନିକଟରେ ଫେରାଦ ହୋଇଛନ୍ତି। ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଗତକାଲି ଏ ସଂକ୍ରାନ୍ତରେ ଏକ ଦୁଇ ପୃଷ୍ଠାର ଲମ୍ବା ଚିଠି ଲେଖି ଆଶା କରିଛନ୍ତି ଯେ ଶ୍ରୀ ରାୟ ନିଶ୍ଚିତ ଭାବେ ଏହି ପ୍ରସଙ୍ଗଟିକୁ ଉଭୟ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଦୃଷ୍ଟିକୁ ଆଣିବେ ଓ ଭୁବନେଶ୍ବର ଲୋକଙ୍କ ଜୀବନକୁ ବିପଦକୁ ନ ଠେଲିବା ପାଇଁ ସେମାନେ ଅବଶ୍ୟ ପରାମର୍ଶ ଦେବେ।

କେନ୍ଦ୍ରମନ୍ତ୍ରୀଙ୍କୁ ଦେଇଥିବା ଚିଠିରେ ଶ୍ରୀ ମିଶ୍ର କହିଛନ୍ତି ଯେ ୮ ତାରିଖ ଦିନ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କର ଏକ ଜନ୍ମଦିନ ପାଳନ ସଂକ୍ରାନ୍ତ ଏକ ଭିଡ଼ିଓ ଭାଇରାଲ୍ ହୋଇଛି। ଏହି ଭିଡ଼ିଓରେ ସ୍ପଷ୍ଟ ଜଣାପଡୁଛି ଯେ ସାଂସଦ ଓ ଶତାଧିକ ମହିଳା ଯେଉଁମାନେ ମାସ୍କ ପିନ୍ଧିନାହାନ୍ତି (କେବଳ ଜଣେ ମାସ୍କ ପରିଧାନ କରିଛନ୍ତି) ଓ କୋଭିଡ୍ ନିୟମର ଖୋଲା ଉଲ୍ଲଂଘନ କରି ସାଂସଦଙ୍କ ଜନ୍ମୋତ୍ସବ ପାଳନରେ ମସଗୁଲ୍ ଥିଲେ ଏବଂ କୋଭିଡ୍ ନିୟମ ଭୁଲିଯାଇଥିଲେ।

ଅନ୍ୟପକ୍ଷରେ ଏ ସଂକ୍ରାନ୍ତରେ ଅପରାଜିତା ଗଣମାଧ୍ୟମରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହିତ ଗୋଟିଏ ରାଜ୍ୟରେ ଦୁଇଜଣ ଲୋକଙ୍କ ପାଇଁ ଦୁଇଟି ନିୟମ ଲାଗୁ ହୋଇପାରିବ ନାହିଁ ବୋଲି କଡ଼ା ଟିପ୍ପଣୀ ଦେଇଥିଲେ। ରାଜ୍ୟ ସରକାରଙ୍କର ଜଣେ ମନ୍ତ୍ରୀ ଓ ବିଧାୟକ କୋଭିଡ୍ ଆକ୍ରାନ୍ତ ଥାଇ କିଭଳି ଲୋକଙ୍କ ସହ ମିଶିଲେ ବୋଲି ସେ ପ୍ରଶ୍ନ କରିଥିଲେ।



from କରୋନା – Sambad https://ift.tt/3dccWhy