
ନୂଆଦିଲ୍ଲୀ : ଦେଶରେ ବିଗତ ୨୪ ଘଣ୍ଟା ମଧ୍ୟରେ ୬୧ ହଜାର ୨୬୭ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୮୮୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ୬ ସପ୍ତାହ ମଧ୍ୟରେ ଏହା ସବୁଠୁ କମ୍ ଦୈନିକ ସଂକ୍ରମଣ ସଂଖ୍ୟା। ଗତ ଅଗଷ୍ଟରେ ଦୈନିକ ସଂକ୍ରମଣ ମାମଲା ୬୦ ହଜାରରୁ ୭୦ ହଜାର ରହୁଥିଲା। କିନ୍ତୁ ସେପ୍ଟେମ୍ବର ପରଠାରୁ ସଂକ୍ରମଣ ବଢ଼ିଚାଲିଲା। କିଛିଦିନ ଧରି ସଂକ୍ରମଣ ୯୦ ହଜାର ଉପରକୁ ରହିବାପରେ ୮୦ ଏବଂ ୭୦ ହଜାରକୁ ଖସିଥିଲା। କିନ୍ତୁ ଗତ ୨୪ ଘଣ୍ଟାର ନୂଆ ମାମଲା ଏକ ଆଶ୍ବସ୍ତି ପ୍ରଦାନ କରିଛି। ଗତକାଲି ଯେଉଁ ନମୁନା ପରୀକ୍ଷା ହୋଇଛି ତାହା ମଧ୍ୟ ଗୁରୁତ୍ବପୂର୍ଣ୍ଣ। କାରଣ ଗତକାଲି ୧୦ ଲକ୍ଷ ୮୯ ହଜାରରୁ ଅଧିକ ନମୁନା ପରୀକ୍ଷା ହୋଇଥିଲା। ଅଧିକ ନମୁନା ପରୀକ୍ଷା ସତ୍ତ୍ବେ ସଂକ୍ରମଣ ମାମଲା କମ୍ ରହିଛି।
ଦେଶରେ ମୋଟ୍ ସଂକ୍ରମଣ ମାମଲା ୬୬ ଲକ୍ଷ ୮୫ ହଜାର ୮୩ରେ ପହଞ୍ଚିଛି। ୯ ଲକ୍ଷ ୧୯ ହଜାର ୨୩ ଟି ସକ୍ରିୟ ମାମଲା ଥିବା ବେଳେ ୫୬ ଲକ୍ଷ ୬୨ ହଜାର ୪୯୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ୮୮୪ ମୃତ୍ୟୁ ସହ ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୧ ଲକ୍ଷ ୩ହଜାର ୫୬୯ରେ ପହଞ୍ଚିଛି। ମହାରାଷ୍ଟ୍ର ମଧ୍ୟ ଦେଶରେ ସର୍ବାଧିକ ପ୍ରଭାବିତ ରାଜ୍ୟ। ଦେଶରେ ୨ ଲକ୍ଷ ୫୨ ହଜାର ୭୨୧ ସକ୍ରିୟ ମାମଲା ଥିବାବେଳେ ୧୧ ଲକ୍ଷ ୬୨ ହଜାର ୫୮୫ ଜଣ ସୁସ୍ଥ ହୋଇଛନ୍ତି। ମହାରାଷ୍ଟ୍ରରେ ମୋଟ୍ ୩୮ ହଜାର ୩୪୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ସକ୍ରିୟ ମାମଲା ମୋଟ ମାମଲାର ୧୩.୭୫ ପ୍ରତିଶତ ରହିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଲଗାତାର ସକ୍ରିୟ ମାମଲା କମିବା ସହ ଆରୋଗ୍ୟଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ଦେଶରେ ଆରୋଗ୍ୟ ହାର ୮୪.୭୦ ପ୍ରତିଶତକୁ ବୃଦ୍ଧି ପାଇଛି।
from କରୋନା – Sambad https://ift.tt/3jCwYnN
0 Comments