
ନଭେମ୍ବର ୧ରୁ ପୁଣି ମେଗା ସ୍ୱାସ୍ଥ୍ୟ ଯାଞ୍ଚ୍
ପ୍ରତି ଘର କାନ୍ଥରେ ଲାଗିବ ସୂଚନା ଷ୍ଟିକର୍
ଛତ୍ରପୁର : ଭାରତର କିଛି ଅଞ୍ଚଳରେ କରୋନାର ଦ୍ବିତୀୟ ପ୍ରବାହ ଆରମ୍ଭ ହୋଇଛି। ଏହା ଅନେକ ବ୍ୟକ୍ତିଙ୍କୁ ସଂକ୍ରମିତ କରିପାରେ। କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି ମଧ୍ୟ ଏଥିରେ ସଂକ୍ରମିତ ହେବା ସମ୍ଭାବନା ରହିଛି। ଗଞ୍ଜାମରେ ଦ୍ବିତୀୟ ପ୍ରବାହ ଆରମ୍ଭ ହୋଇଥିବା ସଙ୍କେତ ମିଳୁଛି। ବିଶେଷ କରି ଏମ୍କେସିଜି ବଡ଼ ମେଡିକାଲରେ ପ୍ରତିଦିନ ରୋଗୀ ବଢ଼ୁଛନ୍ତି। ବ୍ରହ୍ମପୁର ସହରକୁ ଅଧିକ ଫୋକସ୍ କରିବା ସକାଶେ ମହାନଗର ନିଗମ କମିସନରଙ୍କୁ କୁହାଯାଇଛି। ଯଦି ଏବେ ଠାରୁ ଜିଲ୍ଲାବାସୀ ସତର୍କ ହେବେ ନାହିଁ, ତେବେ ଶୀତ ଋତୁରେ ଦ୍ବିତୀୟ ପ୍ରବାହ ମାରାତ୍ମକ ରୂପ ନେବା ସମ୍ଭାବନାକୁ ଏଡ଼ାଯାଇ ଯାଇପାରିବ ନାହିଁ। ଆଶଙ୍କା ବଢ଼ିବା ପରେ ଜିଲ୍ଲା ପ୍ରଶାସନ ପୁଣି ପୂର୍ବରୁ ଅନୁସରଣ କରା ଯାଇଥିବା ସମସ୍ତ ବ୍ୟବସ୍ଥା ପୁନଃପ୍ରଚଳନ କରିବା ଲାଗି ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ତିନି ଉପ ଜିଲ୍ଲାପାଳ ଏବଂ ଜିଲ୍ଲାର ସମସ୍ତ ଅଧିକାରୀଙ୍କୁ ଭିଡ଼ିଓ କନ୍ଫରେନ୍ସିଂରେ ସତର୍କ କରାଇ ଦେଇଛନ୍ତି।
ସୀମକ୍ଷାରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ କହିଥିଲେ, ଅନ୍ଲକ୍ ପରେ ପୁଣି ଲକ୍ଡାଉନ୍ ନୁହେଁ, ବର୍ତ୍ତମାନ ଜୀବନଜୀବିକା ସହ ସମୂହ ସ୍ବାସ୍ଥ୍ୟ ଯାଞ୍ଚ୍, ସଚେତନତା ଓ ସତର୍କତାକୁ ପ୍ରାଧାନ୍ୟ ଦିଆଯିବ। ସ୍ବାବ୍ ନମୁନା ପରୀକ୍ଷାକୁ ବ୍ୟାପକ କରାଯିବ। ଶିକ୍ଷକ, ଅଙ୍ଗନବାଡ଼ି, ଆଶା କର୍ମୀଙ୍କୁ ନେଇ ଗଠିତ ଟିମ୍ ଜରିଆରେ ଘରକୁ ଘର ଶତ ପ୍ରତିଶତ ମେଗା ସ୍ବାସ୍ଥ୍ୟ ସ୍କ୍ରିନିଂ, ପ୍ରତି ଘର କାନ୍ଥରେ ସୂଚନା ଷ୍ଟିକର୍ ଲଗାଯିବ। ସାଇକେଲ ରାଲି, ଜୁମ୍ ମିଟିଙ୍ଗ୍, ପଞ୍ଚସୂତ୍ରୀ ନିୟମ, ଟୁଇଟ୍ ଦ୍ବାରା ସଚେତନତା ବାର୍ତ୍ତା, ହୋମ୍ ଆଇସୋଲେସନ୍ରେ ଥିବା ବ୍ୟକ୍ତିଙ୍କୁ କିଟ୍ ପ୍ରଦାନ, ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ ଇତ୍ୟାଦି ବ୍ୟାପକ କରାଯିବ।
ବର୍ତ୍ତମାନ ସମୟରେ ସଂକ୍ରମଣ କିଭଳି ବ୍ୟାପୁଛି ଅନୁଧ୍ୟାନ କରାଯିବ। ଦୈନନ୍ଦିନ ସଂକ୍ରମିତଙ୍କ ସଂଖ୍ୟା କମ୍ ରହୁଥିଲା। ବର୍ତ୍ତମାନ ପୁଣି ଏମ୍କେସିଜିରେ ଲକ୍ଷଣବିହୀନ ଓ ଲକ୍ଷଣଯୁକ୍ତ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାର କାରଣ ଖୋଜିବା ସକାଶେ ସଂକ୍ରମିତ ବ୍ୟକ୍ତିଙ୍କ ସମ୍ପୂର୍ଣ୍ଣ ଗସ୍ତ ବିବରଣୀ ସଂଗ୍ରହ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାରେ କରୋନା ସଂକ୍ରମଣ ଓ ମୃତ୍ୟୁ ରୋକିବା ଏବଂ କାଉନସେଲିଂ ଦ୍ବାରା ପ୍ଲାଜ୍ମା ସଂଗ୍ରହ ବଢ଼ାଇବା ଦିଗରେ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।
The post ଗଞ୍ଜାମରେ କରୋନାର ଦ୍ୱିତୀୟ ପ୍ରବାହ! first appeared on Sambad.
from କରୋନା – Sambad https://ift.tt/2TursZ2
0 Comments