
ନୂଆଦିଲ୍ଲୀ: କୋଭିଡ୍ ମହାମାରୀକୁ କାବୁ କରିବା ଲାଗି ସମଗ୍ର ବିଶ୍ବ ଲୋକସଂଖ୍ୟାର ୬୦ରୁ ୭୦ ପ୍ରତିଶତ ବା ୫୫୦ କୋଟି ଲୋକଙ୍କର ଟିକାକରଣ ନିହାତି ଜରୁରୀ। ତେଣୁ ଯଥା ଶୀଘ୍ର ସମ୍ଭବ ଫଳପ୍ରଦ ଟିକାଟିଏ ପାଇବା ଲାଗି ବିଶ୍ବର ପ୍ରାୟ ପ୍ରତ୍ୟେକ ଦେଶ ଚାତକ ପରି ଚାହିଁ ରହିଛନ୍ତି। ଯଦିଓ ସେଭଳି ଟିକା ହାତପାଆନ୍ତାରେ ପହଞ୍ଚିଯିବାର କୌଣସି ଧାର୍ଯ୍ୟ ସମୟ ସ୍ପଷ୍ଟ ହୋଇନାହିଁ, ତଥାପି ଟିକାର ମୂଲ୍ୟ କେତେ ରହିବ ବୋଲି ଏବେଠାରୁ ସମସ୍ତେ ଅନୁମାନ ଲଗାଇ ସେହି ଅନୁସାରେ ନିଜକୁ ପ୍ରସ୍ତୁତ କରି ଚାଲିଛନ୍ତି। ଅବଶ୍ୟ ଗରିବ ରାଷ୍ଟ୍ରମାନଙ୍କ ପାଇଁ ଏହି ବହୁ ପ୍ରତୀକ୍ଷିତ କୋଭିଡ୍ ଟିକାର ମୂଲ୍ୟ ଧାର୍ଯ୍ୟ କରିବା ଲାଗି ବିଲ୍ ଗେଟ୍ସଙ୍କ ପରି ଅନେକ ମାନବବାଦୀ ଯୁକ୍ତି ବାଢ଼ିଛନ୍ତି। ଚୂଡ଼ାନ୍ତ ନୈଦାନିକ ପରୀକ୍ଷଣ ସ୍ତରରେ ପହଞ୍ଚିଥିବା ଟିକାଗୁଡ଼ିକର ମୂଲ୍ୟ ଆନୁଷ୍ଠାନିକ ଭାବେ ଧାର୍ଯ୍ୟ କରାଯାଇନଥିବା ବେଳେ ସଂପୃକ୍ତ ଟିକାର ଦୁଇଟି ମାତ୍ରାର ମୂଲ୍ୟ ୪୫୦ ଟଙ୍କାରୁ ୫,୫୦୦ ଟଙ୍କା ଯାଏ ପଡ଼ିପାରେ ବୋଲି ଅନୁମାନ କରାଯାଉଛି।
କୌଣସି ଟିକାର ମୂଲ୍ୟ ସାଧାରଣତଃ ଏହାକୁ ବିକଶିତ କରିବାରେ ଗବେଷଣା ଓ ବିକାଶ ପ୍ରକ୍ରିୟା ଖର୍ଚ୍ଚ ସାଙ୍ଗକୁ ନୈଦାନିକ ପରୀକ୍ଷଣ ବାବଦ ଖର୍ଚ୍ଚ ଉପରେ ହିଁ ନିର୍ଭର କରିଥାଏ। ତଦନୁଯାୟୀ, ମଡର୍ଣ୍ଣା କମ୍ପାନି ଦ୍ବାରା ବିକଶିତ ଟିକାର ଗୋଟିଏ ମାତ୍ରାର ମୂଲ୍ୟ ୩୨ ଡଲାରରୁ ୩୭ ଡଲାର(୨,୭୩୮ଟଙ୍କା) ଭିତରେ ପଡ଼ିବ। ସେହିପରି ଫାଇଜର କମ୍ପାନି ଟିକାର ମୂଲ୍ୟ ୨,୮୯୦ ଟଙ୍କା, ଜନ୍ସନ୍ ଆଣ୍ଡ୍ ଜନ୍ସନ୍ ଟିକାର ଦର ୧,୪୮୦ ଟଙ୍କା ଓ ଚୀନୀ କମ୍ପାନି ସିନୋଭାକ୍ ଟିକାର ମୂଲ୍ୟ ୪,୪୪୦ ଟଙ୍କା ପଡ଼ିପାରେ। ପୁଣେର ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଦ୍ବାରା ପ୍ରସ୍ତୁତ ହେଉଥିବା ଅକ୍ସଫୋର୍ଡ ଟିକାର ଦୁଇଟି ମାତ୍ରାକୁ ୭୦୦ ଟଙ୍କାରୁ ୨,୦୦୦ ଟଙ୍କା ଭିତରେ ପଡ଼ିପାରେ ବୋଲି ଆକଳନ କରାଯାଉଛି। ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଦ୍ବାରା ପ୍ରସ୍ତୁତ ନୋଭାମାକ୍ସ ଟିକାର ମୂଲ୍ୟ ୪୮୦ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ତେବେ ପ୍ରତ୍ୟେକ ଟିକାର ଚୂଡ଼ାନ୍ତ ଦର ତାହା ସାର୍ବଜନୀନ ବ୍ୟବହାର ପାଇଁ ଆବଶ୍ୟକ ଅନୁମତି ପାଇଲା ପରେ ହିଁ ଧାର୍ଯ୍ୟ ହେବ ବୋଲି ଜଣାଯାଇଛି।
The post କୋଭିଡ୍ ଟିକା ୪୫୦ରୁ ୫,୫୦୦ ଟଙ୍କା ପଡ଼ିବ first appeared on Sambad.
from କରୋନା – Sambad https://ift.tt/2HVHvg0
0 Comments