
ରାଜ୍ୟ ୬୦ଜଣଙ୍କ ନାମ ସୁପାରିସ୍ କରିଥିଲା
ଜଣେ କୋଭିଡ୍ ଯୋଦ୍ଧାଙ୍କ ପାଇଁ ଅନୁମତି ମିଳିଛି
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ରାଜ୍ୟ ସମସ୍ତଙ୍କୁ ଦେବ
ଆଉଥରେ କେନ୍ଦ୍ରକୁ ଚିଠି ଲେଖିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ସହିଦଙ୍କୁ ଅନୁକମ୍ପା ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବିବାଦ ସୃଷ୍ଟି ହେବାକୁ ଯାଉଛି। ରାଜ୍ୟ ସରକାର ଯେଉଁ ୬୦ଜଣ କୋଭିଡ୍ ଯୋଦ୍ଧାଙ୍କୁ ସହିଦ୍ ବୋଲି ଘୋଷଣା କରି ସହାୟତା ପାଇଁ ସୁପାରିସ କରିଥିଲେ, କେନ୍ଦ୍ର ସେଥିରୁ ମାତ୍ର ଜଣଙ୍କୁ ଅନୁକମ୍ପା ରାଶି ପ୍ରଦାନ ପାଇଁ ହଁ ମାରିଛନ୍ତି। ବାକି ୫୯ଜଣଙ୍କ ସଂପର୍କରେ ନିଷ୍ପତ୍ତିକୁ ଝୁଲାଇ ଦିଆଯାଇଛି। ଏହାକୁ ରାଜ୍ୟ ସରକାର ଗମ୍ଭୀରତା ସହିତ ନେଇଛନ୍ତି। ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ଏ ସଂପର୍କରେ ଆଉଥରେ ଅନୁଧ୍ୟାନ କରିବା ଲାଗି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ପତ୍ର ଲେଖିବେ।
ତେବେ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ପାଦେ ଆଗକୁ ଯାଇ ଆଜି ଏକ ବଡ଼ ଘୋଷଣା କରିଛନ୍ତି। କହିଛନ୍ତି ଯେ କେନ୍ଦ୍ର ସରକାର ନ ଦେଲେ ବି ସହିଦ୍ କୋଭିଡ ଯୋଦ୍ଧାଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ତରଫରୁ ଅନୁକମ୍ପା ସହାୟତା ଯୋଗାଇ ଦିଆଯିବ। ଆଜି ମୁଖ୍ୟମନ୍ତ୍ରୀ ଭିଡିଓ କନ୍ଫରେନ୍ସିଂ ଜରିଆରେ କୋଭିଡ ପରିଚାଳନା ସଂପର୍କରେ ସମୀକ୍ଷା କରିବା ଅବସରରେ ଏଭଳି ସୂଚନା ଦେଇଥିଲେ।
ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ସହିଦ ଯୋଦ୍ଧାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିଲେ। ଓଡ଼ିଶାରେ ଏବେ ସୁଦ୍ଧା ୬୩ ଜଣ କୋଭିଡ୍ ଯୋଦ୍ଧା ପ୍ରାଣ ହରାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ସହାୟତା ଆବେଦନ କରିନାହାନ୍ତି ଓ ଅନ୍ୟ ଦୁଇଜଣଙ୍କର କେହି ସଂପର୍କୀୟ ନାହାନ୍ତି। ଏଭଳି ପରିପ୍ରେକ୍ଷୀରେ ରାଜ୍ୟ ସରକାର କୋଭିଡ ନିୟନ୍ତ୍ରଣ ପାଇଁ କାର୍ଯ୍ୟ କରୁଥିବା ସମୟରେ ସହିଦ୍ ହୋଇଥିବା ୬୦ ଜଣ ଯୋଦ୍ଧାଙ୍କର ନାମ ତାଲିକା ଭାରତ ସରକାରଙ୍କ ନିକଟକୁ ପଠାଇଥିଲେ। କିନ୍ତୁ ଭାରତ ସରକାର ମାତ୍ର ଜଣେ ସହିଦ୍ଙ୍କୁ ସହାୟତା ଦେବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି। କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତିରେ ରାଜ୍ୟ ସରକାର ଚକିତ ହୋଇଛନ୍ତି। ଏ ସଂପର୍କରେ ରାଜ୍ୟ ସରକାର ପୁଣିଥରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଅନୁକମ୍ପା ସହାୟତା ପ୍ରଦାନ କରିବେ। ରାଜ୍ୟ ସରକାରଙ୍କ ନିୟମ ଅନୁସାରେ, ୬୦ଜଣଙ୍କ ମଧ୍ୟରୁ ୪୨ ଜଣ କୋଭିଡ୍ ଯୋଦ୍ଧାଙ୍କ ପରିବାର ଆର୍ଥିକ ସହାୟତା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି। ଏବେ ମୁଖ୍ୟମନ୍ତ୍ରୀ କରିଥିବା ଘୋଷଣା ଅନୁସାରେ ସମସ୍ତ ୬୦ ଜଣ ପାଇବେ କିମ୍ବା ୪୨ଜଣଙ୍କୁ ଦିଆଯିବ, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ।
ଅନ୍ୟପଟରେ ଆଜି ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବର୍ତ୍ତମାନ କୋଭିଡ ପ୍ରୋଟୋକଲ୍କୁ ଅଧିକ ବ୍ୟବସ୍ଥିତ କରାଯାଇଛି। କୋଭିଡରୁ ସୁସ୍ଥ ହେଉଥିବା ଲୋକଙ୍କର ସ୍ବାସ୍ଥ୍ୟର ଗୁଣାତ୍ମକ ଉନ୍ନତି ଉପରେ ସରକାର ଗୁରୁତ୍ବ ଦେଉଛନ୍ତି। ଏ ଦିଗରେ ସ୍ବତନ୍ତ୍ର ଧ୍ୟାନ ଦେବାର ଆବଶ୍ୟକତା ରହିଛନ୍ତି। ସେହିଭଳି ରାଜ୍ୟରେ ବର୍ତ୍ତମାନ ୭୮ ପ୍ରତିଶତ ଲୋକ ଗୃହ ସଂଗରୋଧରେ ଅଛନ୍ତି। ତେଣୁ ଗୃହ ସଂଗରୋଧରେ ଥିବା ରୋଗୀ ଏବଂ କୋଭିଡ ହସ୍ପିଟାଲରେ ରହିଥିବା ରୋଗୀ ମାନଙ୍କ ସହିତ ବରିଷ୍ଠ ଅଧିକାରୀମାନେ ସିଧାସଳଖ ଯୋଗାଯୋଗ କରି ସେମାନଙ୍କ ଭଲମନ୍ଦ ପଚାରି ବୁଝିବା ପାଇଁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ଆଣ୍ଟି ଭାଇରାଲ ଔଷଧ ସଂପର୍କରେ ବ୍ୟାପକ ସଚେତନତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି।
ଏହି ଅବସରରେ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷରୁ ଅଧିକ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ। ଜାତୀୟ ଆରୋଗ୍ୟ ହାର ୮୫ ପ୍ରତିଶତ ଥିବାବେଳେ ରାଜ୍ୟରେ ଆରୋଗ୍ୟ ହାର ୮୯ ପ୍ରତିଶତ ପହଞ୍ଚିଛି ବୋଲି ଅଧିକାରୀମାନେ କହିଥିଲେ। ରାଜ୍ୟରେ ଗତ ୮ ମାସ ଭିତରେ ୩୬ ଲକ୍ଷ ଟେଷ୍ଟ କରାଯାଇଥିବା ବେଳେ ତନ୍ମଧ୍ୟରୁ ୬.୭୫ ପ୍ରତିଶତ ପଜିଟିଭ କେସ୍ ବାହାରିଛି। ଆଗକୁ ପୂଜା ଋତୁ ଆସୁଥିବାରୁ ଅଧିକ ସତର୍କ ରହିବା ସହିତ କୋଭିଡ ନିୟମାବଳୀକୁ କଡ଼ାକଡ଼ି ଭାବରେ ପାଳନ କରିବାକୁ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ।
କୋଭିଡ୍ ପରିଚାଳନା ସଂପର୍କରେ ବିସ୍ତୃତ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଗୃହ ସଂଗରୋଧରେ ଥିବା ରୋଗୀ ମାନଙ୍କର ତଦାରଖ ବ୍ୟବସ୍ଥାକୁ ଅଧିକ ସୁଦୃଢ କରାଯିବ। କଟକ, ପୁରୀ ଓ ଭୁବନେଶ୍ବରରେ ଏକ ଲକ୍ଷ ଆଣ୍ଟି ଭାଇରାଲ ମେଡିସିନ୍ ଦିଆଯାଇଛି ଏବଂ ଡାକ୍ତରଙ୍କ ତତ୍ତ୍ବାବଧାନରେ ଏହା ରୋଗୀଙ୍କୁ ଦିଆଯିବ।
ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର କହିଥିଲେ ଯେ ରାଜ୍ୟରେ ମୃତ୍ୟୁ ହାର ୦.୪ ପ୍ରତିଶତ ରହିଛି ଯାହାକି ଭାରତର ସବୁ ବଡ ରାଜ୍ୟ ମାନଙ୍କ ମଧ୍ୟରେ ସର୍ବୋତ୍ତମ ସୂଚକାଙ୍କ। ସେହିପରି ସୁସ୍ଥତା ହାରରେ ମଧ୍ୟ ଓଡିଶା ଦେଶର ରାଜ୍ୟ ମାନଙ୍କ ମଧ୍ୟରେ ଷଷ୍ଠ ସ୍ଥାନରେ ରହିଛି। ସେ କହିଥିଲେ ଯେ ରାଜ୍ୟରେ ଆଇସିୟୁ, ହସ୍ପିଟାଲ ଶଯ୍ୟା ଆଦି ବ୍ୟବସ୍ଥା ଲୋକଙ୍କ ଆବଶ୍ୟକତା ପୂରଣ ପାଇଁ ଯଥେଷ୍ଟ ଅଛି। କଟକ-ଭୁବନେଶ୍ବରର ପାଇଁ ଅଧିକ ବ୍ୟବସ୍ଥା କରାଯାଉଛି।
ପୁଲିସ ମହାନିର୍ଦ୍ଦେଶକ ଅଭୟ କହିଥିଲେ ଯେ ବର୍ତ୍ତମାନ ପୁଲିସ କର୍ମଚାରୀମାନଙ୍କ ଦ୍ବାରା ପ୍ଲାଜମା ଦାନ ଅଧିକ ପରିମାଣରେ କରାଯାଉଛି ଏବଂ ପୁଲିସ କର୍ମଚାରୀଙ୍କ ମଧ୍ୟରେ ସଂକ୍ରମଣ ମଧ୍ୟ କମୁଛି। ସୂଚନା ଓ ଲୋକସଂପର୍କ ବିଭାଗ ସଚିବ ସଂଜୟ ସିଂହ କହିଲେ ଯେ ତାଙ୍କ ବିଭାଗ ଓ ସ୍ବାସ୍ଥ୍ୟ ବିଭାଗ ମିଳିତ ଭାବରେ ଗୃହ ସଂଗରୋଧ ଏବଂ ଆଣ୍ଟି ଭାଇରାଲ ଡ୍ରଗ୍ ଥେରାପି ପାଇଁ ଏକ ସ୍ବତନ୍ତ୍ର ପ୍ରଚାର ଅଭିଯାନ କରିଛନ୍ତି।
ଏହି ବୈଠକରେ ଉନ୍ନୟନ କମିସନର ସୁରେଶ ମହାପାତ୍ର, ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ ।
from କରୋନା – Sambad https://ift.tt/3nrNp8B
0 Comments