
ବାଲିଅନ୍ତା : ବାଳକାଟି ପ୍ରତାପଶାସନ ପଞ୍ଚାୟତରେ କରୋନା ପୁଣି ଜଣେ ବ୍ୟକ୍ତିଙ୍କ ପ୍ରାଣ ନେଇଛି। ଆଜି ସକାଳେ କରୋନା ଚିହ୍ନଟ ଜଣେ ୬୦ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଏହି ପଞ୍ଚାୟତରୁ କରୋନାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଗତକାଲି ରାତିରେ ଉକ୍ତ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲେ ମଧ୍ୟ ଆଜି ପ୍ରଶାସନ ସହାୟତାରେ ଶବଦାହ କରାଯାଇଛି।
ଏହି ମୃତ୍ୟୁ ଖବର ପାଇ ଆଜି ପୂର୍ବାହ୍ନରେ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ମେଡିକାଲ ଟିମ୍ ଗ୍ରାମରେ ପହଞ୍ଚିଥିଲେ। ଶବ ସତ୍କାର ନେଇ ସତର୍କତାମୂଳକ ଭାବେ ମୃତଦେହକୁ ପଲିଥିନ କିଟ୍ରେ ଗୁଡ଼ାଇ ନେବା ପାଇଁ ପରିବାର ଲୋକଙ୍କୁ ପରାମର୍ଶ ଦେଇଥିଲେ। ଶ୍ମଶାନକୁ ଶବ ଦାହ କରିବାକୁ ଯାଇଥିବା ଲୋକଙ୍କୁ ସଂକ୍ରମଣ ନହେବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ମାସ୍କ, ସାନିଟାଇଜର ଓ ଗ୍ଲୋବ୍ସ ଦିଆଯାଇଥିଲା। ସୂଚନାନୁସାରେ ଦିନ ମଜୁରିଆ ଭାବେ କାମ କରୁଥିବା ଏହି ବ୍ୟକ୍ତି ୪ ଦିନ ହେଲା ଥଣ୍ଡା, କାଶ ଓ ଜ୍ବରରେ ପୀଡ଼ିତ ଥିଲେ। ବଜାରରୁ ଔଷଧ କିଣି ଖାଇଥିଲେ ହେଁ ସ୍ବାବ୍ ପରୀକ୍ଷା କରାଇନଥିଲେ। ଗତକାଲି ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିବାରୁ ପରିବାର ଲୋକ ତାଙ୍କୁ ଅପରାହ୍ନରେ ସାମନ୍ତରାପୁରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ସେଠାରେ ତାଙ୍କ ସ୍ବାବ୍ ପରୀକ୍ଷା କରାଯିବା ପରେ ସେ କୋଭିଡ୍ ପଜିଟିଭ୍ ବୋଲି ଜଣାପଡ଼ିଥିଲା। ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ଗତ ୨୪ ତାରିଖ ଦିନ ଉକ୍ତ ପଞ୍ଚାୟତ ଅଞ୍ଚଳରେ ଜଣେ ଶିଶୁଙ୍କ ସମେତ ଜଣେ ୫୫ ବର୍ଷୀୟ ପଜିଟିଭ ଚିହ୍ନଟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା।
from କରୋନା – Sambad https://ift.tt/3hwbat2
0 Comments