
ଭୁବନେଶ୍ୱର : ଆଇଆର୍ସି ଭିଲେଜର ଏକ ଘରୁ ଗତ ତିନି ଦିନ ମଧ୍ୟରେ ୫ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଠାରେ ଆକ୍ରାନ୍ତମାନେ ଘରେ ରହି ଚିକିତ୍ସିତ ହେଉଥିବାରୁ ଘରେ ହୋମ୍ ଆଇସୋଲେସନ୍ ଷ୍ଟିକର୍ ବି ଲାଗିଛି। ନିୟମ ଅନୁଯାୟୀ, ଏହି ଘରୁ କେହି ବାହାରକୁ ବାହାରିବେନି କି ବାହାର ଲୋକ ଘରକୁ ଯିବେନି। ସେହିପରି ଏହି ଘରର ବାକି ୮ଜଣ ସଦସ୍ୟ ସଙ୍ଗରୋଧରେ ଅଛନ୍ତି। ଏନେଇ ସଙ୍ଗରୋଧ ଷ୍ଟିକର ବି ଲାଗିଛି। କିନ୍ତୁ ଉକ୍ତ ପରିବାରର ଲୋକମାନେ ସଙ୍ଗରୋଧ ନିୟମ ଏବଂ ହୋମ୍ ଆଇସୋଲେସନ୍ ନିୟମ ଭାଙ୍ଗି ବାହାରକୁ ଆସୁଛନ୍ତି। ଫଳରେ ଏନ୍-୩ ଅଞ୍ଚଳରେ ଏବେ ବାସିନ୍ଦାମାନେ ଆତଙ୍କିତ ହୋଇଯାଇଛନ୍ତି।
ଆକ୍ରାନ୍ତ ବାହାରିଥିବା ପରିବାରଲୋକଙ୍କୁ ବାହାରକୁ ନ ଆସିବାକୁ ସ୍ଥାନୀୟ ବାସିନ୍ଦା କହୁଥିଲେ ହେଁ କେହି ଶୁଣୁନାହାନ୍ତି। ଏପରିକି ସ୍ଥାନୀୟ ବାସିନ୍ଦା ବିଏମ୍ସି ନିକଟରେ ଅଭିଯୋଗ କରୁଥିଲେ ବି କେହି କିଛି ପଦକ୍ଷେପ ନେଉନାହାନ୍ତି। ତେଣୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଲାଣି। ଗୋଟିଏ ଘରୁ ୫ଜଣ ଆକ୍ରାନ୍ତ ବାହାରିଥିଲେ ବି ବିଏମ୍ସି ପକ୍ଷରୁ ଏହି ଘର କି ଏହା ନିକଟବର୍ତ୍ତୀ ଅଞ୍ଚଳକୁ ବିଶୋଧନ କରାଯାଇନି। ଏଠାରେ ଗ୍ୟାସ୍ ପାଇପ ଲାଇନ୍ ବିଛା ଚାଲିଥିବା ବେଳେ ବହୁ ଶ୍ରମିକ ଏଠାରେ କାମ କରୁଛନ୍ତି। ଏହି ଘର ସମ୍ମୁଖରେ ବସାଉଠା କରୁଛନ୍ତି। ବିଏମ୍ସି କର୍ତ୍ତୃପକ୍ଷ ଏହା ଜାଣି ବି ପଦକ୍ଷେପ ନନେବା ସମସ୍ତଙ୍କୁ ଚକିତ କରିଛି। ସେହିଭଳି ଉକ୍ତ ଅଞ୍ଚଳରେ ବହୁ ଦୁଗ୍ଧ ବ୍ୟବସାୟୀ ରହୁଛନ୍ତି। ତେଣୁ କ୍ଷୀର ଆଣିବା ପାଇଁ ପ୍ରତିଦିନ ଉକ୍ତ ଅଞ୍ଚଳକୁ ବହୁ ଲୋକ ଆସୁଛନ୍ତି। ନୂଆପଲ୍ଲୀ ଅଞ୍ଚଳର ବହୁ ଲୋକ ଏଠାକୁ ଆସୁଥିବାରୁ ବିଏମ୍ସି ଅବହେଳାରୁ ବହୁ ଲୋକ କରୋନା ଆକ୍ରାନ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଅପରପକ୍ଷେ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ଯେ ବିଏମ୍ସି କର୍ତ୍ତୃପକ୍ଷ ଉକ୍ତ ଅଞ୍ଚଳକୁ ସିଲ୍ କରନ୍ତୁ ନଚେତ୍ କିଛି କଠୋର ପଦକ୍ଷେପ ନିଅନ୍ତୁ।
from କରୋନା – Sambad https://ift.tt/3a9un0J
0 Comments