
ଭୁବନେଶ୍ୱର : ବିଏମ୍ସି ରିପୋର୍ଟରେ ପଜିଟିଭ୍। ଘରୋଇ ହସ୍ପିଟାଲ ପରୀକ୍ଷା ରିପୋର୍ଟରେ ନେଗେଟିଭ୍। ଏଭଳି ଏକ ବିଚିତ୍ର ଘଟଣା ପୁଣି ନଜରକୁ ଆସିଛି। ଏହାକୁ ନେଇ ସମ୍ପୃକ୍ତ ବ୍ୟକ୍ତିଦ୍ବୟ ଚିକିତ୍ସା ପାଇଁ କୋଭିଡ୍ ହସ୍ପିଟାଲକୁ ଯିବେ ନା ନିଜକୁ ନେଗେଟିଭ୍ ଭାବି ସ୍ବାଭାବିକ ଭାବେ ଘରେ ରହିବେ, ସେନେଇ ଦ୍ବନ୍ଦ୍ବରେ ରହିଛନ୍ତି।
ସୂଚନା ମୁତାବକ, କପିଳେଶ୍ବର ଗ୍ରାମର କଞ୍ଚସାହିରେ ବିଏମ୍ସି ପକ୍ଷରୁ କରୋନା ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଗତକାଲି ୨୧ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଥିବା କୁହାଯାଇଥିଲା। ସନ୍ଦେହ ହେବାରୁ ସେମାନଙ୍କ ମଧ୍ୟରୁ ୨ଜଣ ଗତକାଲି ପୁନର୍ବାର ଏକ ଘରୋଇ ହସ୍ପିଟାଲରେ ସ୍ବାବ୍ ପରୀକ୍ଷା କରାଇଥିଲେ। ସେମାନଙ୍କର ରିପୋର୍ଟ ନେଗେଟିଭ୍ ଆସିଥିବା ଘରୋଇ ହସ୍ପିଟାଲ ରିପୋର୍ଟରେ ଦର୍ଶାଯାଇଛି। ଅନ୍ୟପଟେ ୨୧ଜଣଙ୍କ ମଧ୍ୟରୁ ଚିକିତ୍ସା ପାଇଁ ୧୦ଜଣ କୋଭିଡ୍ ହସ୍ପିଟାଲକୁ ଯାଇଛନ୍ତି।
ସୂଚନାଯୋଗ୍ୟ, ଶ୍ରୀଲିଙ୍ଗରାଜ ଥାନା ଅଧୀନ କପିଳେଶ୍ବର ମନ୍ଦିର ନିକଟ ଏକ ଗଳିରୁ ଗତକାଲି ୨୧ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଯାହାକୁ ନେଇ ଏହାର ଆଖପାଖ ଅଞ୍ଚଳରେ ଲୋକେ ଭୟଭୀତ ହୋଇଥିଲେ। ତେବେ ବିଏମ୍ସି ପକ୍ଷରୁ ଆଜି ପୁଣି ୨୦ଜଣଙ୍କ ସ୍ବାବ ପରୀକ୍ଷା କରାଯାଇଛି। ଆଜି ଗ୍ରାମର ବିଭିନ୍ନ ଗଳିକନ୍ଦିକୁ ବିଏମ୍ସି ପକ୍ଷରୁ ସାନିଟାଇଜ୍ କରାଯାଇଛି। ପ୍ରକାଶ ଥାଉକି, ପ୍ରଥମେ ଜଣେ ୩୩ବର୍ଷର ଯୁବକଙ୍କୁ ଥଣ୍ଡା ଜ୍ୱର ହେବାରୁ ସେ ଘରେ ରହି ଚିକିତ୍ସିତ ହେଉଥିଲେ। ସନ୍ଦେହ ହେବାରୁ ତାଙ୍କର ସ୍ୱାବ୍ ପରୀକ୍ଷା ହେବାରୁ ପଜିଟିଭ୍ ରିପୋର୍ଟ ଆସଥିଲା। ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କର ଗତ ବୁଧବାର ବିଏମ୍ସି ପକ୍ଷରୁ ପରୀକ୍ଷା କରାଯାଇଥିଲା। ସେଥିରୁ ଗତକାଲି ୨୧ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା।
from କରୋନା – Sambad https://ift.tt/2PAPxLG
0 Comments