ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀଜନିତ ମୃତ୍ୟୁସଂଖ୍ୟା ଆଜି ୫୦ ହଜାର ଅତିକ୍ରମ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ୯୪୧ ଜଣ କରୋନାରେ ପ୍ରାଣ ହରାଇବା ପରେ ତଦଜନିତ ମୃତ୍ୟୁସଂଖ୍ୟା ୫୦୯୨୧ରେ ପହଞ୍ଚିଛି। ତେବେ ଗତ କିଛିଦିନ ହେଲା କରୋନା ସଂକ୍ରମିତଙ୍କ ସଂଖ୍ୟା ୬୦ ହଜାରରୁ ଅଧିକ ରହୁଥିବାବେଳେ ଆଜି ତାହା ଅପେକ୍ଷାକୃତ ଭାବେ କମ୍ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୫୭,୯୮୧ ଜଣ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ଆଜି ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୬ ଲକ୍ଷ ଅତିକ୍ରମ କରି ୨୬,୪୭,୬୬୩ରେ ପହଞ୍ଚିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାଯାଇଛି।

ଅନ୍ୟପକ୍ଷରେ କରୋନାଜନିତ ଆରୋଗ୍ୟ ହାର ୭୨.୫୧ ପ୍ରତିଶତକୁ ବୃଦ୍ଧି ପାଇଛି। ଫଳରେ ଦେଶରେ ଏପର୍ଯ୍ୟନ୍ତ କରୋନାରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୯,୧୯,୮୪୨ରେ ପହଞ୍ଚିଛି ବୋଲି ଆଜି ସକାଳ ୮ଟାରେ ସ୍ବାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟରେ ଦର୍ଶାଯାଇଛି। ଗୁରୁତ୍ବପୂର୍ଣ୍ଣ କଥାହେ‌ଲା ଦେଶରେ କୋଭିଡ-୧୯ ପରୀକ୍ଷା ୩ କୋଟି ଟପିଛି ବୋଲି ଆଇସିଏମଆର ପକ୍ଷରୁ କୁହାଯାଇଛି। ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ଦେଶରେ ୩ କୋଟି ୪୧ ହଜାର ୪୦୦ ନମୁନା ପରୀକ୍ଷା ହୋଇଥିବାବେଳେ ରବିବାର ଦିନ ୭,୩୧,୬୯୭ଟି ନମୁନା ପରୀକ୍ଷା ହୋଇଛି। ଦେଶରେ ଏବେ କରୋନା ମୃତ୍ୟୁ ହାର ୧.୯୨ ପ୍ରତିଶତକୁ ହ୍ରାସ ପାଇଛି। ୨୬,୪୭,୬୬୩ ଜଣ ଏପର୍ଯ୍ୟନ୍ତ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ଏବେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୬,୭୬,୯୦୦ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ୯୪୧ ଜଣ ମୃତ୍ୟୁବରଣ କରିଛନ୍ତି। ଏହି ତଥ୍ୟକୁ ବିଶ୍ଳେଷଣ କରି କୁହାଯାଇଛି ଗତ ୨୪ ଘଣ୍ଟା ମଧ୍ୟରେ ପ୍ରତି ୩ ମିନିଟରେ ୨ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି।



from କରୋନା – Sambad https://ift.tt/2YadFt7