
ନୂଆଦିଲ୍ଲୀ: ମହାମାରୀ କୋଭିଡ୍-୧୯ ବିରୋଧରେ ସମ୍ମୁଖ ଯୁଦ୍ଧ ଚଳାଇଥିବା ସ୍ବାସ୍ଥ୍ୟ କର୍ମୀଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨୭୩ ଜଣ ଡାକ୍ତର ଆଖି ବୁଜି ସାରିଲେଣି। ଏପରିକି ଏଥିରେ ବେସରକାରୀ ଡାକ୍ତରଙ୍କୁ ସାମିଲ କରାଯାଇନି। ମାତ୍ର ପରିତାପର ବିଷୟ, ପରଲୋକଗତ ଡାକ୍ତରଙ୍କ ନିକଟ ସମ୍ପର୍କୀୟଙ୍କୁ ଏଯାଏ କେନ୍ଦ୍ର ସରକାରଙ୍କ ଦ୍ବାରା ଘୋଷିତ କୋଭିଡ୍ ଅନୁକମ୍ପାମୂଳକ ସହାୟତା ମିଳିପାରିନି। ଏ ବାବଦରେ ପ୍ରଧାନମନ୍ତ୍ରୀଙ୍କୁ ଦୁଇ ସପ୍ତାହ ତଳେ ଚିଠି ଲେଖାଯାଇଥିଲେ ବି ସରକାରଙ୍କ ପ୍ରତିକ୍ରିୟା ଶୂନ ରହିଛି ବୋଲି ଭାରତୀୟ ଭେଷଜ ସଂଘ(ଆଇଏମ୍ଏ) ମହାସଚିବ ଡା. ଆର୍.ଭି. ଅଶୋକନ୍ ଅଭିଯୋଗ ଆଣିଛନ୍ତି।
ସୂଚନା ଥାଉ କି, କୋଭିଡ୍ ଚିକିତ୍ସାରେ କାର୍ଯ୍ୟରତ ଥାଇ କୌଣସି ସରକାରୀ ଡାକ୍ତରଙ୍କର ଏଥି ପାଇଁ ମୃତ୍ୟୁ ଘଟିଲେ କେନ୍ଦ୍ର ସରକାର ସେମାନଙ୍କ ନିକଟ ସମ୍ପର୍କୀୟଙ୍କୁ ୫୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଯୋଗାଇଦେବେ ବୋଲି ଘୋଷଣା କରିଛନ୍ତି। ତେବେ ଏହି ବ୍ୟବସ୍ଥା ବେସରକାରୀ ଡାକ୍ତରଙ୍କ ପାଇଁ ମଧ୍ୟ ଲାଗୁ କରିବା ପାଇଁ ଡା. ଅଶୋକନ୍ ଦାବି କରିଛନ୍ତି। ମହାମାରୀ କୋଭିଡ୍ ଯେହେତୁ ସରକାରୀ ବେସରକାରୀ ମଧ୍ୟରେ ବାଛବିଚାର ରଖେନାହିଁ, କ୍ଷତିପୂରଣ ଓ ସହାୟତାରେ ମଧ୍ୟ ଅନୁରୂପ ସମାନତା ବଜାୟ ରଖିବା ଉଚିତ ବୋଲି ସେ କହିଛନ୍ତି। ଗତ ୮ ତାରିଖରେ ସେ ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଯେତେବେଳେ ଡାକ୍ତରଙ୍କ ମୃତ୍ୟୁସଂଖ୍ୟା ୧୯୬ ଥିଲା। ଏବେ ତାହା ୨୭୩ରେ ପହଞ୍ଚିଥିବା ବେଳେ ଅଦ୍ୟାବଧି ସରକାରଙ୍କ ତରଫରୁ କୌଣସି ଉତ୍ତର ଆସିନାହିଁ ବୋଲି ସେ କହିଛନ୍ତି।
from କରୋନା – Sambad https://ift.tt/3gFdSLD
0 Comments