
ନୂଆଦିଲ୍ଲୀ : ଦେଶରେ କୋଭିଡ୍ ସଂକ୍ରମଣ ଉଦ୍ବେଗଜନକ ଭାବେ ବଢ଼ୁଥିବାରୁ ଶନିବାର ଦିନ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କ ପାଇଁ କେତେକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ରାଜ୍ୟମାନେ ଅସ୍ଥାୟୀ ହସ୍ପିଟାଲ ପ୍ରତିଷ୍ଠା କରିବା ସହ ସ୍ବତନ୍ତ୍ର ଟିମ୍ ଗଠନ କରିବାପାଇଁ କେନ୍ଦ୍ର ସରକାର କହିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଶନିବାର ଦିନ ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ସଚିବମାନଙ୍କ ପାଖକୁ ଏନେଇ ଚିଠି ଲେଖିଛନ୍ତି। ଅସ୍ଥାୟୀ ହସ୍ପିଟାଲ୍ ପ୍ରତିଷ୍ଠା କରିବା ପାଇଁ ଏଥିରେ କୁହାଯାଇଛି। ହୋମ୍ ଆଇସୋଲେସନ୍ରେ ରହୁଥିବା ରୋଗୀଙ୍କୁ ଯାଞ୍ଚ କରିବାପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ରହିଛି। ରୋଗୀଙ୍କ ନମୁନା ଯାଞ୍ଚ ପାଇଁ ୨୪ ଘଣ୍ଟିଆ ବୁଥ୍ ଖୋଲାଯିବା ଉପରେ କେନ୍ଦ୍ର ସରକାର ଗୁରୁତ୍ବାରୋପ କରିଛନ୍ତି। ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ ସୁନିଶ୍ଚିତ କରିବା ସହ ସଂକ୍ରମଣ ବଢ଼ିଲେ ଏହାର ଯେଭଳି ସଫଳ ମୁକାବିଲା କରିହେବ ସେହି ଆଧାରରେ ପ୍ରସ୍ତୁତ ରହିବାକୁ ମୁଖ୍ୟ ସଚିବମାନଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ପତ୍ର ଲେଖିଛନ୍ତି।
ଅସ୍ଥାୟୀ ହସ୍ପିଟାଲ ନିର୍ମାଣ ପ୍ରକ୍ରିୟାକୁ ପ୍ରାଥମିକତା ଦେଇ ରାଜେଶ ଭୂଷଣ କହିଛନ୍ତି ଯେ ଅଚାନକ ସଂକ୍ରମଣ ଭୟାନକ ରୂପ ନେଲେ ଏହାର ମୁକାବିଲା ପାଇଁ ଜରୁରୀ ସ୍ବାସ୍ଥ୍ୟସେବା ଉପଲବ୍ଧ କରାଇହେବ ଏବଂ ଅସ୍ଥାୟୀ ହସ୍ପିଟାଲଗୁଡ଼ିକ ସ୍ବାସ୍ଥ୍ୟସେବା ଭିତ୍ତିଭୂମିକୁ ସୁଦୃଢ଼ କରିବ। ଏହାଦ୍ବାରା ହୋମ୍ ଆଇସୋଲେସନ ମାମଲାର ସଠିକ୍ ଫଲୋଅପ୍ ମଧ୍ୟ ହୋଇପାରିବ ବୋଲି ସେ କହିଛନ୍ତି। ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ଉପାୟ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟମାନେ ପ୍ରସ୍ତୁତ ଥିଲେ ହିଁ ମହାମାରୀର ବିପଜ୍ଜନକ ସମୟରେ ସଠିକ୍ ମୁକାବିଲା କରିହେବ। ଏହା ସହିତ ସମସ୍ତ ରାଜ୍ୟ କ୍ବାରାଣ୍ଟିନ୍ ସୁବିଧାକୁ ବଢ଼ାଇବା ପାଇଁ ମଧ୍ୟ ପଦକ୍ଷେପ ନେବାକୁ ସ୍ବାସ୍ଥ୍ୟ ସଚିବ କହିଛନ୍ତି। ରାଜ୍ୟମାନେ ସେମାନଙ୍କ କୋଭିଡ୍ ନିୟନ୍ତ୍ରଣ କକ୍ଷ କିଭଳି କାମ କରୁଛି ସେ ଦିଗରେ ଲଗାତାର ନଜର ରଖିବା ସହ ତାହାକୁ ଅଧିକ କ୍ରିୟାଶୀଳ କରିବା ପାଇଁ କେନ୍ଦ୍ର ସରକାର ଗୁରୁତ୍ବାରୋପ କରିଛନ୍ତି।
The post ଦେଶରେ ହୁ ହୁ ହୋଇ ବଢ଼ୁଛି କୋଭିଡ୍ ସଂକ୍ରମଣ, ଅସ୍ଥାୟୀ ହସ୍ପିଟାଲ ତିଆରି କରିବାକୁ ରାଜ୍ୟମାନଙ୍କୁ କେନ୍ଦ୍ରର ନିର୍ଦ୍ଦେଶ first appeared on Sambad.from କରୋନା | Sambad https://ift.tt/3Hrz6dE
0 Comments