ନୂଆଦିଲ୍ଲୀ: ଦେଶରେ କୋଭିଡ୍-୧୯ ସଂକ୍ରମଣର ୩ୟ ଲହର୍ ଆରମ୍ଭ ହେଉଥିବା ବେଳେ ଦିଲ୍ଲୀରେ ୫ମ ଲହର୍ ଆରମ୍ଭ ହୋଇଯାଇଛି। ଆଜି ପ୍ରାୟ ୧୦,୦୦୦ ସଂକ୍ରମଣ ରିପୋର୍ଟ ହୋଇପାରେ ବୋଲି ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜାତୀୟ ରାଜଧାନୀରେ ଦୈନିକ ପଜିଟିଭ୍ ହାର ୧୦% ନିକଟବର୍ତ୍ତୀ ହୋଇପାରେ।
କୋଭିଡ୍-୧୯ ନମୁନାର ‘ଜିନୋମ୍ ସିକ୍ବେନ୍ସିଙ୍ଗ୍’ ପ୍ରସଙ୍ଗରେ କହିବା ବେଳେ ଜୈନ୍ କହିଲେ ଯେ, ସମ୍ପ୍ରତି ସବୁ ନମୁନାଗୁଡ଼ିକର ‘ଜିନୋମ୍ ସିକ୍ବେନ୍ସିଙ୍ଗ୍’ କରିବା ସମ୍ଭବପର ନୁହେଁ। ମାତ୍ର ୩୦୦-୪୦୦ ନମୁନାର ‘ଜିନୋମ୍ ସିକ୍ବେନ୍ସିଙ୍ଗ୍’ କରାଯାଉଛି।
ଏବେ କୋଭିଡ୍-୧୯ ପରୀକ୍ଷା ବୃଦ୍ଧି ପାଇଛି ଏବଂ ମଙ୍ଗଳବାର ଦିନ ପ୍ରାୟ ୯୦,୦୦୦ ପରୀକ୍ଷା କରାଯାଇଥିଲା। ପୂର୍ବରୁ ୧୦% ସଂରକ୍ଷିତ ଥିବା କୋଭିଡ୍-୧୯ ଆକ୍ରାନ୍ତଙ୍କ ପାଇଁ ଶଯ୍ୟା ପରିମାଣ ୪୦% ବୃଦ୍ଧି କରିବାକୁ ଦିଲ୍ଲୀ ସରକାର ଘରୋଇ ଡାକ୍ତରଖାନାଗୁଡ଼ିକୁ ନିର୍ଦେଶ ଦେଇଛନ୍ତି। ସରକାରୀ ଡାକ୍ତରଖାନାଗୁଡ଼ିକରେ ପାଖାପାଖି ୨% ଶଯ୍ୟା ଅଧିକୃତ ହୋଇସାରିଛି। ଦେଶରେ କରୋନାଭାଇରସ୍ ସଂକ୍ରମଣର ତୃତୀୟ ଲହର୍ ଅନୁଭୂତ ହେଉଥିବା ବେଳେ ଦିଲ୍ଲୀରେ ୫ମ ଲହର୍ ଚାଲିଛି ବୋଲି ମଧ୍ୟ ସେ କହିଛନ୍ତି।
କୋଭିଡ୍-ସୁରକ୍ଷା ନିୟମ ମାନିବା ପାଇଁ ସେ ଦିଲ୍ଲୀବାସୀଙ୍କୁ ଅନୁରୋଧ କରିବା ସହ ସୁରକ୍ଷାରେ ଢିଲା ନ କରିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଦେଶବ୍ୟାପୀ ଦ୍ରୁତ ବେଗରେ କୋଭିଡ୍ ବ୍ୟାପୀ ଚାଲିଛି। କୋଭିଡ୍ ରୋଗୀମାନଙ୍କ ମଧ୍ୟରୁ ଅଳ୍ପ କେତେକଙ୍କ ମଧ୍ୟରେ ଲକ୍ଷଣ ପରିପ୍ରକାଶ ଘଟୁଛି। ତାହା ପୁଣି ଅତି ସାମାନ୍ୟ। କିନ୍ତୁ, କୋଭିଡ୍ ନିୟମାବଳୀ ମାନନ୍ତୁ। ଡରିବା ଅନାବଶ୍ୟକ।
ମଙ୍ଗଳବାର ଦିନ କୋଭିଡ୍-୧୯ ପଜିଟିଭ୍ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ଙ୍କ ଅବସ୍ଥା ପ୍ରସଙ୍ଗରେ ସେ କହିଛନ୍ତି ଯେ, ଏବେ ସେ ଭଲ ଅଛନ୍ତି। କିନ୍ତୁ, ଏକାନ୍ତବାସ କରୁଛନ୍ତି।
The post ଦିଲ୍ଲୀରେ ଆରମ୍ଭ ହୋଇଛି କୋଭିଡ୍-୧୯ର ୫ମ ଲହର୍; ଆଜି ନୂଆ ସଂକ୍ରମଣ ମାମଲା ୧୦,୦୦୦ ହୋଇପାରେ: ସତ୍ୟେନ୍ଦ୍ର ଜୈନ୍ first appeared on Sambad.from କରୋନା | Sambad https://ift.tt/3JKEVEY
0 Comments