
ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀରେ କୋଭିଡ୍-୧୯ ସଂକ୍ରମଣ ମାମଲା ବୃଦ୍ଧି ପାଉଥିଲେ ବି ଭୟଭୀତ ନ ହେବାକୁ ଆଜି ଦିଲ୍ଲୀବାସୀଙ୍କୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ କହିଛନ୍ତି।
ଆଜି ମଧ୍ୟହ୍ନ ୧୨ଟାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ‘ଆମ୍ ଆଦ୍ମି ପାର୍ଟି’ର ମୁଖ୍ୟ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ କହିଛନ୍ତି, କୋଭିଡ୍-୧୯ ସଂକ୍ରମିତ ରୋଗୀମାନେ ଅତି ସାମାନ୍ୟ ଆକ୍ରାନ୍ତ ହୋଇଥିବାରୁ ଡାକ୍ତରଖାନା ଯିବାକୁ ପଡୁନାହିଁ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦ୍ବିତୀୟ ଲହର୍ ବେଳେ ଜାତୀୟ ରାଜଧାନୀରେ ଯେଭଳି ଦ୍ରୁତ ବେଗରେ ଅକ୍ସିଜେନ୍ ବେଡ୍ ଭରି ଯାଉଥିଲା ଏଥର ସେଭଳି ପରିସ୍ଥିତି ଆସିନାହିଁ।
ଏଯାବତ୍ ଡାକ୍ତରଖାନାରେ ମାତ୍ର ୮୨ଟି ଅକ୍ସିଜେନ୍ ବେଡ୍ରେ ଆକ୍ରାନ୍ତମାନେ ଅଛନ୍ତି। ଦିଲ୍ଲୀ ସରକାର ୩୭୦୦୦ ବେଡ୍ ପ୍ରସ୍ତୁତ କରିଛନ୍ତି। ମୁଁ ଆପଣମାନଙ୍କୁ ଖାଲି କହିଦେବାକୁ ଚାହେଁ ଯେ, ନୂଆ ମାମଲାରେ ସାମାନ୍ୟ ସଂକ୍ରମଣ ଦେଖା ଦେଉଛି ଏବଂ ଆକ୍ରାନ୍ତମାନଙ୍କ ଠାରେ କୌଣସି ଲକ୍ଷଣ ପରିଲକ୍ଷିତ ହେଉନାହିଁ। ତେଣୁ, ଛାନିଆ ହେବା ଅନାବଶ୍ୟକ।
ଉଲ୍ଲେଖଯୋଗ୍ୟ, ଡିସେମ୍ବର ୨୮ ତାରିଖ ଦିନ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ ‘ୟେଲୋ ଆଲର୍ଟ’ ଜାରି କରିଥିବାରୁ ଦିଲ୍ଲୀରେ ସ୍କୁଲ୍, କଲେଜ, ସିନେମା ଏବଂ ଜିମ୍ ସବୁ ବନ୍ଦ ହୋଇଥିବା ବେଳେ ଅଣଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ କରୁଥିବା ଦୋକାନଗୁଡ଼ିକ ଯୁଗ୍ମ-ଅଯୁଗ୍ମ ଭିତ୍ତିରେ ଖୋଲୁଛି। ଆସନ ସଂଖ୍ୟାର ୫୦% ଯାତ୍ରୀ ନେଇ ସହରରେ ମେଟ୍ରୋ ଟ୍ରେନ୍ ଏବଂ ବସ୍ ଯାତାୟାତ କରୁଛି।
The post ଦିଲ୍ଲୀରେ କୋଭିଡ୍-୧୯ ସଂକ୍ରମଣ ବଢୁଛି, କିନ୍ତୁ ଭୟ କରିବା ଅନାବଶ୍ୟକ; ଡାକ୍ତରଖାନା ଭର୍ତ୍ତି ଖୁବ୍ କମ୍: ଅରବିନ୍ଦ କେଜ୍ରିୱାଲ୍ first appeared on Sambad.from କରୋନା | Sambad https://ift.tt/3JxHA4K
0 Comments