ଶିଶୁମାନଙ୍କ ପ୍ରତି ଓମିକ୍ରନ୍ ଅଧିକ ବିପଜ୍ଜନକ କି?

କେପ୍ ଟାଉନ୍ : ଦକ୍ଷିଣ ଆଫ୍ରିକାର ଏକ ଓମିକ୍ରନ୍ ସଂକ୍ରମିତ ଅଞ୍ଚଳରେ ୨ ବର୍ଷରୁ କମ୍ ବୟସର ପିଲା ଅଧିକ ସଂଖ୍ୟାରେ ଡାକ୍ତରଖାନାରେ ଭର୍ତ୍ତି ହେବା ଦେଖାଯାଇଛି। ଏଥିରୁ ପିଲାଙ୍କ ପ୍ରତି ଓମିକ୍ରନ୍ ଅଧିକ ବିପଜ୍ଜନକ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ମାତ୍ର ଡାକ୍ତରମାନେ ପିଲା ଅଧିକ ସଂଖ୍ୟାରେ ହସ୍ପିଟାଲରେ ଭର୍ତ୍ତି ହେବାର ଅନ୍ୟାନ୍ୟ କାରଣ ମଧ୍ୟ ରହିଛି ବୋଲି ମତ ଦେଇଛନ୍ତି।

ଦକ୍ଷିଣ ଆଫ୍ରିକାର ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ କମ୍ୟୁନିକେବ୍‌ଲ ଡିଜିଜେସ୍ (ଏନ୍‌ଆଇସିଡି)ର ତଥ୍ୟ ଅନୁସାରେ ସ୍ବାନ ନଗରାଞ୍ଚଳରେ ନଭେମ୍ବର ୧୪ରୁ ୨୮ ଭିତରେ ୪୫୨ ଜଣ କୋଭିଡ୍‌-୧୯ ରୋଗୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୨ ବର୍ଷରୁ କମ୍ ବୟସ୍କ ୫୨ ଜଣ ପିଲା ଅଛନ୍ତି। ଅନ୍ୟ ବୟସ ବର୍ଗ ତୁଳନାରେ ଏମାନଙ୍କ ସଂଖ୍ୟା ସବୁଠାରୁ ଅଧିକ। ତେବେ ପ୍ରଶ୍ନ ଉଠୁଛି ଏହି ଆଡ୍‌ମିସନ ହୋଇଥିବା ପିଲାମାନେ ସମସ୍ତେ କ’ଣ ଓମିକ୍ରନ୍ ପଜିଟିଭ୍? ଏହାର ଉତ୍ତର ହେଉଛି ନା। ପଜିଟିଭ୍ ଟେଷ୍ଟ ନମୁନାରୁ ଅତି ଅଳ୍ପ ଜେନୋମିକ୍ ସିକ୍ବେନ୍ସିଂ ପାଇଁ ପଠାଯାଇଛି। ତେଣୁ ପିଲାମାନେ ଓମିକ୍ରନ୍ ଦ୍ବାରା ପୀଡ଼ିତ କି ନା ତାହା କହିହେବ ନାହିଁ ବୋଲି ଏନ୍‌ଆଇସିଡିର ବୈଜ୍ଞାନିକମାନେ କହିଛନ୍ତି। ତା’ ଛଡ଼ା ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସବୁ ପିଲାଙ୍କୁ କୋଭିଡ୍ ହୋଇଛି ବୋଲି ବି କହିହେବ ନାହିଁ। କାରଣ ସବୁ ପିଲାଙ୍କର ଟେଷ୍ଟ ହୋଇନାହିଁ। ପିଲାଙ୍କଠାରେ ଥଣ୍ଡା, ସର୍ଦ୍ଦି ଓ ନିଃଶ୍ବାସ ନେବାରେ କଷ୍ଟ ପରି ଲକ୍ଷଣ ଦେଖି କୋଭିଡ୍ ଭାବି ଚିକିତ୍ସା କରାଯାଉଛି। କିନ୍ତୁ ସେମାନଙ୍କଠାରେ ସାଧାରଣ ସର୍ଦ୍ଦି ବି ଥାଇପାରେ ବୋଲି ସେମାନେ କହିଛନ୍ତି।

ଶୂନରୁ ୪ ବର୍ଷ ବୟସ ଭିତରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ପିଲାଙ୍କ ଭିତରେ ୨୯ ପ୍ରତିଶତ ଗରୁତର ହୋଇପଡ଼ିଥିବା ବେଳେ ୧ ପ୍ରତିଶତଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି। ତେବେ ଏହି ବୟସବର୍ଗର ମୋଟ ୭୦ ଜଣ ପିଲା ଭର୍ତ୍ତି ହୋଇଥିବା ବେଳେ ଉକ୍ତ ୧ ପ୍ରତିଶତ ମାନେ କ’ଣ ବୁଝି ହେଉ ନାହିଁ। ତେବେ ପିଲାମାନେ ଅଧିକ ସଂଖ୍ୟାରେ ସଂକ୍ରମିତ ହେବାର ଆଶଙ୍କା ଦେଖି ବାପାମାଆମାନେ ଅଧିକ ସତର୍କ ହେବା ଉଚିତ କି ବୋଲି ପ୍ରଶ୍ନର ଉତ୍ତରରେ ଏନ୍‌ଆଇସିଡିର ଅଣୁଜୀବ-ବିଜ୍ଞାନୀ ପ୍ରଫେସର ଆନ ଭନ ଗଟବର୍ଗ ‘ନା’ ବୋଲି କହିଛନ୍ତି। ଏହି ଭାରିଆଣ୍ଟ ବିଷୟରେ ଅଧିକ କିଛି ଜାଣିବା ପାଇଁ ହେଲେ ଆମକୁ ଡିସେମ୍ବର ଶେଷ ଯାଏ ଅପେକ୍ଷା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

The post ଶିଶୁମାନଙ୍କ ପ୍ରତି ଓମିକ୍ରନ୍ ଅଧିକ ବିପଜ୍ଜନକ କି? first appeared on Sambad.

from କରୋନା | Sambad https://ift.tt/3IiwEqO

Post a Comment

0 Comments