ୱାସିଂଟନ୍‌: ଓମିକ୍ରନ୍‌ ଭେରିଏଣ୍ଟ୍‌’ ସଂକ୍ରାନ୍ତ ପ୍ରାରମ୍ଭିକ ରିପୋର୍ଟ ସବୁ ଉତ୍ସାହପ୍ରଦ କିନ୍ତୁ, ତା’ର ସାଙ୍ଘାତିକତା ବିଷୟରେ ଅଧିକ ସୂଚନା ସଂଗ୍ରହ କରାଯିବା ଉଚିତ ବୋଲି ରବିବାର ଦିନ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ମୁଖ୍ୟ ଡାକ୍ତରୀ ପରାମର୍ଶଦାତା ଆନ୍ଥୋନି ଫାଉଚି ଗଣମାଧ୍ୟମକୁ କହିଛନ୍ତି।

ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇ ପ୍ରାଧାନ୍ୟ ବିସ୍ତାରକାରୀ ‘ଷ୍ଟ୍ରେନ୍‌’ ହେବାକୁ ଯାଉଥିବା ‘ଓମିକ୍ରନ୍‌’ ସମ୍ବନ୍ଧୀୟ ସେଠାକାର ରିପୋର୍ଟ କହୁଛି ଯେ, ଏଥିଯୋଗୁଁ ଡାକ୍ତରଖାନାରେ ଭର୍ତ୍ତି ହେବା ଭଳି ଅବସ୍ଥା ବିଶେଷ ବୃଦ୍ଧି ପାଇନାହିଁ।

ଫାଉଚି କହିଛନ୍ତି, ଏ ପର୍ଯ୍ୟନ୍ତ ପ୍ରାପ୍ତ ସୂଚନା ଅନୁସାରେ, ଏଥିଜନିତ ବିଶେଷ ସାଙ୍ଘାତିକ ସ୍ବାସ୍ଥ୍ୟାବସ୍ଥା ହେବାର ପରିସ୍ଥିତି ନାହିଁ। କିନ୍ତୁ, ‘ଡେଲ୍‌ଟା’ ତୁଳନାରେ ଏହା ଯେ, କମ୍‌ ସାଙ୍ଘାତିକ, ସେ ବିଷୟରେ ସୁନିଶ୍ଚିତ ହେବା ପୂର୍ବରୁ ଆମକୁ ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ।

ଫାଉଚି କହିଛନ୍ତି, କେତେକ ଆଫ୍ରିକୀୟ ଦେଶରୁ ଯୁକ୍ତରାଷ୍ଟ୍ର ଆମେରିକାକୁ ଆସୁଥିବା ଅଣ-ନାଗରିକମାନଙ୍କ ଉପରୁ ଭ୍ରମଣ କଟକଣା ଉଠାଇ ଦେବାକୁ ବାଇଡେନ୍‌ ପ୍ରଶାସନ ବିଚାର କରୁଛି। ସମ୍ପୃକ୍ତ ଅଞ୍ଚଳରେ ‘ଓମିକ୍ରନ୍‌ ଭେରିଏଣ୍ଟ୍‌’ ବ୍ୟାପିବା କାରଣରୁ ଉକ୍ତ କଟକଣା ଜାରି ହୋଇଥିଲା। କିନ୍ତୁ, ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ଏଭଳି ପଦକ୍ଷେପକୁ ‘ଭ୍ରମଣ ବିଦ୍ବେଷ’ କହି ସମାଲୋଚନା କରିଛନ୍ତି।

ଫାଉଚି ଆହୁରି ମଧ୍ୟ କହିଛନ୍ତି, ଠିକଣା ସମୟରେ ଆମେ ନିଷେଧାଜ୍ଞା ଉଠାଇବାକୁ ସମର୍ଥ ହେବୁ ବୋଲି ଆଶା କରୁଛୁ। କେବଳ ଦକ୍ଷିଣ ଆଫ୍ରିକା ନୁହେଁ ଅନ୍ୟ ଆଫ୍ରିକୀୟ ଦେଶଗୁଡ଼ିକ ପ୍ରତି ଜାରି କଟକଣା ଯୋଗୁଁ ଆମେ ସମସ୍ତେ ଦୁଃଖିତ।

ସୂଚନାଯୋଗ୍ୟ, ରବିବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ତୃତୀୟ ପ୍ରଦେଶରେ ‘ଓମିକ୍ରନ୍‌’ ଚିହ୍ନଟ ହୋଇଛି। ପୂର୍ବରୁ ୱିସ୍‌କନ୍ସିନ୍‌ ଏବଂ ମିସୌରି ପ୍ରଦେଶରେ ‘ଓମିକ୍ରନ୍‌’ ଚିହ୍ନଟ ହୋଇଥିଲା।

The post ‘ଓମିକ୍ରନ୍‌ ଭେରିଏଣ୍ଟ୍‌’ ସଂକ୍ରାନ୍ତ ପ୍ରାରମ୍ଭିକ ରିପୋର୍ଟ ସବୁ ଉତ୍ସାହପ୍ରଦ: ଆନ୍ଥୋନି ଫାଉଚି first appeared on Sambad.

from କରୋନା | Sambad https://ift.tt/31uNceu