ଭଦ୍ରକ/ଭୁବନେଶ୍ବର: ଭଦ୍ରକ ଜିଲ୍ଲାରୁ ପ୍ରଥମ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ। ସାଉଦୀ ଆରବରୁ ଭଦ୍ରକର ପୁରୁଣାବଜାର ସ୍ଥିତ ୧୮ ନମ୍ବର ୱାର୍ଡର ମୁଲଣାସାହି ଅଞ୍ଚଳକୁ ଫେରିଥିବା ଯୁବକ ଓମିକ୍ରନ୍ ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସନ୍ତୋଷ କୁମାର ପାତ୍ର ‘ସମ୍ବାଦ’କୁ ସୂଚନା‌ ଦେଇଛନ୍ତି। ସାଉଦୀ ଆରବରୁ ଭଦ୍ରକର ନିଜ ଘରକୁ ଫେରିଥିବା ଏଇ ଯୁବକଙ୍କର ପ୍ରଥମେ କୋଭିଡ୍ ଟେଷ୍ଟ ଭଦ୍ରକ ମେଡିକାଲରେ କରାଯାଇଥିଲା। ତାଙ୍କର କୋଭିଡ ପଜିଟିଭ୍ ବାହାରିବା ପରେ ତାଙ୍କୁ ଗତ ୨୦ ତାରିଖଠାରୁ ଭଦ୍ରକ ମେଡିକାଲର କୋଭିଡ୍ ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି। ସେ କାଳେ ଓମିକ୍ରନ୍ ଆକ୍ରାନ୍ତ ହୋଇଥାଇ ପାରନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସନ୍ଦେହ କରାଯାଇ ତାଙ୍କର ନମୁନା ପରୀକ୍ଷା ପାଇଁ ଭୁବନେଶ୍ବରର ( ଆଇଏଲଏ) ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଭ୍ ସାଇନସ୍ କୁ ପଠାଯାଇଥିଲା। ନମୁନା ପରୀକ୍ଷା ରିପୋର୍ଟ ଓମିକ୍ରନ ପଜିଟିଭ୍ ଆସିବା ପରେ ମୁଲଣାସାହିର ଏଇ ଅଞ୍ଚଳରେ ଏବେ ଆତଙ୍କ ଖେଳିଯାଇଛି। ତେବେ ରାଜ୍ୟରେ ଏପର୍ଯ୍ୟନ୍ତ ୧୫ ଜଣ ଓମିକ୍ରନ୍‌ ଚିହ୍ନଟ ହୋଇଛନ୍ତି।

ଗତ ୨୦ ତାରିଖଠାରୁ ଭଦ୍ରକ ପୌରପାଳିକା ପକ୍ଷରୁ ପୁରୁଣାବଜାରର ଏହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଥିଲା। ସେହି ପରିବାରର ଘରକୁ ମଧ୍ୟ ଅପରୋଧ ଅଞ୍ଚଳ ଭାବେ ରଖାଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳକୁ ସାନିଟାଇଜ୍ କରାଯାଇଥିଲା। ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏଇ ପରିବାରର ଅନ୍ୟ ସଦସ୍ୟଙ୍କର ମଧ୍ୟ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ଭଦ୍ରକ ମେଡିକାଲର ଏକ ସ୍ବତନ୍ତ୍ର ଟିମ୍ ଏଇ ଅଞ୍ଚଳ ବୁଲି ଅଧିକ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇବାକୁ ‌ପ୍ରୟାସ ଆରମ୍ଭ କରିଛି। ଓମିକ୍ରନ୍ ଆକ୍ରାନ୍ତ ଯୁବକ ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଭଲ ରହିଥିବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ପ୍ରାତ୍ର କହିଥିବା ବେଳେ ଓମିକ୍ରନ୍ କୁ ନେଇ ଲୋକମାନେ ବେଶୀ ଆତଙ୍କିତ ନହେବା ପାଇଁ କହିଛନ୍ତି। ଭଦ୍ରକରୁ ପ୍ରଥମ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏଇ ଅଞ୍ଚଳ ଉପରେ ତୀକ୍ଷ୍ମ ନଜର ରଖାଯାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଟିମ୍ ପଠାଇ ସେଠାରେ ଅଧିକ ସର୍ଭେଲାନସ୍ କରାଉଛି। ଆସନ୍ତାକାଲି ନୂଆବର୍ଷ ଥିବାରୁ ‌ଲୋକମାନେ ସାମାଜିକ ଦୂରତା ରକ୍ଷା କରିବା ସହ ମୁହଁରେ ମାସ୍କ ବାନ୍ଧିବା ପାଇଁ ଜିଲ୍ଲାପାଳ ତିଲୋଚନ ମାଝୀ ଜିଲ୍ଲାବାସୀଙ୍କ ପରାମର୍ଶ ଦେଇଛନ୍ତି। ବିଦେଶୀ ଫେରନ୍ତାଙ୍କଠାରୁ ଓମିକ୍ରନ୍ ଚିହ୍ନଟ ହେବା ପରେ ଭଦ୍ରକରେ ଆତଙ୍କ ଖେଳିଯାଇଛି।

 

The post ଭଦ୍ରକରେ ପ୍ରଥମ ଓମିକ୍ରନ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫କୁ ବୃଦ୍ଧି first appeared on Sambad.

from କରୋନା | Sambad https://ift.tt/3qEHv6I