କର୍ଣ୍ଣାଟକରେ ‘ଓମିକ୍ରନ୍‌’: ‌ଚିହ୍ନଟ ହେଲେ ୨‘ଓମିକ୍ରନ୍‌’ ଆକ୍ରାନ୍ତ, ଦେଶରେ ପ୍ରଥମ

ନୂଆଦିଲ୍ଲୀ : କରୋନାର ‘ଓମିକ୍ରନ୍‌’ ପ୍ରଜାତିକୁ ନେଇ ଚାରିଆଡ଼େ ଆତଙ୍କଜନକ ପରିସ୍ଥିତି ଥିବା ବେଳେ ଭାରତରେ ପ୍ରଥମ ଥର ଲାଗି ଆଜି ଦୁଇ ଜଣ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହି ଦୁଇ ଜଣ ବ୍ୟକ୍ତି କର୍ଣ୍ଣାଟକରେ ହିଁ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବିଦେଶୀ ନାଗରିକ। ସେ ନିକଟରେ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ। ଅନ୍ୟ ଜଣେ ବ୍ୟକ୍ତିଙ୍କର କୌଣସି ଯାତ୍ରା ରେକର୍ଡ ନାହିଁ। ସେ ଜଣେ ଡାକ୍ତର ବୋଲି ଜଣାପଡ଼ିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଆଜି ଏହା ସ୍ପଷ୍ଟ କରିଛି। ତେବେ ଏହାକୁ ନେଇ କୌଣସି ଆତଙ୍କିତ ହେବାର କାରଣ ନାହିଁ ବୋଲି କେନ୍ଦ୍ର ପକ୍ଷରୁ ଆଶ୍ବାସନା ଦିଆଯାଇଛି।

କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଲବ ଅଗ୍ରୱାଲ ଗୁରୁବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇ କହିଛନ୍ତି ଯେ ଓମିକ୍ରନରେ ସଂକ୍ରମିତ ଏହି ଦୁଇ ବ୍ୟକ୍ତିଙ୍କର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି। ଜଣେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୫ ଜଣ ବ୍ୟକ୍ତି କରୋନା ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ନମୁନାକୁ ଜିନୋମ ସିକ୍ବେନ୍ସିଂ ପାଇଁ ପଠାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ସମ୍ପୂର୍ଣ୍ଣ ଟିକା ନେଇଥିବା ବେଳେ ଅନ୍ୟ ଜଣେ ପ୍ରଥମ ଡୋଜ୍ ଟିକା ନେଇଛନ୍ତି। ସେମାନଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନଙ୍କୁ ସ‌ଙ୍ଗରୋଧରେ ରଖାଯାଉଛି।

ଓମିକ୍ରନ ସଂକ୍ରମିତ ଏହି ଦୁଇ ଜଣଙ୍କଠାରେ ସାମାନ୍ୟ ଲକ୍ଷଣ ଦେଖାଦେଇଛି। ତେବେ ସରକାର ସେମାନଙ୍କର ପରିଚୟ ପ୍ରକାଶ କରିନାହାନ୍ତି। ତେବେ ସେମାନଙ୍କର ବୟସ ୬୬ ଏବଂ ୪୬। ଲୋକମାନେ ଆଦୌ ଭୟ ନ କରିବା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁରୋଧ କରିଛି। ଉଭୟ ଲବ ଅଗ୍ରୱାଲ୍‌ ଏବଂ ଡାକ୍ତର ଭି କେ ପୌଲ୍‌ କରୋନା ନିୟମାବଳୀ ପାଳନ କରିବା ଉପରେ ଗୁରୁତ୍ବା‌ରୋପ କରିଛନ୍ତି। ଭୟ କରିବା ପରି‌ବର୍ତ୍ତେ ସତର୍କତା ଅବଲମ୍ବନ କରିବାପାଇଁ ଅନୁରୋଧ କରିଛନ୍ତି।

ପ୍ରଥ‌ମେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ଓମିକ୍ରନ୍‌ ପ୍ରଜାତି ଏବେ ୩୦ ରାଷ୍ଟ୍ରକୁ ବ୍ୟାପିଲାଣି। ୩୦ ରାଷ୍ଟ୍ରରେ ୩୭୩ ଓମିକ୍ରନ୍‌ ମାମଲା ଚିହ୍ନଟ ହୋଇଛି। ଭାରତ ସରକାର ଓମିକ୍ରନ୍‌ ପ୍ରଜାତିର ମୁକାବିଲା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିସାରିଛନ୍ତି। ବୁଧବାରଠାରୁ ଦେଶରେ ନୂଆ କରୋନା ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ ହୋଇଛି। ନିତି ଆୟୋଗ ସଦସ୍ୟ ଡାକ୍ତର ଭିକେ ପୌଲ୍‌ କହିଛନ୍ତି, ଓମିକ୍ରନ ପ୍ରଜାତିକୁ ଅତ୍ୟନ୍ତ ସାବଧାନତାର ସହ ପରୀକ୍ଷା କରାଯାଉଛି। ପରୀକ୍ଷା ଆଧାରରେ ପରବର୍ତ୍ତୀ ପଦକ୍ଷେପମାନ ଗ୍ରହଣ କରାଯିବ।

ଇତିମଧ୍ୟରେ ଖବର ମିଳିଛି ଯେ ଦକ୍ଷିଣ ଆଫ୍ରିକାରୁ ଆସି ଏଠାରେ ଚିହ୍ନଟ ହୋଇଥିବା ଓମିକ୍ରନ ଆକ୍ରାନ୍ତ ବ୍ୟକ୍ତି ଗତ ୨୭ ତାରିଖରେ ଦୁବାଇ ପଳାଇଛନ୍ତି।

The post କର୍ଣ୍ଣାଟକରେ ‘ଓମିକ୍ରନ୍‌’: ‌ଚିହ୍ନଟ ହେଲେ ୨‘ଓମିକ୍ରନ୍‌’ ଆକ୍ରାନ୍ତ, ଦେଶରେ ପ୍ରଥମ first appeared on Sambad.

from କରୋନା | Sambad https://ift.tt/3IioeQk

Post a Comment

0 Comments