
ରାଉରକେଲା / ସୁନ୍ଦରଗଡ଼: ଯେଉଁ ଡର ଥିଲା, ତାହା ହିଁ ଘଟିଛି। କରୋନା ଲଢ଼େଇ ଅଧାରେ ପହଞ୍ଚିଥିବାବେଳେ ସ୍କୁଲ ଖୋଲିବା ଉଚିତ କି ନା, ଅନେକ ଚର୍ଚ୍ଚା ଆଲୋଚନା ହୋଇଛି। କରୋନା ସଂକ୍ରମଣ ଏବେ ବି ଥମିନଥିବାରୁ ଏନେଇ ଭିନ୍ନ ଭିନ୍ନ ମତ ଆସୁଥିଲା। ତେବେ ଘରେ ନ ପଶୁଣୁ ଚାଳ ବାଜିବା ଭଳି ସ୍କୁଲ ଖୋଲିବାର ଦିନ କେଇଟାପରେ ସୁନ୍ଦରଗଡ଼ର ଗୋଟିଏ ସ୍କୁଲରେ ହିଁ ୫୩ ଜଣ ଛାତ୍ରୀ କରୋନା ସଂକ୍ରମିତ ହେବା ଶିକ୍ଷାବିଭାଗ ଓ ପ୍ରଶାସନର ଚିନ୍ତା ବଢ଼ାଇଦେଇଛି। ସୁନ୍ଦରଗଡ଼ ସହରସ୍ଥିତ ସେଣ୍ଟ୍ ମେରୀ ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀନିବାସର ୫୩ ଜଣ ଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି। ଆକ୍ରାନ୍ତମାନଙ୍କୁ ସଙ୍ଗରୋଧରେ ରଖାଯାଇଛି। ତେବେ ସମସ୍ତଙ୍କର ସ୍ବାସ୍ଥ୍ୟାବସ୍ଥା ଠିକ୍ ଥିବା ଜିଲ୍ଲା ଶିକ୍ଷାବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସେଣ୍ଟ୍ ମେରୀ ବାଳିକା ଉଚ୍ଚବିଦ୍ୟାଳୟରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ୍ ୬୭୮ ଜଣ ଛାତ୍ରୀ ଅଛନ୍ତି। ଏଥିମଧ୍ୟରୁ ଆଖପାଖ ଅଞ୍ଚଳର ୬୨୪ ଜଣ ଛାତ୍ରୀନିବାସରେ ରହୁଥିବାବେଳେ ୫୪ ଜଣ ଡେସ୍କଲାର ଅଛନ୍ତି। ଗତ କିଛିଦିନ ହେଲା ଛାତ୍ରୀନିବାସର ଜଣେ ଛାତ୍ରୀଙ୍କୁ ଥଣ୍ଡା, କାଶ ହେଉଥିଲା। ଏହି ଲକ୍ଷଣ ଲାଗିରହିଥିବାରୁ ଗତ ୧୯ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ସ୍ବାବ୍ ନମୁନା ସଂଗ୍ରହ କରି କୋଭିଡ୍ ପରୀକ୍ଷା କରାଯିବାରୁ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଆକ୍ରାନ୍ତ ଛାତ୍ରୀ ଜଣକ ହଷ୍ଟେଲରେ ରହୁଥିବାରୁ ଅନ୍ୟ ଅନ୍ତେବାସିନୀଙ୍କୁ ସଂକ୍ରମଣ ବ୍ୟାପିଥିବା ଆଶଙ୍କା କରାଯାଇଥିଲା। ଏଣୁ ଗତ ୨୦/୨୧ ତାରିଖରେ ଛାତ୍ରୀନିବାସର ସମସ୍ତ ଛାତ୍ରୀଙ୍କର କୋଭିଡ୍ ଟେଷ୍ଟ୍ କରାଯାଇଥିଲା। ଏଥିରେ ମୋଟ୍ ୫୩ ଜଣ ଛାତ୍ରୀ ସଂକ୍ରମିତ ଥିବା ଜଣାପଡ଼ିଥିଲା। ଏବେ ସମସ୍ତଙ୍କୁ ପୃଥକ୍ ପୃଥକ୍ଭାବେ ସଙ୍ଗରୋଧରେ ରଖି ଚିକିତ୍ସାସେବା ଆରମ୍ଭ କରାଯାଇଛି। ଏହାସହ ସ୍କୁଲ ପକ୍ଷରୁ ଜଣେ ନର୍ସଙ୍କୁ ମୁତୟନ କରାଯାଇଛି। ତେବେ କିଭଳି ଅନୁଷ୍ଠାନକୁ କରୋନା ପଶିଲା, ନିର୍ଦ୍ଦିଷ୍ଟ କେବେ ଛାତ୍ରୀ ଜଣକ ସଂକ୍ରମିତ ହୋଇଥିଲେ- ସେନେଇ କିଛି ସ୍ପଷ୍ଟ ହୋଇନାହିଁ। ଅପରପକ୍ଷରେ ଆଜି ପୂର୍ବାହ୍ନରେ ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ ପ୍ରଧାନ ସ୍କୁଲରେ ପହଞ୍ଚି ସ୍ଥିତି ପରଖିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସ୍କୁଲ ପରିସରରେ ବ୍ୟାପକ ବିଶୋଧନ କରାଯାଇଛି। ଏହାସହ ୭ ଦିନ ପାଇଁ ସ୍କୁଲରେ ଛୁଟି ଘୋଷଣା କରାଯାଇଛି।
ପ୍ରକାଶଥାଉକି, ଗତ ୧୫ ତାରିଖରେ ଷଷ୍ଠ ଓ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିଥିଲା। ଏହାପରେ ଛାତ୍ରୀମାନେ ସ୍କୁଲକୁ ଆସିବା ଆରମ୍ଭ କରିଥିଲେ। ଏଣୁ କେହି ଜଣେ ପୂର୍ବରୁ ଆକ୍ରାନ୍ତ ହୋଇ ହଷ୍ଟେଲକୁ ଆସିଥିଲେ ନା ସ୍କୁଲ କର୍ମଚାରୀଙ୍କଠାରୁ ସଂକ୍ରମଣ ବ୍ୟାପିଲା, ତାହା ଅସ୍ପଷ୍ଟ। ଏନେଇ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପ୍ରଧାନଙ୍କୁ ପଚାରିବାରୁ କହିଛନ୍ତି, ସମସ୍ତ ଆକ୍ରାନ୍ତ ଛାତ୍ରୀ ସୁସ୍ଥ ଅଛନ୍ତି। କାହାରି ପାଖରେ କୋଭିଡ୍ ଲକ୍ଷଣ ଦେଖାଯାଇନାହିଁ। ଚିକିତ୍ସା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଜିଲ୍ଲା ପ୍ରଶାସନ, ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଏ ଦିଗରେ ତୀକ୍ଷ୍ଣ ନଜର ରଖିଛି ବୋଲି ସେ କହିଛନ୍ତି।
The post ୫୩ ସ୍କୁଲ ଛାତ୍ରୀଙ୍କୁ କରୋନା: ସମସ୍ତ ଆକ୍ରାନ୍ତ ୬-୧୦ ଶ୍ରେଣୀର, ହଷ୍ଟେଲରେ ରହୁଥିଲେ first appeared on Sambad.from କରୋନା | Sambad https://ift.tt/30UJ1rT
0 Comments