ସମ୍ବଲପୁର: ଭିମସାର୍ ର ୨୨ ଜଣ ଛାତ୍ରଛାତ୍ରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିଛି। ଏନେଇ ଆଜି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ ବୋଲି ଜଣାଯାଇଛି। ଏଥିରେ ପରବର୍ତ୍ତୀ ପଦକ୍ଷେପ ନେଇ ଆଲୋଚନା ହେବ। କି ପ୍ରକାରର ସତର୍କତାମୂଳକ ପଦକ୍ଷେପ ନିଆଯିବା ଲାଗି ବ୍ୟବସ୍ଥା କରାଯିବ, ତାହା ବୈଠକ ଶେଷ ହେବା ପରେ ଜଣାପଡ଼ିବ। ଏହି ସଂକ୍ରମିତ ୨୨ ଜଣ ଛାତ୍ରଛାତ୍ରୀ କୋଭିଡ୍ ଟିକା ନେଇଥିବାରୁ କିଛିଟା ଆଶ୍ବସ୍ତି ଅନୁଭବ କରୁଛନ୍ତି ଛାତ୍ରଛାତ୍ରୀ।
ସୂଚନାଯୋଗ୍ୟ, ଗତ ୧୩ ଓ ୧୪ ତାରିଖ ୨ ଦିନ ଧରି ଭିମସାର୍ ସ୍ନାତକ ଛାତ୍ରସଂସଦର ବାର୍ଷିକ ଉତ୍ସବ ‘ଉତ୍କର୍ଷ-୨୦୨୧’ ଅନୁଷ୍ଠିତ ହୋଇଥିଲା। ୨ ଦିନ ଧରି ହଜାରେ ଛାତ୍ରଛାତ୍ରୀ ଉତ୍ସବ ପାଳନରେ ମସଗୁଲ ହୋଇଥିଲେ। ଅଧିକାଂଶଙ୍କ ମୁହଁରେ ମାସ୍କ ନଥିଲା। ସାମାଜିକ ଦୂରତା କଥା ତ ସମସ୍ତେ ଭୁଲି ଯାଇଥିଲେ। ମଉଜମଜଲିସ୍ ଓ ଉତ୍ସବ ପାଳନ ବେଳେ କୋଭିଡ୍ କଟକଣା କଥା ସଂପୂର୍ଣ୍ଣ ଭୁଲି ଯାଇଥିଲେ ଏହି ସ୍ବାସ୍ଥ୍ୟ ଅନୁଷ୍ଠାନର ଛାତ୍ରଛାତ୍ରୀ ତଥା ଭବିଷ୍ୟତର ଡାକ୍ତରମାନେ। ପିଲାଙ୍କ ଏହି ଅମାନିଆଁ କାମକୁ ଆଖିରେ ଦେଖିଥିଲେ ବି ନିରବ ରହିଥିଲେ ତାଙ୍କର ଶିକ୍ଷକ ଓ ବରିଷ୍ଠମାନେ। ସପ୍ତାହେ ପରେ ଭିମ୍ସାର୍ର ଜଣେ କି ଦୁଇଜଣ ନୁହନ୍ତି ଏକାଥରକେ ୨୨ ଜଣ ଛାତ୍ରଛାତ୍ରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ପଜିଟିଭ୍ଙ୍କ ମଧ୍ୟରେ ସବୁ ବର୍ଷର ଛାତ୍ରଛାତ୍ରୀ ରହିଛନ୍ତି।
ଅସୁସ୍ଥ ଅନୁଭବ କରିବା କାରଣରୁ ସୋମବାର ବହୁ ସଂଖ୍ୟାରେ ମେଡିକାଲ୍ ପିଲା ଆଉଟ୍ଡୋର୍କୁ ଚିକିତ୍ସା ପାଇଁ ଆସିଥିଲେ। ଲକ୍ଷଣ ଦେଖି ଡାକ୍ତରମାନେ ତାଙ୍କୁ ଆଣ୍ଟିଜେନ୍ ପରୀକ୍ଷା କରିବାକୁ କହିଥିଲେ। ପରୀକ୍ଷାରୁ ୨୨ ଜଣ ପଜିଟିଭ୍ ବାହାରିଥିବା ଜଣାପଡ଼ିଛି। ଆହୁରି ଅନେକ ଛାତ୍ରଛାତ୍ରୀ ବି ପଜିଟିଭ୍ ହୋଇଥିବା ଆଶଂକା କରାଯାଉଛି। ତେବେ କର୍ତ୍ତୃପକ୍ଷ ଏତେ ସଂଖ୍ୟାରେ ଛାତ୍ରଛାତ୍ରୀଙ୍କୁ ଏକତ୍ରିତ ହେବାକୁ ଅନୁମତି କିଭଳି ଦେଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସମ୍ବଲପୁର ଜିଲ୍ଲାରେ କରୋନା ନିୟନ୍ତ୍ରଣରେ ଥିଲା ବେଳେ ଏହି ଡାକ୍ତରୀ ଛାତ୍ରଛାତ୍ରୀମାନେ ତୃତୀୟ ଲହରର ଅଗ୍ରଦୂତ ସାଜିବେ ନାହିଁ ତ ବୋଲି ବହୁ ବୁଦ୍ଧିଜୀବୀ ଆଶଙ୍କା ବ୍ୟକ୍ତ କରିଛନ୍ତି।

The post ଭିମସାରର ୨୨ ଜଣ ଛାତ୍ରଛାତ୍ରୀ କୋଭିଡ୍ ପଜିଟିଭ୍ ଚିହ୍ନଟ: ପରବର୍ତ୍ତୀ ପଦକ୍ଷେପ ନେଇ ଆଜି ବୈଠକ first appeared on Sambad.

from କରୋନା | Sambad https://ift.tt/3oMfKIc