ଭୁବନେଶ୍ବର : କୋଭିଡ୍‌ରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ୫୦ ହଜାର ଟଙ୍କାର ଅନୁକମ୍ପା ବା ସହାୟତା ରାଶି ମିଳିବ। ଆବେଦନର ୩୦ ଦିନ ଭିତରେ ଏହି ରାଶି ସମ୍ପୃକ୍ତ ହତାଧିକାରୀଙ୍କୁ ମିଳିବ। କିନ୍ତୁ ଆବେଦନ ପ୍ରକ୍ରିୟା ଜଟିଳ ହୋଇଥିବାରୁ ହିତାଧିକାରୀମା‌ନେ ଦ୍ବନ୍ଦ୍ବରେ ପଡ଼ୁଥିବା ଜଣାପଡ଼ିଛି। ଅଫ୍‌ଲାଇନ୍‌ରେ ଆବେଦନ କରିବା ବ୍ୟବସ୍ଥା ନଥିବାରୁ ବହୁ ହିତାଧିକାରୀ ସମସ୍ୟାରେ ପଡ଼ୁଥିବା ଜଣାପଡ଼ିଛି।

କୋଭିଡ୍‌ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ସହାୟତା ରାଶି ଯୋଗାଇ ଦେବାକୁ ସୁପ୍ରିମ୍‌କୋର୍ଟ ସ୍ପଷ୍ଟ କରିଛନ୍ତି। ଏହା ପରେ ବିଏମ୍‌ସି ଏକ କମିଟି ଗଠନ କରିଛି। ନିର୍ଦ୍ଦିଷ୍ଟ ଆପ୍‌ ଜରିଆରେ ଅନ୍‌ଲାଇନ୍‌ରେ ଆବେଦନ ଆସିବା ପରେ ଉକ୍ତ କମିଟି ଏହାର ଯାଞ୍ଚ କରି କୋଭିଡ୍‌ ମୃତ୍ୟୁକୁ ପ୍ରମାଣିତ କରିବ। ଏହା ପ୍ରମାଣିତ ହେବା ପରେ ହିତାଧିକାରୀ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ ଆବେଦନ କରିବେ ଓ ଏହି ସହାୟତା ରାଶି ପାଇ ପାରିବେ। ଗତ ୨ ତାରିଖରୁ ଏହି କମିଟି ଗଠନ ହେବା ସହ କାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ ସଚେତନତା ଅଭାବରୁ ଆବେଦନକାରୀମାନେ ଦ୍ବନ୍ଦ୍ବରେ ଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଅନ୍‌ଲାଇନ୍‌ରେ ‘କ୍ୟାପ୍‌ସ୍‌’ ଆପ୍‌ ଜରିଆରେ ଆବେଦନ ବ୍ୟବସ୍ଥା ରହିଛି। କିନ୍ତୁ କେତେକ ଆବେଦନକାରୀ ଅଫ୍‌ଲାଇନ୍‌ରେ ଆବେଦନ କରିବାକୁ ଚାହୁଛନ୍ତି। କିନ୍ତୁ ଅଫ୍‌ଲାଇନ୍‌ ଆବେଦନ ପାଇଁ ବିଏମ୍‌ସିରେ କୌଣସି ବ୍ୟବସ୍ଥା ନାହିଁ। ବରଂ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିବାକୁ କୁହାଯାଇଛି। ଭୁବନେଶ୍ବରରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଆବେଦନ କରିବା ଅନେକଙ୍କ ପକ୍ଷରେ ସମ୍ଭବ ହେଉନାହିଁ।

ଅନେକଙ୍କର ସ୍ଥିତି ଏଭଳି ରହିଛି ଯେ ପରିବାରର ମୁଖିଆଙ୍କର କୋଭିଡ୍‌ରେ ମୃତ୍ୟୁ ହୋଇଛି ଓ ଏବେ ଘରେ କେବଳ ସ୍ତ୍ରୀ ଓ ଶିଶୁ ରହିଛନ୍ତି। ଫଳରେ ତାଙ୍କ ପାଇଁ ଏଭଳି ଆବେଦନ ଅସମ୍ଭବ ହୋଇପଡ଼ିଛି। ତେଣୁ ଏଭଳି ପରିସ୍ଥିତିରେ ଆବେଦନ କରିବା ପାଇଁ ଦଲାଲମାନେ ସକ୍ରିୟ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ସୁପ୍ରିମକୋର୍ଟଙ୍କ ଆଦେଶ ଆସିବା ପରେ ରିଲିଫ୍ କମିସନର ସମସ୍ତ ଜିଲ୍ଲାପାଳ ଓ ପୌରସଂସ୍ଥାମାନଙ୍କୁ ଚିଠି ଲେଖିଥିଲେ। କମିଟି ଗଠନ କରିବା ସହ ଆବେଦନ ଉପରେ ବିଚାର କରି କୋଭିଡ୍‌ ଜନିତ ମୃତ୍ୟୁ ପ୍ରମାଣ କରିବା ପାଇଁ କୁହାଯାଇଥିଲା। ଏହି ଆଦେଶ ଆଧାରରେ ବିଏମ୍‌ସି ଗଠନ କରିଥିବା କମିଟିର ଅଧ୍ୟକ୍ଷ ଅଛନ୍ତି କ୍ୟାପିଟାଲ ହସ୍‌ପିଟାଲ ନିର୍ଦ୍ଦେଶକ ଡା. ଲକ୍ଷ୍ମୀଧର ସାହୁ। ତାଙ୍କ ସହିତ କମିଟିରେ ବିଏମ୍‌ସି ଡେପୁଟି କମିସନର(ସ୍ବାସ୍ଥ୍ୟ ଓ ପରିମଳ) ଡା. ଶୁଭେନ୍ଦୁ ସାହୁ, ଡା. ଅନ୍ତର୍ଯ୍ୟାମୀ ମିଶ୍ର(ଏଡିୟୁପିଏଚ୍‌ଓ) ଓ ଡା. ଅରୁଣ କୁମାର ସାହୁ ଅଛନ୍ତି।

ପ୍ରକାଶ ଥାଉକି କୋଭିଡ୍‌ ମୃତ୍ୟୁକୁ ନେଇ ମୂଳରୁ ବିବାଦ ଲାଗିରହିଛି। ପ୍ରଥମେ କୋଭିଡ୍‌ ସଂକ୍ରମଣ ହୋଇ ମେଡିକାଲ୍‌ରେ ଭର୍ତ୍ତି ହେବା ପରେ ସେଠାରେ ଅନ୍ୟ ରୋଗ‌ ଥିବା ଜଣାପଡ଼େ। ଯେତେବେଳେ ‌ରୋଗୀର ମୃତ୍ୟୁ ହୁଏ, ତାହା ସମ୍ପୃକ୍ତ ରୋଗରେ ମୃତ୍ୟୁ ହୋଇଥିବା ନେଇ ଘୋଷଣା ହୁଏ। ଏଭଳି ବିବାଦକୁ ନେଇ ଅନେକ ମୃତକଙ୍କ ପରିଜନ କୋଭିଡ୍‌ ଅନୁକମ୍ପା ସହାୟତା ପାଇଁ ଆବେଦନ କରୁନଥିବା ଜଣାପଡ଼ିଛି। ବିଏମ୍‌ସି କେବଳ ଗୋଟିଏ କମିଟି ଗଠନ କରି ବସିଯାଇଛି। କୋଭିଡ୍‌ର ଦ୍ବିତୀୟ ଲହରରେ ଆଜି ପର୍ଯ୍ୟନ୍ତ ୧୦୬୪ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଘୋଷଣା ହୋଇଛି। ଏହା ସରକାରୀ ଭାବରେ ଘୋଷଣା ହୋଇଥିବା ବେଳେ ଏହାଠାରୁ ଢେର୍‌ ଗୁଣରେ ଅଧିକା କୋଭିଡ୍‌ ମୃତ୍ୟୁ ଥିବା ଆଶଙ୍କା କରାଯାଉଛି। ଯଦି ସେମାନଙ୍କର ପରିଜନ ଆବେଦନ କରନ୍ତି, ତେବେ ଆବେଦନପତ୍ର ଉପରେ ଏହି କମିଟି ବିଚାର କରିବ ବୋଲି ଜଣାପଡ଼ିଛି। ପ୍ରଚାର ପ୍ରସାର ଅଭାବରୁ ମୃତକଙ୍କ ପରିଜନ ଜାଣି ପାରୁନାହାନ୍ତି। ଏଣୁ ବିଭିନ୍ନ କାର୍ଯ୍ୟାଳୟ ଓ ହସ୍‌ପିଟାଲ୍‌ରେ ପୋଷ୍ଟର ଜରିଆରେ ଏହାକୁ ନେଇ ସଚେତନ କରିବାକୁ ଯୋଜନା ଥିବା ଜଣାପଡ଼ିଛି।

The post ୩୦ ଦିନରେ ମିଳିବ କୋଭିଡ୍‌ ମୃତ୍ୟୁ ଅନୁକମ୍ପା ରାଶି first appeared on Sambad.

from କରୋନା | Sambad https://ift.tt/3olBKJI