
ଭୁବନେଶ୍ବର : ଦକ୍ଷିଣ ଆଫ୍ରିକାରେ କରୋନାର ଏକ ନୂଆ ଭାରିଏଣ୍ଟ ‘ଉମ୍ରିକନ୍’(ବି.୧.୧.୫୨୯) ଚିହ୍ନଟ ହେବା ପରେ ବିଶ୍ବବ୍ୟାପୀ ଏହାକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ଏକାଧିକ ଦେଶରେ ଏହି ଭାରିଏଣ୍ଟ ଚିହ୍ନଟ ହେବା ପରେ ଏବେ ବିଦେଶ ଫେରାନ୍ତଙ୍କ ଉପରେ ସମସ୍ତଙ୍କର ନଜର ରହିଛି। ତେଣୁ ଏହି ଭାରିଏଣ୍ଟ ଚିହ୍ନଟ ହୋଇଥିବା ଦେଶରୁ ଓଡ଼ିଶାକୁ ଫେରୁଥିବା ଯାତ୍ରୀଙ୍କ ଉପରେ କଡ଼ା ନଜର ରଖିବା ଲାଗି ସବୁ ଜିଲ୍ଲାପାଳ, ସିଡିଏମ୍ଓଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦେଶନାମା ଜାରି ହୋଇଛି।
ରାଜ୍ୟରେ ଗତ କିଛିଦିନ ହେବ ସ୍କୁଲ/କଲେଜ ହଷ୍ଟେଲରୁ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହା କେବଳ ଗୋଟିଏ ନିର୍ଦ୍ଦିଷ୍ଟ ଜିଲ୍ଲାରେ ସୀମିତ ହୋଇ ରହିନାହିଁ। ଏକାଧିକ ଜିଲ୍ଲାରେ ଆକ୍ରାନ୍ତ ଚିହ୍ନଟ ହେଉଥିବା ନଜରକୁ ଆସୁଛି। ରାଜ୍ୟରେ ସ୍କୁଲ, କଲେଜ ଖୋଲିଥିବା ବେଳେ ଏଥିରେ ହେବାକୁ ଥିବା ସଂକ୍ରମଣକୁ ରୋକିବା ରାଜ୍ୟ ସରକାରଙ୍କ ପାଇଁ ପ୍ରମୁଖ ଆହ୍ବାନ ପାଲଟିଛି। ଏଭଳି ପରିସ୍ଥିତିରେ ସବୁ ଜିଲ୍ଲାପାଳମାନଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।
ବିଭାଗ ପକ୍ଷରୁ କୁହାଯାଇଛି ଯେ ଟେଷ୍ଟିଂ-ଟ୍ରାକିଂ-ଟ୍ରିଟମେଣ୍ଟ-ଟିକାକରଣ ଓ କୋଭିଡ ନୟମାବଳୀର କିଭଳି କଡ଼ାକଡ଼ି ପାଳନ ହେବ ତାହାକୁ ଗୁରୁତ୍ବ ଦିଆଯାଉ। ଯେଉଁ ସମ୍ବେଦନଶୀଳ ଅଞ୍ଚଳରୁ କୋଭିଡ ପଜିଟିଭ୍ ଚିହ୍ନଟ ହେଉଥିବା ନମୁନାଗୁଡ଼ିକୁ ଜିନ୍ ଅନୁଶୀଳନ ପାଇଁ ଲ୍ୟାବ୍କୁ ପଠାଇବାକୁ କୁହାଯାଇଛି। ବିଶେଷକରି ସ୍କୁଲ, କଲେଜର ହଷ୍ଟେଲ୍ ସହିତ ଏକାଠି ହେଉଥିବା ଅନ୍ୟ ସ୍ଥାନ ଉପରେ କଡ଼ା ନିରୀକ୍ଷଣ ରଖିବା ସହିତ ଶ୍ରେଣୀଗୃହ ଗୁଡ଼ିକର ନିୟମିତ ସାନିଟାଇଜେସନ୍, ଜନଗହଳି ସ୍ଥାନ ଓ ଅନ୍ୟ ପ୍ରତିଷ୍ଠାନ ଗୁଡ଼ିକରେ ଯେପରି କୋଭିଡ ନିୟମାବଳୀ ପାଳନ ହୋଇପାରିବ ତାହାର ଏନଫୋର୍ସମେଣ୍ଟ କରିବାକୁ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ସେହିପରି ଶିକ୍ଷାନୁଷ୍ଠାନଗୁଡ଼ିକରେ ନିୟମିତ ନମୁନା ପରୀକ୍ଷା ସହିତ ଟିକାକରଣକୁ ବ୍ୟାପକ କରିବା ଲାଗି ସ୍ବୟଂ ସହାୟକ ଗୋଷ୍ଠୀ, ପିଆରଆଇ ମାନଙ୍କୁ ନିର୍ଦେଶ ଦେବା ଲାଗି ଜିଲ୍ଲାମାନଙ୍କୁ କୁହାଯାଇଛି।
ଗତ ୨୪ଘଣ୍ଟାରେ ରାଜ୍ୟରେ ୨୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଧା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଶହେ ତଳକୁ ଖସି ଆସିଥିବା ବେଳେ ପୁଣିଥରେ ଏହା ଶହେ ପାର୍ କରିଛି। ଜିଲ୍ଲାରୁ ୧୨୭ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହାବାଦ୍ ମୟୂରଭଞ୍ଜ ୨୬, ସୁନ୍ଦରଗଡ଼ ୧୬, କଟକ ୧୪, ଯାଜପୁର ୮, ସମ୍ବଲପୁର ୯ ଓ ଷ୍ଟେଟ୍ ପୁଲରୁ୨୮ଜଣ ଚିହ୍ନଟ ହୋଇଛନ୍ତି। ମାତ୍ର ଆଶ୍ବସ୍ତିର ବିଷୟ ହେଉଛି ରାଜ୍ୟର ୧୦ଟି ଜିଲ୍ଲାରୁ ଜଣେ ହେଲେ ବି ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ଗତ ୨୪ଘଣ୍ଟାର ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୪୮ହଜାର ୪୯୨କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ୩ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଫଳରେ ସମୁଦାୟ ମୃତ୍ୟୁ ସଂଖ୍ୟା ୮୪୦୬ରେ ପହଞ୍ଚିଛି। ଆଉ ୨୫୫ କରୋନା ଆକ୍ରାନ୍ତ ସୁସ୍ଥ ହେବା ଫଳରେ ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨୧୬୯ ରହିଛନ୍ତି।
The post ଜିଲ୍ଲାପାଳ, ସିଡିଏମ୍ଓଙ୍କୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦେଶ: ବିଦେଶ ଫେରାନ୍ତଙ୍କ ଉପରେ କଡ଼ା ନଜର ରଖ first appeared on Sambad.from କରୋନା | Sambad https://ift.tt/3FQ9fLy
0 Comments