ବଞ୍ଚି ନ ପାରନ୍ତି ଊହାନ୍‌ କୋଭିଡ୍‌ ରିପୋର୍ଟିଙ୍ଗ୍‌ ପାଇଁ ଜେଲ୍‌ ଯାଇଥିବା ଚୀନା ସାମ୍ବାଦିକା

ବେଜିଙ୍ଗ୍‌: ଊହାନ୍‌ରେ ଚୀନ୍‌ର ପ୍ରାରମ୍ଭିକ କୋଭିଡ୍‌ ମୁକାବିଲା ଉପରେ ରିପୋର୍ଟ କରି ଜେଲ୍‌ଦଣ୍ଡ ଭୋଗୁଥିବା ଜଣେ ସାମ୍ବାଦିକା ଅନଶନ କରି ମରିବା ପରିସ୍ଥିତିରେ ପହଞ୍ଚିଥିବା କଥା ତାଙ୍କ ପରିବାରବର୍ଗ କହିଛନ୍ତି।

ପୂର୍ବରୁ ଓକିଲ ଥିବା ୩୮ ବର୍ଷୀୟ ସାମ୍ବାଦିକା ଜାଙ୍ଗ୍‌ ଜାନ୍‌ ମହାମାରୀର ଉତ୍ପତ୍ତିସ୍ଥଳରେ ଚାଲିଥିବା ଗୋଳମାଳିଆ ପରିସ୍ଥିତି ଉପରେ ରିପୋର୍ଟ ସଂଗ୍ରହ କରିବା ପାଇଁ ୨୦୨୦ ଫେବ୍ରୁଆରିରେ ଊହାନ୍‌ ଗସ୍ତ କରିଥିଲେ। ସେଠାରେ ସେ କରୋନାଭାଇରସ୍‌ ସଂକ୍ରମଣ ମୁକାବିଲା କରୁଥିବା କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରୁଥିବା ଦୃଶ୍ୟାବଳୀ ତାଙ୍କ ସ୍ମାର୍ଟଫୋନ୍‌ ଭିଡିଓରେ ଉତ୍ତୋଳନ କରୁଥିଲେ।

ସେହି କାରଣରୁ ୨୦୨୦ ମେ’ରେ ତାଙ୍କୁ ଅଟକ ରଖାଯିବା ପରେ ‘କଜିଆ ସୃଷ୍ଟି ଏବଂ ଅସୁବିଧା ଉଦ୍ରେକ କରିବା’ ଅପରାଧରେ ଡିସେମ୍ବର ମାସରେ ୪ ବର୍ଷ ପାଇଁ ଜେଲ୍‌ଦଣ୍ଡାଦେଶ ପାଇଥିଲେ।

Image Courtesy of News9 Live

ଗତ ସପ୍ତାହରେ ତାଙ୍କ ଭାଇ ଜାଙ୍ଗ୍‌ ଜୁ ଟୁଇଟ୍‌ କରି ଲେଖିଥିଲେ, ଏବେ ତାଙ୍କର ଓଜନ ଖୁବ୍‌ କମିଯାଇଥିବାରୁ ସେ ଆଉ ବେଶୀ ଦିନ ବଞ୍ଚି ନ ପାରନ୍ତି।
ଅନଶନ ଚଳାଇଥିବା ଜାଙ୍ଗ୍‌ଙ୍କ ନାକରେ ନଳୀ ପୂରାଇ ଜବରଦସ୍ତି ଖାଦ୍ୟ ଦିଆଯାଉଛି ଏବଂ ତାଙ୍କର ସମ୍ପ୍ରତିକ ସ୍ୱାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ କୌଣସି ସୂଚନା ମିଳୁ ନ ଥିବା କଥା ତାଙ୍କର ‘ଲିଗାଲ୍‌ ଟିମ୍‌’ କହିଛି।

ତାଙ୍କ ଭାଇ ଆହୁରି ମଧ୍ୟ ଲେଖିଛନ୍ତି, ଆସୁଥିବା ହେମାଳିଆ ଶୀତଋତୁର ପ୍ରକୋପ ସେ (ଭଉଣୀ) ସହି ନ ପାରନ୍ତି। ତେଣୁ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ସେ ଭଉଣୀଙ୍କୁ ଲେଖିଥିବା କଥା କହିଛନ୍ତି।

ଜୁ’ଙ୍କର ଏହି ଟୁଇଟର୍‌ ପୋଷ୍ଟ୍‍ ପଢ଼ିବା ପରେ, ତାଙ୍କୁ ତୁରନ୍ତ ମୁକ୍ତ କରିବା ଲାଗି ଚୀନା ସରକାରଙ୍କୁ ‘ଆମ୍‌ନେଷ୍ଟି ଇଣ୍ଟର୍‌ନ୍ୟାସ୍‌ନାଲ୍‌’ ଅନୁରୋଧ କରିଛି। ‘ଆମ୍‌ନେଷ୍ଟି’ର ପ୍ରଚାରକ ଗେ୍ଵନ୍‌ ଲି ବିବୃତି ଦେଇ କହିଛନ୍ତି, ଜାଙ୍ଗ୍‌ଙ୍କ ଅଟକ ମାନବ ଅଧିକାର ଉପରେ ଗୋଟାଏ ଲଜ୍ଜାଜନକ ଆକ୍ରମଣ।

ସଂଘାଇ ମହିଳା କାରାଗାରରେ ଥିବା ସାମ୍ବାଦିକା ଜାଙ୍ଗ୍‌ଙ୍କୁ ଭେଟିବା ପାଇଁ ପରିବାର ଲୋକେ ତିନି ସପ୍ତାହ ତଳୁ ଅନୁରୋଧ କରିଥିଲେ ବି ସେମାନଙ୍କୁ କୌଣସି ଜବାବ ମିଳୁନାହିଁ ବୋଲି କୁହାଯାଉଛି।

The post ବଞ୍ଚି ନ ପାରନ୍ତି ଊହାନ୍‌ କୋଭିଡ୍‌ ରିପୋର୍ଟିଙ୍ଗ୍‌ ପାଇଁ ଜେଲ୍‌ ଯାଇଥିବା ଚୀନା ସାମ୍ବାଦିକା first appeared on Sambad.

from କରୋନା | Sambad https://ift.tt/3qaa0dW

Post a Comment

0 Comments