ନୂଆଦିଲ୍ଲୀ : ବିଶ୍ବର ୯୫ଟି ଦେଶରେ ମିଳିପାରିବ ଆମେରିକୀୟ ଫାର୍ମା କମ୍ପାନି ଫାଇଜର ଦ୍ବାରା ପ୍ରସ୍ତୁତ କରୋନା ଔଷଧ । ଏଥିପାଇଁ ଫାଇଜର ଜାତିସଂଘ ଅନୁବନ୍ଧିତ ଏକ ସଂସ୍ଥା ସହ ଚୁକ୍ତି କରିଛି । ଜେନିଭା ଭିତ୍ତିକ ଏହି ସଂସ୍ଥା ହେଉଛି ମେଡିସିନ୍ସ ପ୍ୟାଟେଣ୍ଟ ପୁଲ୍ । ଏହି ଚୁକ୍ତି ଫଳରେ ଅନ୍ୟ ଔଷଧ ଉତ୍ପାଦକମାନେ ଏହି ଔଷଧର ଉତ୍ପାଦନ କରିପାରିବେ ଓ ବିଶ୍ବର ୯୫ଟି ଗରିବ ଓ ବିକାଶଶୀଳ ଦେଶରେ ବିକ୍ରି କରିପାରିବେ । ଏହି ଚୁକ୍ତିକୁ ଏକ ଉଲ୍ଲେଖନୀୟ ଘଟଣା ବୋଲି କୁହାଯାଉଛି, କାରଣ ଏହା ଦ୍ବାରା ବିଶ୍ବର ପ୍ରାୟ ଅର୍ଦ୍ଧେକ ଜନସଂଖ୍ୟା ନିକଟକୁ କରୋନା ଔଷଧ ପହଞ୍ଚିପାରିବ ।

ଏହି ଚୁକ୍ତି ସଂପର୍କରେ ଫାଇଜର ପକ୍ଷରୁ କୁହାଯାଇଛି ଯେ ମେଡିସିନ୍ସ ପ୍ୟାଟେଣ୍ଟ ପୁଲ୍ ସହ ହୋଇଥିବା ଚୁକ୍ତି ଅନୁସାରେ ଏହି ସଂସ୍ଥା ବିଶ୍ବର ବିଭିନ୍ନ ଜେନେରିକ ଔଷଧ ଉତ୍ପାଦକଙ୍କୁ କରୋନା ଔଷଧର ଉତ୍ପାଦନ ପାଇଁ ଲାଇସେନ୍ସ ପ୍ରଦାନ କରିବ । ଏହା ଦ୍ବାରା ବିଶ୍ବର ପ୍ରାୟ ୫୩ ପ୍ରତିଶତ ଜନସଂଖ୍ୟା ନିକଟକୁ କରୋନା ଔଷଧ ପହଞ୍ଚିପାରିବ । ତେବେ ଋଷିଆ, ଚୀନ ପ୍ରଭୃତି କେତେକ ବୃହତ ରାଷ୍ଟ୍ରଗୁଡ଼ିକୁ ଏହି ଚୁକ୍ତିରୁ ବାଦ ଦିଆଯାଇଛି ।

ଫାଇଜର ପକ୍ଷରୁ ପ୍ରସ୍ତୁତ ଏହି କରୋନା ଔଷଧର ନାଁ ରଖାଯାଇଛି ପାକ୍ସଲୋଭିଡ୍ । ଏହି ଔଷଧ ସେବନ କଲେ କରୋନା ରୋଗ ଗୁରୁତର ସ୍ତରକୁ ଯାଏ ନାହିଁ ଓ ରୋଗୀକୁ ହସପିଟାଲରେ ଚିକିତ୍ସିତ ହେବାକୁ ପଡେ ନାହିଁ । କ୍ଲିନିକାଲ ପରୀକ୍ଷଣରେ ଏହି ଔଷଧ ୮୯ ପ୍ରତିଶତ ପ୍ରଭାବି ବୋଲି କମ୍ପାନି ଦାବି କରିଛି ।

 

 

The post ୯୫ଟି ଦେଶରେ ଉତ୍ପାଦନ ଓ ବିକ୍ରି ହେବ ଫାଇଜର କରୋନା ଔଷଧ first appeared on Sambad.

from କରୋନା | Sambad https://ift.tt/3cfUswT