ସୁନ୍ଦରଗଡ଼/ରାଉରକେଲା: ସୁନ୍ଦରଗଡ଼ର ସେଣ୍ଟ ମେରୀ ବାଳିକା ଉଚ୍ଚ ବିଦ୍ୟାଳୟର ୫୩ ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ବିଦ୍ୟାଳୟର ଛାତ୍ରବାସରେ ରହୁଥିବା ଜଣେ ଛାତ୍ରୀଙ୍କୁ ଜ୍ବର ହେବା ପରେ ତାଙ୍କ କରୋନା ପରୀକ୍ଷା କରାଯାଇଥିଲା। ସେ କୋଭିଡ ପଜିଟିଭ୍ ଚିହ୍ନଟ ହେବା ପରେ ମେଡିକାଲ୍ ଟିମ୍ ଛାତ୍ରବାସରେ ରହୁଥିବା ଛାତ୍ରୀମାନଙ୍କର କୋଭିଡ ପରୀକ୍ଷ କରାଯାଇଥିଲା। ସେମାନଙ୍କ ଭିତରୁ ୫୩ ଜଣ ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ।

ଆକ୍ରାନ୍ତ ଛାତ୍ରୀମାନେ ଷଷ୍ଠରୁ ଦଶମ ଶ୍ରେଣୀର ଓ ସେମାନେ ଛାତ୍ରୀ ନିବାସର ଅନ୍ତେବାସିନୀ। ଗତ ୧୯ ତାରିଖରେ ଜଣେ ଛାତ୍ରୀ ପ୍ରଥମେ ସଂକ୍ରମିତ ହୋଇଥିଲେ। ଏହାପରେ ସମସ୍ତ ୬୨୪ ଅନ୍ତେବାସିନୀଙ୍କର ସ୍ୱାବ ପରୀକ୍ଷା କରାଯିବାରୁ ମୋଟ ୫୩ ଜଣ ସଂକ୍ରମିତ ଥିବା ଜଣାପଡିଥିଲା। ଆକ୍ରାନ୍ତମାନଙ୍କୁ ହଷ୍ଟେଲରେ ସଂଗରୋଧରେ ରଖାଯିବ ସହ ଜଣେ ନର୍ସ ନିୟୋଜିତ ଅଛନ୍ତି। ତେବେ ସମସ୍ତ ଛାତ୍ରୀ ସୁସ୍ଥ ଓ ଲକ୍ଷ୍ମଣବିହୀନ ଥିବା ଜିଲ୍ଲା ଶିକ୍ଷାଧିକାରୀ ଅମୁଲ୍ୟ ପ୍ରଧାନ ସୂଚନା ଦେଇଛନ୍ତି।

ଏହାପରେ କାଳେ ଅନ୍ୟ ଛାତ୍ରୀମାନେ କରୋନା ସଂକ୍ରମଣର ଶିକାର ହେବେ, ଏଭଳି ଆଶଙ୍କା କରି ଉକ୍ତ ଛାତ୍ରାବାସକୁ ଖାଲି କରିଦିଆଯାଇଛି। ସମସ୍ତ ଛାତ୍ରୀଙ୍କୁ ଘରକୁ ପଠାଇଦିଆଯାଇଛି। ଅପରପକ୍ଷରେ ସେଣ୍ଟ ମେରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ୭ ଦିନ ପାଇଁ ବନ୍ଦ କରିଦିଆଯାଇଛି।

 

The post ସୁନ୍ଦରଗଡ଼ର ସେଣ୍ଟ ମେରୀ ବାଳିକା ଉଚ୍ଚ ବିଦ୍ୟାଳୟର ୫୩ ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ first appeared on Sambad.

from କରୋନା | Sambad https://ift.tt/3FDlXx4