କରୋନାରେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ରାଇରଙ୍ଗପୁର/ଗୋରୁମହିଷାଣୀ : ସ୍କୁଲ ଖୋଲିବା ପରେ ମାତ୍ର ଦୁଇଦିନ ସ୍କୁଲ ଯାଇ ଅସୁସ୍ଥ ହୋଇ ପଡ଼ିଥିଲେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର। ପରେ ତାଙ୍କର କରୋନାରେ ଆକ୍ରାନ୍ତ ଥାଇ ମୃତ୍ୟୁ ହୋଇଯାଇଥିବା ପରିବାର ପକ୍ଷରୁ କୁହାଯାଇଛି।

ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅର୍ନ୍ତଗତ ଟୋଲକ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀର ଛାତ୍ର ନିହାର ରଞ୍ଜନ ନାଏକ (୧୩) ତାଙ୍କ ମାମୁ ବିଦେଶୀ ପଲେଇଙ୍କ ଘରେ ରହି ପାଠ ପଢୁଥିଲେ। ସ୍କୁଲ ଖୋଲିବା ପରେ ଦୁଇଦିନ ସ୍କୁଲ ଯାଇ ଅସୁସ୍ଥ ହୋଇପଡ଼ିଥିଲେ। ଜ୍ବର ଲାଗି ରହିବାରୁ ପରିବାର ଲୋକେ ତାଙ୍କୁ ପ୍ରଥମେ ଗୋରୁମହିଷାଣୀ ସିଏଚ୍‌ସିରେ ଭର୍ତ୍ତି କରିଥିଲେ। ସେଠାରୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ରକ୍ତ ପରୀକ୍ଷାରେ ଟାଇଫଏଡ ବାହାରିଥିଲା। ଅବସ୍ଥା ଗୁରୁତର ହେବାରୁ ମଙ୍ଗଳବାର ବାରିପଦା ପିଆର୍‌ଏମ୍‌ ମେଡିକାଲ କଲେଜକୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ପରୀକ୍ଷା ପରେ ନିହାରଙ୍କ କରୋନା ପଜିଟିଭ୍‌ ରିପୋର୍ଟ ଆସିଥିଲା। ସେହିଦିନ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସେ ୫ ଦିନ ଧରି ଚିକିତ୍ସିତ ଥିବା ବେଳେ ଗତକାଲି ନିହାରଙ୍କ କଟକ ବଡ଼ ଡାକ୍ତରକାନାରେ ମୃତ୍ୟୁ ହୋଇଯାଇଥିଲା। ପୌର ପ୍ରଶାସନ ପକ୍ଷରୁ ସେଠାରେ ଶବ ସତ୍କାର କରାଯାଇଥିବା ତାଙ୍କ ବାପା ଅନୀଲ ନାଏକ ପ୍ରକାଶ କରିଛନ୍ତି।

ତେବେ ଖବର ପ୍ରଚାରିତ ହେବା ପରେ ଟୋଲକ ସ୍କୁଲକୁ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଅଭିଭାବକ ଯିବାକୁ ବାରଣ କରିଛନ୍ତି। ଆଜି ସ୍କୁଲର ସମସ୍ତ ଛାତ୍ରଛାତ୍ରୀଙ୍କ କୋଭିଡ୍ ପରୀକ୍ଷା ପାଇଁ ରାଇରଙ୍ଗପୁର ହସ୍ପିଟାଲରୁ ଡାକ୍ତରୀ ଦଳ ପହଞ୍ଚିଥିଲେ ସୁଦ୍ଧା କେହି ଆସି ନଥିବାରୁ ଉକ୍ତ ଟିମ୍ ଫେରି ଯାଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ବିଇଓ ପ୍ରକାଶ ଚନ୍ଦ୍ର ମହାଳିକଙ୍କୁ ଯୋଗାଯୋଗ କରିବାରୁ ବିଦ୍ୟାଳୟ ବିଶୋଧନ କରାଯାଇଛି, ବର୍ତ୍ତମାନ କୌଣସି ଭୟ ନାହିଁ ବୋଲି ସେ କହିଥିଲେ।

The post କରୋନାରେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ first appeared on Sambad.

from କରୋନା | Sambad https://ift.tt/304EYcP

Post a Comment

0 Comments