ବେଙ୍ଗାଲୁରୁ: ଚଳିତ ସପ୍ତାହରେ ଧର୍‌ୱାଡ୍‌ ଜିଲ୍ଲାରେ ଥିବା ‘ଏସ୍‌ଡିଏମ୍‌’ କଲେଜ୍‌ ଅଫ୍ ମେଡିକାଲ୍‌ ସାଇନ୍‌ସସେ୍‌’ କ୍ୟାମ୍ପସ୍‌ରେ ୨୮୧ଜଣ କୋଭିଡ୍-୧୯ ପଜିଟିଭ୍‌ ‌ଚିହ୍ନଟ ହୋଇ ତାହା ‘କୋଭିଡ୍‌ କ୍ଲଷ୍ଟର୍‌’ ହୋଇଥିଲେ ସୁଦ୍ଧା ଏବେ ରାଜ୍ୟରେ କଟକଣା ଲାଗୁ ହେବ ନାହିଁ ବୋଲି ଆଜି କର୍ଣ୍ଣାଟକର ସ୍ବାସ୍ଥ୍ୟମନ୍ତ୍ରୀ କେ. ସୁଧାକର କହିଛନ୍ତି।

ସେ କହିଛନ୍ତି, ମେଡିକାଲ୍‌ କଲେଜରେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ସଂକ୍ରମଣ ବିସ୍ତାର ‌ହୋଇଥିବା ରିପୋର୍ଟ ମୁଁ ପାଇଛି। କିନ୍ତୁ, ଆମେ ଏବେ ରାଜ୍ୟରେ କଟକଣା ଜାରି କରିବା ପରିସ୍ଥିତିରେ ନାହୁଁ। ବିବାହା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଚାଲିଛି।

ସୂଚନାଯୋଗ୍ୟ, ଶୁକ୍ରବାର ଦିନ ଧର୍‌ୱାଡ୍ ଜିଲ୍ଲା ପ୍ରଶାସନ ‘ଏସ୍‌ଡିଏମ୍‌ କଲେଜ’ର ୫୦୦ ମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଥିବା ସ୍କୁଲ୍‌ ଓ କଲେଜ ସବୁ ବନ୍ଦର କରିଦେଇଛନ୍ତି। ମେଡିକାଲ୍‌ କଲେଜକୁ ବେଢ଼ି ରହିଥିବା ଅଞ୍ଚଳକୁ ସାନିଟାଇଜ୍‌ କରାଯାଇଛି। ୮ଟି ଆମ୍ବୁଲାନ୍ସ୍‌ ପ୍ରସ୍ତୁତ କରି ରଖାଯାଇଛି ଏବଂ କଲେଜ ମଧ୍ୟକୁ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି।

Image Courtesy of The Hindu

ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ କର୍ଣ୍ଣାଟକରେ ୪୦୨ଟି ନୂଆ କୋଭିଡ୍‌ ମାମଲା ରେକର୍ଡ କରାଯାଇଛି।

ଏହା ବ୍ୟତିରେକେ, ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ‘ଓମାଇକ୍ରୋନ୍‌’ ବୋଲି ନାମିତ କରିଥିବା ନୂଆ ଭେରିଅଣ୍ଟ୍‌ର କରୋନାଭାଇରସ୍‌ ସଂକ୍ରାନ୍ତରେ ଶୁକ୍ରବାର ଦିନ କେ ସୁଧାକର କହିଥିଲେ ଯେ, କର୍ଣ୍ଣାଟକ ପରିସ୍ଥିତି ଉପରେ ନଜର ରଖିଛି। ଏଯାବତ୍‌ ରାଜ୍ୟରେ ସେ ପ୍ରଜାତିର ଭୂତାଣୁ ଚିହ୍ନଟ ହୋଇ ନାହିଁ। ରାଜ୍ୟରେ ୬ଟି ଜିନୋମ୍‌ ସିକ୍ବେନ୍‌ସିଙ୍ଗ୍‌ ଲ୍ୟାବ୍‌ ଥିବାରୁ ‘ଓମାଇକ୍ରୋନ୍‌’ ଚିହ୍ନଟ ପାଇଁ ନମୁନା ପରୀକ୍ଷା କରାଯାଇପାରିବ।

ଦକ୍ଷିଣ ଆଫ୍ରିକୀୟ ଦେଶମାନଙ୍କରୁ କର୍ଣ୍ଣାଟକ ଆସୁଥିବା ଲୋକମାନଙ୍କୁ ଚିହ୍ନଟ କରିବା ଲାଗି ଗୃହ ବିଭାଗ ‘ବୃହତ୍‌ ବେଙ୍ଗାଲୁରୁ ମହାନଗର ପାଳିକା’କୁ ନିର୍ଦେଶ ଦିଆଯାଇଛି।

The post ‘ଏସ୍‌ଡିଏମ୍‌’ କଲେଜରେ ୨୮୧ କୋଭିଡ୍-୧୯ ସଂକ୍ରମିତ, କିନ୍ତୁ ଏବେ କର୍ଣ୍ଣାଟକରେ କଟକଣା ଲାଗୁ ହେବନାହିଁ: ସ୍ବାସ୍ଥ୍ୟମନ୍ତ୍ରୀ first appeared on Sambad.

from କରୋନା | Sambad https://ift.tt/3E0vCNE