ନୂଅଦିଲ୍ଲୀ: ଦେଶରେ ପିଲାଙ୍କ ପାଇଁ କରୋନା ଟିକା ସଂକ୍ରାନ୍ତରେ ଆଜି ଭଲ ଖବର ଆସିଛି। ୨ରୁ ୧୮ ବର୍ଷ ବୟସ ବର୍ଗର ପିଲାଙ୍କୁ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କୋଭାକ୍ସିନ ଟିକାକୁ ବିଶେଷଜ୍ଞ କମିଟି ମଂଜୁରି ଦେଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦ୍ବାରା ଗଠିତ ଟିକା ବିଶେଷଜ୍ଞ କମିଟି ପିଲାଙ୍କ ପାଇଁ କୋଭାକ୍ସିନକୁ ନିରାପଦ ଦର୍ଶାଇବା ସହ ଏହାକୁ ମଂଜୁରି ଦେଇଥିବାରୁ ଏଣିକି ପିଲାମାନଙ୍କୁ ଟିକା ଦେବା ପାଇଁ ପ୍ରକ୍ରିୟା ଖୁବ୍‌ଶୀଘ୍ର ଆରମ୍ଭ ହୋଇଯିବ ବୋଲି ଆଶା କରାଯାଉଛି। ପିଲାଙ୍କ ଟିକାକରଣ ବାବଦରେ କେନ୍ଦ୍ର ସରକାର ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରିବେ।

ଭାରତ ବାୟୋଟେକ୍‌ ଏବଂ ଆଇସିଏମ୍‌ଆର ମିଳିତ ଭାବେ କୋଭାକ୍ସିନ ଟିକା ତିଆରି କରିଛନ୍ତି। ଦେଶରେ ଭାରତ ବାୟୋଟେକ ହେଉଛି ପ୍ରଥମ ଟିକା ନିର୍ମାତା ଯିଏ କି ପିଲାଙ୍କ କ୍ଷେତ୍ରରେ କୋଭାକ୍ସିନର ବ୍ୟାପକ ନୈଦାନିକ ପରୀକ୍ଷଣ କରିଥିଲା। ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପରେ କମ୍ପାନି ଏ ବାବଦ ରିପୋର୍ଟ ସ୍ବାସ୍ଥ୍ୟ ମନ୍ତ୍ରାଳୟର ବିଶେଷଜ୍ଞ କମିଟିକୁ ପ୍ରଦାନ କରିଥିଲା। ପରୀକ୍ଷଣ ତଥ୍ୟର ପୁଙ୍ଖାନୁପୁଙ୍ଖ ତର୍ଜମା ପରେ ଆଜି କମିଟି ଏହି ଟିକାକୁ ମଂଜୁରି ଦେଇଛନ୍ତି। ବୟସ୍କମାନଙ୍କ ଭଳି ପିଲାମାନଙ୍କୁ ମଧ୍ୟ ଏହି ଟିକାର ୨ଟି ଲେଖାଏଁ ଡୋଜ ଦିଆଯିବ।

ପିଲାଙ୍କ ପାଇଁ କୋଭାକ୍ସିନକୁ କେନ୍ଦ୍ର ସରକାରଙ୍କ ଦ୍ବାରା ନିଯୁକ୍ତ ଟିକା ବିଶେଷଜ୍ଞ କମିଟିର ଅନୁମୋଦନ ପରେ ଏବେ କେବଳ ଡିସିଜିଆଇ (ଭାରତର ଔଷଧ ମହାନିୟନ୍ତ୍ରକ) ମଂଜୁରିକୁ ଅପେକ୍ଷା କରାଯାଇଛି। ସବୁ ଦିଗରୁ ସକରାତ୍ମକ ରିପୋର୍ଟ ଆସିଥିବାରୁ ଖୁବ୍‌ଶୀଘ୍ର ଡିସିଜିଆଇ ମଧ୍ୟ ଏହାକୁ ମଂଜୁରି ଦେବାର ସମ୍ଭାବନା ରହିଛି। ଏହା ପୂର୍ବରୁ ଭାରତ ସରକାର ଅଗଷ୍ଟରେ ଜାଇଡସ୍‌ କାଡିଲା କରୋନା ଟିକାକୁ ୧୨ରୁ ୧୮ ବର୍ଷ ବୟସ ବର୍ଗର ପିଲାଙ୍କ କ୍ଷେତ୍ରରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲେ।

The post ୨ରୁ ୧୮ ବର୍ଷ ବୟସ ବର୍ଗର ପିଲାଙ୍କ ପାଇଁ କୋଭାକ୍ସିନ first appeared on Sambad.

from କରୋନା | Sambad https://ift.tt/3iW043a