
ଜିନିଭା: ବିପଜ୍ଜନକ ଅଣୁଜୀବ ସମ୍ବନ୍ଧୀୟ ନବଗଠିତ ଉପଦେଷ୍ଟା ମଣ୍ଡଳୀ ‘ସାର୍ସ-କୋଭ୍-୨ ଭୂତାଣୁ’ର ଉତ୍ପତ୍ତି ଚିହ୍ନଟ କରିବାରେ ଆମର ଅନ୍ତିମ ସୁଯୋଗ ହୋଇପାରେ ବୋଲି ବୁଧବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିବା ସହ ପ୍ରାରମ୍ଭିକ ସଂକ୍ରମଣ ମାମଲା ତଥ୍ୟାବଳୀ ଯୋଗାଇ ଦେବା ପାଇଁ ଚୀନ୍କୁ ଅନୁରୋଧ କରିଛି।
ଏହି ଅଭିନବ ଭୂତାଣୁର ଉତ୍ପତ୍ତି ଉପରେ ଗବେଷଣା କରିବା ଲାଗି ବୁଧବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ତା’ର ‘ସାଇଣ୍ଟିଫିକ୍ ଆଡ୍ଭାଇଜରି ଗ୍ରୁପ୍’ରେ ୨୬ଜଣଙ୍କ ନାମ ପ୍ରସ୍ତାବ ଦେଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଥିଆ ଫିସର୍, ହୁଙ୍ଗ୍ ଗୁୟେନ୍ ଏବଂ ଚୀନା ପ୍ରାଣୀ ସ୍ୱାସ୍ଥ୍ୟ ବିଶେଷଜ୍ଞ ୟାଙ୍ଗ୍ ୟୁଙ୍ଗୁଇ। ୟୁଙ୍ଗୁଇ ଊହାନ୍ ମିଳିତ ତଦନ୍ତରେ ଅଂଶ ଗ୍ରହଣ କରିଥିଲେ।
୨୦୧୯ ଡିସେମ୍ବରରେ କେନ୍ଦ୍ରୀୟ ଚୀନ୍ର ଊହାନ୍ ସହରରେ ମାନବ ସଂକ୍ରମିତ କୋଭିଡ୍-୧୯ ପ୍ରଥମ ମାମଲା ରିପୋର୍ଟ ହୋଇଥିଲା। କିନ୍ତୁ, ତା’ର କୌଣସି ଗୋଟିଏ ପରୀକ୍ଷାଗାରରୁ ଏହି ଭୂତାଣୁ ଲିକ୍ ହୋଇଥିବା କଥାକୁ ଚୀନ୍ ବାରମ୍ବାର ଖଣ୍ଡନ କରିବା ସହ ଆଉ ଚୀନ୍ ଆସିବା ଅନାବଶ୍ୟକ ବୋଲି କହିଛି।
ଏବର୍ଷ ପ୍ରାରମ୍ଭରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ନେତୃତ୍ୱାଧୀନ ଟିମ୍ ଚୀନା ବୈଜ୍ଞାନିକମାନଙ୍କ ସହ ଊହାନ୍ରେ ୪ ସପ୍ତାହ ବିତାଇବା ପରେ ମାର୍ଚ ମାସରେ ମିଳିତ ରିପୋର୍ଟ ଦେଇ କହିଥିଲେ ଯେ, ଏହି ଭୂତାଣୁ ସମ୍ଭବତଃ ବାଦୁଡ଼ିରୁ କିଂବା ଅନ୍ୟ ଜନ୍ତୁରୁ ମନୁଷ୍ୟକୁ ସଂକ୍ରମିତ ହୋଇଛି ସେ ବିଷୟରେ ଅଧିକ ଗବେଷଣା ଆବଶ୍ୟକ।
‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ର ମହାନିର୍ଦେଶକ ଟେଡ୍ରସ୍ ଆଧନୋମ୍ ଗ୍ରେବ୍ରେସିୟସ୍ କହିଛନ୍ତି ଯେ, ପ୍ରାରମ୍ଭିକ ଦିନଗୁଡ଼ିକରେ ହୋଇଥିବା ସଂକ୍ରମଣ ବ୍ୟାପ୍ତି ସମ୍ବନ୍ଧୀୟ ଆଦ୍ୟ ରିପୋର୍ଟର ଅଭାବ ଯୋଗୁଁ ତଦନ୍ତ ବାଧାପ୍ରାପ୍ତ ହୋଇଥିଲା। ତେଣୁ, ପରୀକ୍ଷାଗାର ତଦନ୍ତ କରାଯିବା କଥା ସ୍ଥିର କରାଯାଇଥିଲା।
The post କୋଭିଡ୍ ଉତ୍ପତ୍ତି ସନ୍ଧାନର ଅନ୍ତିମ ସୁଯୋଗ; ତଥ୍ୟାବଳୀ ଯୋଗାଇବା ପାଇଁ ଚୀନ୍କୁ କହିଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ first appeared on Sambad.from କରୋନା | Sambad https://ift.tt/3j2aK0h
0 Comments