ପଶ୍ଚିମବଙ୍ଗରେ ସଂକ୍ରମଣ ବୃଦ୍ଧି: ରାଜ୍ୟ ପାଇଁ ବିପଦ ଆଣିପାରେ

ଭୁବନେଶ୍ୱର : ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ପ୍ରାୟତଃ ୫ଶହ ତଳେ ରହିଛି। କାଁ ଭାଁ କେଉଁଦିନ ସଂକ୍ରମିତଙ୍କ ସଂଖ୍ୟା ୫ଶହ ଟପୁଛି। କମ୍ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେବା ସତ୍ବେ ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଗତ ୨ ସପ୍ତାହ ହେବ ୪ହଜାର ଉପରେ ସ୍ଥିର ରହିଛି। ଦେଶବ୍ୟାପୀ ଚିକିତ୍ସାଧୀନ ରୋଗୀଙ୍କ କ୍ଷେତ୍ରରେ ଓଡ଼ିଶାର ସ୍ଥାନ ୬ନମ୍ବର। ଏବେ ବି ଦ୍ବିତୀୟ ଲହର ଶେଷ ହୋଇନାହିଁ। ତେଣୁ ସଂକ୍ରମଣକୁ ନେଇ ଲୋକମାନଙ୍କ ସାମାନ୍ୟ ଢିଲାପଣ ଏହି ସଂଖ୍ୟାକୁ ବଢ଼ାଇ ଦେଇପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରୁଛନ୍ତି।

ନିକଟରେ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଅଧୀନରେ ଥିବା ସୋନାରପୁରରେ ଲକ୍‌ଡାଉନ୍‌ ଘୋଷଣା ହୋଇଛି। ସେଠାରେ ୧୯ଟି କଣ୍ଟେନମେଣ୍ଟ ଜୋନ୍‌ କରାଯାଇଛି। ନିକଟରେ ଦଶହରା ସମୟରେ ପଶ୍ଚିମବଙ୍ଗରେ ଲୋକମାନେ ଯେଉଁଭଳି ଭାବେ ପୂଜା ମଣ୍ଡପରେ ଭିଡ଼ ଜମାଇଥିଲେ ତାହାର ପ୍ରଭାବ ଏବେ ଦେଖିବାକୁ ମିଳିଲାଣି।

ସୋନାରପୁର କୋଲକାତାଠାରୁ ମାତ୍ର ଅଳ୍ପ ଦୂରରେ ହୋଇଥିବାରୁ ଓଡ଼ିଶା ପାଇଁ ମଧ୍ୟ ବିପଦ ବଢ଼ି ଯାଇଛି। ପଶ୍ଚିମବଙ୍ଗକୁ ଲାଗିଥିବା ଓଡ଼ିଶାର ଜିଲ୍ଲାଗୁଡ଼ିକ ପ୍ରତି ମଧ୍ୟ ବିପଦ ଡାକି ଆଣିଛି। ଏବେ ଟ୍ରେନ୍, ବିମାନ ଚଳାଚଳ ନିୟମିତ ହୋଇ ସାରିଥିବାରୁ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ଏଡ଼ାଇ ଦିଆଯାଇ ନ ପାରେ। ଏହାସହ ଏବେ ଲକ୍ଷ୍ମୀପୂଜା ପାଇଁ ବିଭିନ୍ନ ସ୍ଥାନରେ ଗହଳିର ଚିତ୍ର ସାମ୍ନାକୁ ଆସିଲାଣି। ତେଣୁ ଗହଳିକୁ ନିୟନ୍ତ୍ରଣ ନ କଲେ ରାଜ୍ୟରେ ସଂକ୍ରମଣ ବଢ଼ିପାରେ। ଅପରପକ୍ଷରେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ ରାଜ୍ୟ ସରକାର ପୂର୍ବଭଳି ନମୁନା ପରୀକ୍ଷା ଜାରି ରଖିବା ଲାଗି ନିଷ୍ପତ୍ତି ନେଇଛନ୍ତି। ମାତ୍ର ଲୋକମାନେ ନିଜର ପରୀକ୍ଷା ପାଇଁ ଆସୁ ନ ଥିବାରୁ ସମସ୍ୟା ଉପୁଜୁଛି। ଏହାସହ ଜାଲ୍‌ ଆରଟି-ପିସିଆର ପ୍ରସ୍ତୁତ କରାଯାଉଥିବା ମଧ୍ୟ ନଜରକୁ ଆସିଲାଣି। ଯାହାକି ରାଜ୍ୟ ପାଇଁ ନୂଆ ଆହ୍ବାନ ସୃଷ୍ଟି କରିବ ବୋଲି କୁହାଯାଉଛି।

ଗତ ୨୪ଘଣ୍ଟାରେ ରାଜ୍ୟରେ ୩୬୫ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଧାରୁ ୧୫୭, କଟକ ୩୪, ମୟୂରଭଞ୍ଜ, କେନ୍ଦ୍ରାପଡ଼ା ୨୦, ଜଗତସିଂହପୁର ୧୩, ସମ୍ବଲପୁର-ପୁରୀରେ ୧୦ ଲେଖାଏ ଓ ଷ୍ଟେଟ୍‌ ପୁଲରୁ ୩୭ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୪୦ହଜାର ୫୯୫କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ୩ଜଣ କରୋନାରେ ପ୍ରାଣ ହରାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନୁଗୁଳ, ବାଲେଶ୍ବର, ଖୋର୍ଧାରେ ଜଣେ ଲେଖାଏ ମୃତକ ରହିଛନ୍ତି। ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୮୩୨୫କୁ ବୃଦ୍ଧି ପାଇଛି। ଅପରପକ୍ଷରେ ରାଜ୍ୟରେ ଆଉ ୫୫୩ କୋଭିଡ ରୋଗୀ ସୁସ୍ଥ ହୋଇଛନ୍ତି। ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୦,୨୮,୨୦୭ରେ ପହଞ୍ଚିଛି। ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୪୦୧୦ ରହିଛି।

The post ପଶ୍ଚିମବଙ୍ଗରେ ସଂକ୍ରମଣ ବୃଦ୍ଧି: ରାଜ୍ୟ ପାଇଁ ବିପଦ ଆଣିପାରେ first appeared on Sambad.

from କରୋନା | Sambad https://ift.tt/3GzGGTE

Post a Comment

0 Comments