ନୂଆଦିଲ୍ଲୀ: ୨ରୁ ୧୮ ବର୍ଷ ମଧ୍ୟରେ ଥିବା ପିଲାମାନଙ୍କୁ ଆସନ୍ତା ନଭେମ୍ବର ମାସରୁ କୋଭିଡ୍‌ ଟିକା ପ୍ରଦାନ କରାଯିବ। ୨ରୁ ୧୮ ବର୍ଷ ବୟସ ମଧ୍ୟରେ ପିଲାମାନଙ୍କ ପାଇଁ କୋଭିଡ୍‌ ଟିକା କୋଭାକ୍ସିନ୍‌କୁ ସରକାର ଗତକାଲି (ବୁଧବାର) ଆନୁଷ୍ଠାନିକ ଭାବେ ଅନୁମୋଦନ ପ୍ରଦାନ କରିଥିଲେ।

ଆସନ୍ତା ନଭେମ୍ବର ଦ୍ୱିତୀୟ ସପ୍ତାହରୁ ଆରମ୍ଭ ହେବାକୁ ଥିବା ଏହି ଶିଶୁ ଟିକାକରଣ କାର୍ଯ୍ୟକ୍ରମରେ ଗୁରୁତର ରୋଗରେ ପୀଡ଼ିତ ଥିବା ଓ ଇମ୍ୟୁନିଟି ଦୁର୍ବଳ ଥିବା ଶିଶୁମାନଙ୍କୁ ପ୍ରାଥମିକତା ପ୍ରଦାନ କରାଯିବ ବୋଲି ଜାଣିବାକୁ ମିଳିଛି। ଟିକାକରଣରେ ପିଲାମାନଙ୍କୁ ଦୁଇ-ଡୋଜ୍‌ କୋଭାକ୍ସିନ୍‌ ଦିଆଯିବ ଏବଂ ପ୍ରଥମ ଏବଂ ଦ୍ୱିତୀୟ ଡୋଜ ମଧ୍ୟରେ ୨୮ ଦିନର ବ୍ୟବଧାନ ରହିବ।

ଏସଂପର୍କରେ ସୂଚନା ଦେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପିଲାମାନଙ୍କ ପାଇଁ କୋଭିଡ୍‌-୧୯ ଟିକାକରଣ ଡ୍ରାଇଭ୍‌ ନଭେମ୍ବର ଦ୍ୱିତୀୟାର୍ଦ୍ଧରୁ ଆରମ୍ଭ ହେବାର ସମ୍ଭାବନା ଅଛି। ଦେଶର ଡ୍ରଗ୍‌ ରେଗୁଲେଟର ଅଧୀନରେ ଥିବା ବିଶେଷଜ୍ଞ କମିଟି ମଙ୍ଗଳବାର ଦିନ ୨ରୁ ୧୮ ବର୍ଷ ବୟସର ପିଲାମାନଙ୍କ ପାଇଁ ଭରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍‌ ଟିକାର ବ୍ୟବହାରକୁ ଅନୁମୋଦନ ଦେଇଛନ୍ତି। ପିଲାମାନଙ୍କ ମଧ୍ୟରେ ଏହି ଟିକାକରଣ ଡ୍ରାଇଭ୍‌ ପ୍ରଥମେ କ୍ରନିକ୍‌ କିମ୍ବା ଗୁରୁତର ସ୍ୱାସ୍ଥ୍ୟ ଅବସ୍ଥାରେ ପୀଡିତ ପିଲାମାନଙ୍କୁ ଟିକା ଯୋଗାଇବ। ଏଥିପାଇଁ ରୋଗର ପ୍ରାଥମିକ ତାଲିକା ପ୍ରସ୍ତୁତ ହେବାକୁ ତିନି ସପ୍ତାହ ପର୍ଯ୍ୟନ୍ତ ସମୟ ଲାଗିପାରେ ବୋଲି ସେ ସୂଚନା ଦେଇଛନ୍ତି। ଡ୍ରଗ୍‌ କଣ୍ଟ୍ରୋଲର୍‌ ଜେନେରାଲ୍‌ ଅଫ୍‌ ଇଣ୍ଡିଆ (ଡିସିଜିଆଇ) ଦ୍ୱାରା ଏହି ସୁପାରିଶର ଏବେ ଅଧିକ ସମୀକ୍ଷା କରାଯାଉଛି ଏବଂ ଥରେ ଅନୁମୋଦନ ହେବା ପରେ ଆସନ୍ତା ମାସରେ ରୋଲ ଆଉଟ୍‌ ପ୍ରକ୍ରିୟା ଆରମ୍ଭ ହେବ।

The post ୨ରୁ ୧୮ ବର୍ଷ ପିଲାଙ୍କୁ ନଭେମ୍ବରରୁ ମିଳିବ କୋଭିଡ୍‌ ଟିକା first appeared on Sambad.

from କରୋନା | Sambad https://ift.tt/3iXSk0s