କରୋନାରେ ମୃତକଙ୍କ ପରିବାରକୁ ତୁରନ୍ତ ସହାୟତା ଦାବି, ସରକାରୀ ସୂଚୀରେ ସୁନ୍ଦରଗଡ଼ର ୪୮୬

ସୁନ୍ଦରଗଡ଼: ମହାମାରୀ କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ଅନୁକମ୍ପା ରାଶି ଦେବାକୁ ଘୋଷଣା ହୋଇଛି। କିନ୍ତୁ ମାସ ମାସ ଗଡ଼ି ଯାଉଥିଲେ ମଧ୍ୟ ପୀଡ଼ିତ ପରିବାର, ମୃତକଙ୍କ ବିଧବା ପତ୍ନୀ ଓ ଛେଉଣ୍ଡ ଛୁଆମାନେ ଏହି ସରକାରୀ ରାଶି ପାଇବାକୁ ଚାତକ ଭଳି ଚାହି ବସିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ପ୍ରାୟ ୪୮୬ ଜଣ କରୋନାରେ ପ୍ରାଣ ହରାଇଥିବାର ସରକାରୀ ସୂଚୀ ତିଆରି ହୋଇଛି। କିନ୍ତୁ ଏ ସଂଖ୍ୟା ଅଧିକ ଥିବା ବେଳେ ସମସ୍ତଙ୍କ ତାଲିକା ପ୍ରସ୍ତୁତ କରି ଅନୁକମ୍ପା ରାଶି ପାଇଁ ତୁରନ୍ତ ସରକାରଙ୍କୁ ରିପୋର୍ଟ ଦେବାକୁ ବିଜେପି ଦାବି କରିଛି।

ଆଜି ଯୁବନେତା ଡ. ହିମାଂଶୁ ଶେଖର ଷଡ଼ଙ୍ଗୀଙ୍କ ସହ ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ଓ ଜରୁରୀ ଅଧିକାରୀଙ୍କୁ ଭେଟି ଏ ସଂକ୍ରାନ୍ତରେ ଆଲୋଚନା କରି ତୁରନ୍ତ ପଦକ୍ଷେପ ଗ୍ରହଣ ପାଇଁ ଦାବି କରିଥିଲେ। ପ୍ରତ୍ୟେକ ତହସିଲସ୍ତରରେ କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ସୂଚୀତ କରି ସେମାନଙ୍କୁ ରାଜ୍ୟ ସରକାରଙ୍କ ଆଶୀର୍ବାଦ ଯୋଜନା ଓ ଜାତୀୟ ବିପର୍ଯ୍ୟୟ ରିଲିଫ ପାଣ୍ଠି ଅଧୀନରେ ଘୋଷିତ ରାଶି ଓ ସହାୟତା ମିଳିବାରେ ସହାୟକ ହେବାକୁ କହିଥିଲେ। ବିଶେଷ କରି ପଞ୍ଚାୟତ ଓ ପୌର ନିର୍ବାହୀ ଅଧିକାରୀମାନଙ୍କୁ ଏ ଦିଗରେ କାମ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ। ଯେଉଁ ମାନେ କରୋନାରେ ପୀଡ଼ିତ ହୋଇ ଘରେ ବା କୌଣସି କୋଭିଡ୍ ଡାକ୍ତରଖାନାରେ ଚିକିତ୍ସିତ ହେବା ଅବସ୍ଥାରେ ଅଥବା ଚିକିତ୍ସିତ ହେବାର ୧ ମାସ ମଧ୍ୟରେ ପ୍ରାଣ ହରାଇଥିଲେ ସେହି ବ୍ୟକ୍ତିଙ୍କ ପରିବାରକୁ ଏହି ରାଶି ପ୍ରଦାନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ଆଦେଶ ଦେଇଛନ୍ତି।

ତେବେ ଏ ପର୍ଯ୍ୟନ୍ତ କୋଭିଡ୍ରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାର ଅଜ୍ଞତା କାରଣରୁ ନିଜକୁ ଏସବୁ ସରକାରୀ ଯୋଜନାରେ ସାମିଲ କରିପାରି ନାହାନ୍ତି ଓ କିଛି ଲୋକଙ୍କୁ କରୋନା ମୃତ୍ୟୁର ପ୍ରମାଣପତ୍ର ମଧ୍ୟ ମିଳି ପାରିନାହିଁ। ଏ ଦିଗରେ ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସେମାନେ ଦାବି କରିଥିଲେ। ପ୍ରତିନିଧି ଦଳରେ ପୂର୍ବତନ ଭାଜପା ଜିଲ୍ଲା ସାଧାରଣ ସମ୍ପାଦକ ବୈକୁଣ୍ଠ ବନଛୋର, ପୂର୍ବତନ ମଣ୍ଡଳ ଉପସଭାପତି ଅବନୀ ମିଶ୍ର, ମଣ୍ଡଳ ଉପ ସଭାପତି ସୁନୀଳ ମହାନନ୍ଦ, ଏସସି ମୋର୍ଚ୍ଚା ମଣ୍ଡଳ ସଭାପତି ମହେଶ ତନ୍ତୀ, ମହମ୍ମଦ ଆୟୁବ ପ୍ରମୁଖ ଉପସ୍ଥିତ ଥିଲେ।

The post କରୋନାରେ ମୃତକଙ୍କ ପରିବାରକୁ ତୁରନ୍ତ ସହାୟତା ଦାବି, ସରକାରୀ ସୂଚୀରେ ସୁନ୍ଦରଗଡ଼ର ୪୮୬ first appeared on Sambad.

from କରୋନା | Sambad https://ift.tt/3m5iXml

Post a Comment

0 Comments