ନୂଆଦିଲ୍ଲୀ ଦେଶରେ କରୋନା ଟିକାକରଣ ଆଜି ୯୯ କୋଟି ଟପିଯାଇଛି। ଆସନ୍ତାକାଲି ସକାଳ ସୁଦ୍ଧା ଏହା ୧୦୦ କୋଟି ଟପିବ ବୋଲି ଆଶା କରାଯାଉଛି। ଦେଶରେ ଟିକାକରଣ ଅଭିଯାନ ଜାନୁଆରି ମାସରେ ଆରମ୍ଭ ହୋଇଥିଲା। ଏହି ଅଭିଯାନ ଆରମ୍ଭ ହେବାର ୯ ମାସ ପରେ ଭାରତ ପ୍ରଥମ ଥର ପାଇଁ ୧୦୦ କୋଟି ଟିକାର ମାଇଲଖୁଣ୍ଟ ହାସଲ କରିବ। ଆଜି ଅପରାହ୍ଣ ସୁଦ୍ଧା ଦେଶରେ ପ୍ରାୟ ୯୯.୪ କୋଟି ଟିକା ଲୋକଙ୍କୁ ଦିଆଯାଇଛି। ୧୦୦ କୋଟିର ସଫଳତା ପରିପ୍ରେକ୍ଷୀରେ ସରକାର ଉତ୍ସବ ମନାଇବା କାର୍ଯ୍ୟକ୍ରମ କରିଛନ୍ତି। ଦେଶର ଟ୍ରେନ, ବିମାନ, ଜାହାଜରେ ମାଇକ୍‌ ଯୋଗେ ଏ ସଂପର୍କରେ ଘୋଷଣା ହେବ। ଏଥିସହିତ ଦିଲ୍ଲୀର ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ାଯିବ। ମିଳିଥିବା ସୂଚନା ଅନୁଯାୟୀ, ବିଜେପିର ନେତାମାନେ ଟିକାକରଣ କେନ୍ଦ୍ର ପରିଦର୍ଶନ କରିବେ। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଉତ୍ତରପ୍ରଦେଶର ଗାଜିଆବାଦସ୍ଥିତ ଟିକାକରଣ କେନ୍ଦ୍ରକୁ ଯିବେ। ଦଳର ସାଧାରଣ ସଂପାଦକ ଅରୁଣ ସିଂ ଏବଂ ଡି. ଗୌତମ ଯଥାକ୍ରମେ ତାମିଲନାଡ଼ୁର କୋଏମ୍ବାଟୁର ଏବଂ ଉତ୍ତର ପ୍ରଦେଶର ଲ‌କ୍ଷ୍ନୌ ଗସ୍ତ କରିବେ।
ଉଲ୍ଲେଖଯୋଗ୍ୟ, ଭାରତ ବ୍ୟତୀତ ଚୀନ ଏକମାତ୍ର ଦେଶ ଯିଏ କି ଗତ ଜୁନରେ ୧୦୦ କୋଟି ଟିକାକରଣର ମାଇଲଖୁଣ୍ଟ ହାସଲ କରିଛି। ଗତମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ପାଳନ ଅବସରରେ ଗୋଟିଏ ଦିନରେ ଦେଶରେ ୨.୫ କୋଟିରୁ ଅଧିକ ଟିକା ଦିଆଯାଇଥିଲା।

The post ଦେଶରେ ଟିକାକରଣ ଆଜି ୧୦୦ କୋଟି ଟପିବ first appeared on Sambad.

from କରୋନା | Sambad https://ift.tt/2Za1Lmn