ଭୁବନେଶ୍ବର: ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ ଖୋଲିଛି। ପାଠପଢ଼ା ସ୍ବାଭାବିକ ସ୍ଥିତିକୁ ଫେରୁଛି। ତା’ପରେ ବି କରୋନା ଭୟ ଲାଗିରହିଛି। ସଂକ୍ରମଣ ବଢ଼ିବା ଆଶଙ୍କା‌ରେ ପ୍ରଥମରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ସମ୍ଭାବ୍ୟ ତୃତୀୟ ଲହରକୁ ନଜରରେ ରଖି କ୍ଲାସରୁମ୍‌ ପାଠପଢ଼ା ଦିନ ଗଡ଼ିଚାଲିଥିଲେ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଟିକାକରଣ ଉପରେ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି। ଯେତେଶୀଘ୍ର ସମ୍ଭବ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଟିକା ପ୍ରଦାନ କରିବାକୁ କୁହାଯାଇଛି। ଯେଉଁମାନେ ପ୍ରଥମ ଡୋଜ୍‌ ଟିକା ଗ୍ରହଣ କରି ସାରିଛନ୍ତି ସେମାନଙ୍କୁ ଅକ୍ଟୋବର ୩୧ ସୁଦ୍ଧା ଦ୍ବିତୀୟ ଡୋଜ୍‌ ଟିକାକରଣ ସୁନିଶ୍ଚିତ କରିବାକୁ କୁହାଯାଇଛି। କେବଳ ଶିକ୍ଷକ ଶିକ୍ଷୟିତ୍ରୀ ନୁହନ୍ତି, ଗଣଶିକ୍ଷା ବିଭାଗ ଅଧୀନ ସମସ୍ତ କ୍ଷେତ୍ର ଅଧିକାରୀଙ୍କ ଟିକାକରଣ ଉପରେ ଗୁରୁତ୍ବ ଦେବାକୁ ଗତ ୨୧ ତାରିଖରେ ବସିଥିବା ଗଣଶିକ୍ଷା ବିଭାଗର ସମୀକ୍ଷା ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ନିର୍ଦେଶ ଦେଇଛନ୍ତି।

ଗଣଶିକ୍ଷା ବିଭାଗ ତଥ୍ୟ ଅନୁଯାୟୀ ସରକାରୀ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଟିକାକରଣ ଉପରେ ଗୁରୁତ୍ବାରୋପ କରାଯାଇଛି। ସେପ୍ଟେମ୍ବର ମାସଠାରୁ ଆରମ୍ଭ ହୋଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ଟିକାକରଣ ଅଭିଯାନରେ ବଡ଼ ସଫଳତା ମିଳିଛି। ଦୁଇ ମାସ ମଧ୍ୟରେ ପାଖାପାଖି ଦେଢ଼ ଲକ୍ଷ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ଟିକାକରଣ ହୋଇଛି। ଏହା ପୂର୍ବରୁ ବି କିଛି ଶିକ୍ଷକ କୋଭିଡ୍‌-୧୯ ଟିକା ନେଇସାରିଛନ୍ତି। ଖୋର୍ଧା, କଟକ, ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼, ସମ୍ବଲପୁର, ଢେଙ୍କାନାଳ, ବାଲେଶ୍ବର ଜିଲ୍ଲାରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଟିକାକରଣରେ ବହୁ ପରିମାଣରେ ସଫଳତା ମିଳିଛି। ତେବେ ଉପାନ୍ତ ତଥା ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଟିକାକରଣ ସାମାନ୍ୟ ପଛରେ ପଡ଼ିଛି। ତା’ ସତ୍ତ୍ବେ ବି ରାଜ୍ୟର ୯୦% ଶିକ୍ଷକ ଶିକ୍ଷୟିତ୍ରୀ କୋଭିଡ୍‌-୧୯ ଟିକା ନେଇସାରିଥିବା ବୈଠକରୁ ସୂଚନା ମିଳିଛି।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଟିକାକରଣ କ୍ଷେତ୍ରରେ ଘରୋଇ ବିଦ୍ୟାଳୟଗୁଡ଼ିକ ଆଗରେ ରହିଛନ୍ତି। ଭୁବନେଶ୍ବର, କଟକ, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ବର ପରି ସହରରେ ଥିବା ଘରୋଇ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ଟିକାକରଣ ସରିଛି। ୫ ହଜାରରୁ ଅଧିକ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ମୋଟ ଶିକ୍ଷକଙ୍କ ମଧ୍ୟରୁ ପ୍ରାୟ ଦୁଇ ହଜାର ଦ୍ବିତୀୟ ଡୋଜ୍‌ ଟିକା ନେଇନାହାନ୍ତି। ସରକାରୀ ବିଦ୍ୟାଳୟଗୁଡ଼ିକରେ ମଧ୍ୟ ସମାନ ଅବସ୍ଥା। ପ୍ରଥମ ଡୋଜ୍‌ ଟିକା ନେଇସାରିଥିବା ୯୦% ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରୁ ପ୍ରାୟ ୨୦% ଦ୍ବିତୀୟ ଡୋଜ୍‌ ଟିକା ନେଇନାହାନ୍ତି। ଯାହାକି ଏବେ ଚିନ୍ତାର ବିଷୟ ପାଲଟିଛି। ଯେତେଶୀଘ୍ର ସମ୍ଭବ ବାକି ରହିଥିବା ଏହି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଟିକା ପ୍ରଦାନ କରିବାକୁ ପ୍ରୋତ୍ସାହିତ କରିବାକୁ ଜିଲ୍ଲା ଶିକ୍ଷା‌ ଅଧିକାରୀ(ଡିଇଓ)ମାନଙ୍କୁ କୁହାଯାଇଛି।

ଇତିମଧ୍ୟରେ ୮ମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼‌ା ଆରମ୍ଭ ହୋଇଛି। ବାକି ପ୍ରଥମରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ‌ଖୋଲିବା ଉପରେ ବିଭାଗ ଗୁରୁତ୍ବା‌ରୋପ କରିଛି। ଏନେଇ ବିଶେଷଜ୍ଞମାନଙ୍କ ସହ ବିଚାରବିମର୍ଶ ଚାଲିଛି। ମାସେ ହେଲା କରୋନା ସଂକ୍ରମଣ ବିଶେଷ ବୃଦ୍ଧି ପାଇ ନାହିଁ। ଛାତ୍ରଛାତ୍ରୀ ବି ସେଭଳି ଆକ୍ରାନ୍ତ ହୋଇନାହାନ୍ତି। ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ ହେବା ପରେ ତାହାକୁ ନଜରରେ ରଖି ବାକି ଛାତ୍ରଛାତ୍ରୀଙ୍କ ଲାଗି ୭ଟି ଶ୍ରେଣୀ ଖୋଲିବାକୁ ଆଲୋଚନା ହେଉଛି। ଯଦି ସବୁ କିଛି ଠିକ୍‌ ଠାକ୍‌ ଚାଲେ ତେବେ ନଭେମ୍ବର ମାସରେ ୬ଷ୍ଠ ଓ ୭ମ ଶ୍ରେଣୀ ଖୋଲିବାର ସମ୍ଭାବନା ରହିଥିବା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

The post ୯୦% ଶିକ୍ଷକ ନେଲେଣି କରୋନା ଟିକା: ଅକ୍ଟୋବର ୩୧ ସୁଦ୍ଧା ଦ୍ବିତୀୟ ଡୋଜ୍‌ ଦେବାକୁ ନିର୍ଦେଶ first appeared on Sambad.

from କରୋନା | Sambad https://ift.tt/2ZihmQS