ଭୁବନେଶ୍ୱର : ପାର୍ବଣ ସମୟରେ କରୋନା ସଂକ୍ରମଣ ନେଇ ସ୍ବାସ୍ଥ୍ୟ ବିଭାଗ ଲଗାତାର ଭାବେ ସଚେତନ ରଖିଥିଲା। ଭିଡ଼କୁ ଏଡ଼ାଇବା ସହିତ କୋଭିଡ ଗାଇଡଲାଇନ୍‌ ମାନିବାକୁ ବିଭାଗ ପକ୍ଷରୁ ନିବେଦନ କରାଯାଇଥିଲା। ଏହାସତ୍ବେ ମଧ୍ୟ ଲୋକମାନେ କୋଭିଡ ଗାଇଡଲାଇନ୍‌କୁ ଭୁଲି ବଜାର ଘାଟରେ ଗହଳି କରିଥିଲେ। ତେଣୁ ପୂଜା ସମୟରେ ରାଜ୍ୟରେ କେତେ ସଂକ୍ରମଣ ବଢ଼ିଛି ତାହାର ପ୍ରଭାବ ୭/୧୦ଦିନ ଭିତରେ ଜଣାପଡ଼ିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ରାଜ୍ୟ ସ୍ବାସ୍ଥ୍ୟସେବା ନିର୍ଦେଶକ ଡା.ବିଜୟ ମହାପାତ୍ର କହିଛନ୍ତି, ପୂଜା ସମୟରେ ଲୋକମାନେ ଯେଉଁଭଳି ଭାବେ ଭିଡ଼ ଜମାଇଥିଲେ ତାହାର ପ୍ରଭାବ କରୋନା ସଂକ୍ରମଣ ଉପରେ ପଡ଼ିବ। କେତେ ସଂକ୍ରମଣ ବଢ଼ିଛି ତାହା ଜାଣିବା ଲାଗି ସର୍ଭେଲାନ୍‌ସ ଆରମ୍ଭ ହୋଇଛି। ସପ୍ତାହ ପରେ ତାହା ସ୍ପଷ୍ଟ ହୋଇପାରିବ। ଭିଡ଼କୁ ଯାଇଥିବା ଲୋକମାନେ କରୋନା ଲକ୍ଷଣ ଆସିଲେ ପରୀକ୍ଷା କରାଇନେବା ଭଲ। ସଂକ୍ରମଣ ଉପରେ ସରକାର ନଜର ରଖିଛନ୍ତି। ଗ୍ରାମାଞ୍ଚଳରେ ଆଶା ଓ ସହରାଞ୍ଚଳରେ ମ୍ୟୁନିସିପାଲଟି କର୍ତୃପକ୍ଷ କଡ଼ା ନଜର ରଖିଛନ୍ତି। ଯଦି ସଂକ୍ରମଣ ବୃଦ୍ଧିର ଆଭାସ ମିଳିବ ତାହାଲେ ସର୍ଭେଲାନ୍‌ସକୁ ଜୋରଦାର କରାଯିବ ବୋଲି ସେ କହିଛନ୍ତି।

ଅପରପକ୍ଷରେ ସ୍କୁଲ ଖୋଲିବାକୁ ନେଇ ଡିଏମ୍‌ଇଟି ପ୍ରଫେସର ଡା.ସିବିକେ ମହାନ୍ତି କହିଛନ୍ତି, ସ୍କୁଲ ଖୋଲିବା ପରେ ଗଣଶିକ୍ଷା ଓ ସ୍ବାସ୍ଥ୍ୟ ବିଭାଗ ନିରୀକ୍ଷଣ କରିବେ। ସ୍କୁଲର ପିଲାଙ୍କର ଲକ୍ଷଣ ଅଛି କି ନାହିଁ, ଶିକ୍ଷକମାନେ ଟିକା ନେଇଛନ୍ତି କି ନାହିଁ ତାହାର ଅନୁଧ୍ୟାନ କରାଯିବ। ସ୍କୁଲ ପିଲାଙ୍କୁ ଏ ପର୍ଯ୍ୟନ୍ତ ଟିକା ଦିଆଯାଇ ନାହିଁ। ତେଣୁ ବୟସ୍କମାନଙ୍କଠାରୁ ପିଲାମାନଙ୍କୁ କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି। ତେଣୁ ସମସ୍ତେ ସଚେତନ ହେବା ଜରୁରୀ। ସ୍କୁଲ ଶିକ୍ଷକ, ଅଭିଭାବକ ସମସ୍ତେ ଟିକା ନେବା ଜରୁରୀ। ଏହାସହ ପିଲାମାନଙ୍କ ଭିତରେ ସଚେତନତା ବଢ଼ାଇବାର ଆବଶ୍ୟକତା ରହିଛି ବୋଲି ପ୍ରଫେସର ମହାନ୍ତି କହିଛନ୍ତି। ଗତ ୩ଦିନ ଭିତରେ ରାଜ୍ୟରେ ୧୩୪୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୪ଘଣ୍ଟାରେ ୩୫୮ଜଣଙ୍କୁ ଚିହ୍ନଟ କରାଯାଇଛି। ଟେଷ୍ଟ୍ ପଜିଟିଭ୍ ରେଟ୍‌ ବା ଟିପିଆର ୦.୬୭ ପ୍ରତିଶତ ରହିଛି। ‌ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୫୨ ପ୍ରତିଶତ ଅର୍ଥାତ୍ ୧୮୬ଜଣ ଖୋର୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଏହାବାଦ୍ କଟକ ୧୫, ବାଲେଶ୍ବର-କେନ୍ଦ୍ରାପଡ଼ା ୧୩ ଲେଖାଏ, ମୟୂରଭଞ୍ଜ-ଯାଜପୁର ୧୧ ଲେଖାଏ, ପୁରୀ ୯ ଓ ଷ୍ଟେଟ୍‌ ପୁଲରୁ ୪୬ଜଣଙ୍କୁ ଚିହ୍ନଟ କରାଯାଇଛି। ୭ ଜିଲ୍ଲାରୁ ଜଣେ ହେଲେ ବି ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୩୪ହଜାର ୬୩୪କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ୩ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଖୋର୍ଧା, ପୁରୀ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏ ପ୍ରାଣ ହରାଇଛନ୍ତି। ସମୁଦାୟ ମୃତ୍ୟୁ ସଂଖ୍ୟା ୮୨୮୨ରେ ପହଞ୍ଚିଛି। ରାଜ୍ୟର କେସ୍ ଫାଟାଲିଟି ରେଟ୍‌ ବା ସିଏଫ୍‌ଆର ୦.୮ ପ୍ରତିଶତ ରହିଛି।

ରାଜ୍ୟରେ ଆଜି ୫୬୨ କୋଭିଡ ରୋଗୀ ସୁସ୍ଥ ହୋଇଛନ୍ତି। ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୦ଲକ୍ଷ ୨୧ହଜାର ୭୪୨କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୪୫୫୭କୁ ଖସି ଆସିଛି। ଖୋର୍ଧା ଜିଲ୍ଲାରେ ସର୍ବାଧିକ ୨୨୬୦ ଚିକିତ୍ସାଧୀନ ରହିଛନ୍ତି।

The post ‘ସପ୍ତାହ ପରେ ସ୍ପଷ୍ଟ ହେବ ପାର୍ବଣରେ ସଂକ୍ରମଣର ପ୍ରଭାବ’ first appeared on Sambad.

from କରୋନା | Sambad https://ift.tt/3DR4KPE