
ନୂ୍ଆଦିଲ୍ଲୀ: ଦିଲ୍ଲୀରେ ୯୦ ପ୍ରତିଶତରୁ ଅଧିକ ଲୋକଙ୍କ ଶରୀରରେ କରୋନା ବିରୋଧରେ କୋଭିଡ୍ ଏଣ୍ଟିବଡି ରହିଛି। ଜାତୀୟ ରାଜଧାନୀର ଷଷ୍ଠ ସେରୋ ସର୍ଭେ ରିପୋର୍ଟରୁ ଏହା ଜଣାପଡ଼ିଛି। ପ୍ରତି ଜିଲ୍ଲାରେ ୮୫ ପ୍ରତିଶତରୁ ଅଧିକ ସେରୋ ପଜିଟିଭ୍ ହାର ରହିଛି। ପୁରୁଷଙ୍କ ତୁଳନାରେ ମହିଳାଙ୍କ ଶରୀରରେ ଅଧିକ କୋଭିଡ୍ ଏଣ୍ଟିବଡି ରହିଛି। ଟିକାକରଣ ଦ୍ବାରା କୋଭିଡ୍ ଏଣ୍ଟିବଡି ବଢ଼ିଛି ବୋଲି କୁହାଯାଉଛି। ଗତ ରବିବାର ସୁଦ୍ଧା ଦିଲ୍ଲୀରେ ୨ କୋଟିରୁ ଅଧିକ ଲୋକ ତଥା ଦିଲ୍ଲୀ ଜନସଂଖ୍ୟାର ୮୬ ପ୍ରତିଶତ ପ୍ରଥମ ଡୋଜ୍ ଟିକା ନେଇଥିବାବେଳେ ୪୮ ପ୍ରତିଶତ ଲୋକ ୨ଟି ଯାକ ଡୋଜ୍ ନେଇଛନ୍ତି। ତେବେ ଗୋଷ୍ଠୀ ପ୍ରତିରୋଧକତା ପାଇଁ କେତେ ପ୍ରତିଶତ ଲୋକଙ୍କ ଶରୀରରେ କୋଭିଡ୍ ଏଣ୍ଟିବଡି ଆବଶ୍ୟକ ସେନେଇ ବୈଜ୍ଞାନିକମାନେ କିଛି ସ୍ପଷ୍ଟ କରିପାରିନାହାନ୍ତି। ଗତ ଏପ୍ରିଲରେ ଭୟଙ୍କର ଦ୍ବିତୀୟ ଲହର ଅତିକ୍ରମ କରିଯିବା ପରେ ଦିଲ୍ଲୀରେ ଏହା ପ୍ରଥମ ସେରୋ ସର୍ଭେ। ଦିଲ୍ଲୀରେ ପ୍ରଥମ ସେରୋ ସର୍ଭେ ଗତ ବର୍ଷ ଜୁନ୍ରେ ହୋଇଥିଲା।
ସେ ସମୟରେ ୨୨.୬ ପ୍ରତିଶତ ନମୂନାରେ କୋଭିଡ୍ ଏଣ୍ଟିବଡି ଥିଲା। ଅଗଷ୍ଟରେ ହୋଇଥିବା ସେରୋ ସର୍ଭେରେ ୨୯.୧ ପ୍ରତିଶତ ନମୂନାରେ କୋଭିଡ୍ ଏଣ୍ଟିବଡି ଥିଲା ଏବଂ ସେପ୍ଟେମ୍ବରରେ ୨୫.୧ ପ୍ରତିଶତ ଓ ଅକ୍ଟୋବରରେ ୨୫.୫ ପ୍ରତିଶତ ନମୂନାରେ କୋଭିଡ୍ ଏଣ୍ଟିବଡି ଚିହ୍ନଟ ହୋଇଥିଲା। ଚଳିତ ବର୍ଷ ଜାନୁଆରିରେ ହୋଇଥିବା ପଞ୍ଚମ ସେରୋସର୍ଭେରେ ୫୬.୧୩ ପ୍ରତିଶତ ଜନସଂଖ୍ୟାଙ୍କ ମଧ୍ୟରେ କୋଭିଡ୍ ଏଣ୍ଟିବଡି ଥିଲା। ଷଷ୍ଠ ସେରୋ ସର୍ଭେ ସେପ୍ଟେମ୍ବର ୨୪ରୁ ଆରମ୍ଭ ହୋଇଛି। ଦିଲ୍ଲୀର ୨୮୦ଟି ୱାର୍ଡ୍ରୁ ପ୍ରତି ସପ୍ତାହରେ ପ୍ରାୟ ୨୮ ହଜାର ନମୁନା ସଂଗ୍ରହ କରାଯାଇଛି।
The post ଦିଲ୍ଲୀରେ ୯୦% ଲୋକଙ୍କ ଶରୀରରେ କୋଭିଡ୍ ଏଣ୍ଟିବଡି first appeared on Sambad.from କରୋନା | Sambad https://ift.tt/3bojxW5
0 Comments