
ନୂଆଦିଲ୍ଲୀ/ଭୁବନେଶ୍ବର: ଦିଲ୍ଲୀର ବିଜ୍ଞାନ ଭବନରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କ ଅଧ୍ୟକ୍ଷତାରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ସ୍ବାସ୍ଥ୍ୟ ମନ୍ତ୍ରୀମାନଙ୍କର ବୈଠକ ହୋଇଥିଲା। ଓଡ଼ିଶା ସରକାରଙ୍କ ପକ୍ଷରୁ ବୈଠକରେ ପ୍ରତିନିଧିତ୍ବ କରିଥିଲେ ପରିବାର କଲ୍ୟାଣ ନିର୍ଦେଶକ ଡା.ବିଜୟ କୁମାର ପାଣିଗ୍ରାହୀ। ରାଜ୍ୟମାନଙ୍କୁ ଦ୍ବିତୀୟ ଡୋଜ ଟିକାକରଣ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ ବୈଠକରେ ପରାମର୍ଶ ଦିଆଯାଇଥିଲା। ସବୁଠାରୁ କମ୍ ଟିକାକରଣ କରାଯାଇଥିବା ଜିଲ୍ଲାଗୁଡିକୁ ଚିହ୍ନଟ କରାଯାଇ ସେସବୁ ଜିଲ୍ଲାଗୁଡିକରେ ଟିକାକରଣ କାର୍ଯ୍ୟକ୍ରମରେ ତୀବ୍ରତା ଆଣିବା ପାଇଁ ରାଜ୍ୟମାନଙ୍କୁ କୁହାଯାଇଛି। ଘରକୁ ଘର ଆଶାକର୍ମୀମାନଙ୍କୁ ପଠାଇବା ପାଇଁ ମଧ୍ୟ ରାଜ୍ୟମାନଙ୍କୁ କୁହାଯାଇଛି। ପାର୍ବଣ ସମୟରେ କୋଭିଡ ମାମଲା ବୃଦ୍ଧି ପାଇବାର ଆଶଙ୍କ ଥିବାରୁ ରାଜ୍ୟମାନଙ୍କୁ ସତର୍କତା ଅବଲମ୍ବନ ତଥା ଆବଶ୍ୟକ ପଦକ୍ଷେପ ନେବା ପାଇଁ କୁହାଯାଇଥିଲା।
ରାଜ୍ୟ ପରିବାର କଲ୍ୟାଣ ନିର୍ଦେଶକ ଡା.ପାଣିଗ୍ରାହୀ କହିଛନ୍ତି ଯେ ଆସନ୍ତା ନଭେମ୍ବର ସୁଦ୍ଧା ଯେପରି ରାଜ୍ୟର ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇ ପାରିବ ତାହା ଉପରେ ବୈଠକରେ ଗୁରୁତ୍ବ ଦିଆଯାଇଛି। ଏହାସହ ଦ୍ବିତୀୟ ଡୋଜ୍ ଟିକାକରଣ ଯେପରି ଆହୁରି ବଢ଼ିବ ତାହା ଉପରେ ଆଲୋଚନା ହୋଇଥିଲା। ପାର୍ବଣ ଓ ସଂକ୍ରମଣ ହ୍ରାସ ପାଇଁ ଲୋକମାନେ ଟିକା ନେବାକୁ ଆସୁ ନାହାନ୍ତି। କେବଳ ଓଡ଼ିଶାରେ ନୁହେଁ, ଦେଶବ୍ୟାପୀ ଏଭଳି ସମସ୍ୟା ସୃଷ୍ଟି ହେଲାଣି। ତେଣୁ ରାଜ୍ୟର ଯେଉଁ ଜିଲ୍ଲା ଗୁଡ଼ିକରେ ଦ୍ବିତୀୟ ଡୋଜ୍ ଟିକାକରଣ କମ୍ ହୋଇଛି ସେସବୁ ଜିଲ୍ଲାକୁ ଅଧିକ ଗୁରୁତ୍ବ ଦେବାକୁ ନିଷ୍ପତ୍ତି ହୋଇଥିବା ଡା.ପାଣିଗ୍ରାହୀ କହିଛନ୍ତି। ଆଜି ରାଜ୍ୟରେ ୨ଲକ୍ଷ ୫୨ହଜାର ୪୪୪ ଡୋଜ୍ ଟିକା ଦିଆଯାଇଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ୩କୋଟି ୬୪ଲକ୍ଷ ୩୮ହଜାର ୭୧୬ ଡୋଜ୍ ଟିକା ଦିଆଗଲାଣି। ରାଜ୍ୟରେ ବର୍ତମାନ ସୁଦ୍ଧା ୨୨ଲକ୍ଷରୁ ଅଧିକ ଡୋଜ୍ ଟିକା ମହଜୁଦ ରହିଛି।
The post ନଭେମ୍ବର ସୁଦ୍ଧା ସବୁ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଟିକା ଦେବାକୁ ଗୁରୁତ୍ବ first appeared on Sambad.from କରୋନା | Sambad https://ift.tt/3mmelIx
0 Comments