
ଭୁବନେଶ୍ବର: ଚଳିତମାସ ଆରମ୍ଭରୁ ରାଜ୍ୟରେ ଦୈନିକ ସଂକ୍ରମଣ ୫ଶହ ତଳକୁ ଖସି ଆସିଛି। ଏହା ସାଙ୍ଗକୁ କୋଭିଡ ମୃତ୍ୟୁ ସଂଖ୍ୟା ହାତ ଗଣତି ରହିଛି। ହେଲେ ଗତ ସପ୍ତାହ ଭିତରେ ହଠାତ୍ ହସ୍ପିଟାଲରେ ରୋଗୀଙ୍କ ଆଡମିସନ୍ ସାମାନ୍ୟ ବୃଦ୍ଧି ପାଇଛି। ଆଗକୁ ପାର୍ବଣ ଋତୁ ଆସୁଥିବା ବେଳେ ହସ୍ପିଟାଲରେ ରୋଗୀଙ୍କ ଆଡମିସନ୍ ବୃଦ୍ଧି ହେବା ନିଶ୍ଚିତଭାବେ ଚିନ୍ତାଜନକ ବୋଲି କୁହାଯାଉଛି।
ଗତକାଲି ସୁଦ୍ଧା ରାଜ୍ୟରେ ୪୪୮୫ ଚିକିତ୍ସାଧୀନ ରୋଗୀ ରହିଥିବା ବେଳେ ତହିଁରୁ ହସ୍ପିଟାଲ ଆଡମିସନ୍ ରୋଗୀଙ୍କ ସଂଖ୍ୟା ୪୮୮। ସମୁଦାୟ ଶଯ୍ୟାର ଏହା ହେଉଛି ୬.୧୬ ପ୍ରତିଶତ। ଏହାସହ ୩୯୯୭ ବା ୮୯ ପ୍ରତିଶତ ରୋଗୀ ଗୃହ ପୃଥକବାସରେ ରହି ଚିକିତ୍ସିତ ହେଉଛନ୍ତି। ସାଧାରଣ ଶଯ୍ୟାରେ ୧୮୯ ରୋଗୀ ଥିବା ବେଳେ ଆଇସିୟୁ/ଏଚ୍ଡିୟୁରେ ୨୯୯ ଓ ୬୬ଜଣ ଆଇସିୟୁ ଭେଣ୍ଟିଲେଟରରେ ରହିଛନ୍ତି। ଗତ ୨୮ତାରିଖ ବେଳକୁ ରାଜ୍ୟରେ ସାଧାରଣ ଶଯ୍ୟାରେ ୧୭୭ଜଣ ରୋଗୀ ରହିଥିଲେ। ସେହି ତାରିଖ ବେଳକୁ ୭୧ଜଣ ରୋଗୀ ଭେଣ୍ଟିଲେଟରରେ ରହିଥିଲେ। ମାତ୍ର ଗୃହ ପୃଥକବାସରେ ଥିବା ରୋଗୀଙ୍କ ପ୍ରତିଶତରେ କୌଣସି ପରିବର୍ତନ ଦେଖିବାକୁ ମିଳିନାହିଁ।
ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି, କୋଭିଡ ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ ସବୁ ଜିଲ୍ଲାପାଳମାନଙ୍କୁ ଅଧିକୃତ କରାଯାଇଛି। ଯେଉଁଠି ଯାହା ପର୍ବ ହେଉଛି କିମ୍ବା ଗହଳି ହେବାର ସମ୍ଭାବନା ରହିଛି ତାହାକୁ କିପରି ନିୟନ୍ତ୍ରଣ କରାଯିବ ସେଥିପାଇଁ ଅଧିକାରୀମାନଙ୍କୁ କ୍ଷମତା ଦିଆଯାଇଛି। ଦେଶରେ ଓ ରାଜ୍ୟରେ ସଂକ୍ରମଣ ଏବେ ସ୍ଥିର ରହିଛି। ତଥାପି ଆସନ୍ତା ୩ମାସ ନିର୍ଣ୍ଣାୟକ ହେବ। ନିକଟରେ ଆସିଥିବା ସେରୋ ସର୍ଭେ ରିପୋର୍ଟରେ ୭୦ ପ୍ରତିଶତ ଲୋକଙ୍କଠାରେ ଆଣ୍ଟିବଡି ଥିବା ଜଣାପଡ଼ିଛି। ଯଦି ଟିକାକରଣ ଓ ରୋଗ ପ୍ରତିରୋଧକ ଶକ୍ତି ବଢ଼େ, ତାହାହେଲେ ସଂକ୍ରମଣ ସମ୍ଭାବନା କମିଯିବ। ପ୍ରଥମେ ଜୀବନ ଓ ତା’ପରେ ମେଳା ମହୋତ୍ସବ ବୋଲି ଡା.ମିଶ୍ର କହିଛନ୍ତି।
ଗତ ୨୪ଘଣ୍ଟାରେ ରାଜ୍ୟରେ ୪୫୩ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ଖୋର୍ଧାରୁ ୨୦୧, କଟକ ୫୯, ଜଗତସିଂହପୁର ୨୪, ମୟୂରଭଞ୍ଜ ୨୨, ପୁରୀ ୧୯, ସମ୍ବଲପୁର ୧୮, ବାଲେଶ୍ବର ୧୭, ଯାଜପୁର ୧୩ ଓ ଷ୍ଟେଟ୍ ପୁଲରୁ ୪୫ଜଣଙ୍କୁ ଚିହ୍ନଟ କରାଯାଇଛି। ଉଲ୍ଲେଖନୀୟ ବିଷୟ ହେଉଛି ୭ ଜିଲ୍ଲାରୁ କୌଣସି ରୋଗୀ ଚିହ୍ନଟ ହୋଇ ନାହାନ୍ତି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୨୮ହଜାର ୮୧୯କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ୩ଜଣ କରୋନାରେ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଗଞ୍ଜାମ ୨ ଓ ଖୋର୍ଧାରୁ ଜଣେ ପ୍ରାଣ ହରାଇଛନ୍ତି। ସମୁଦାୟ କରୋନା ମୃତ୍ୟୁ ୮୨୨୩ରେ ପହଞ୍ଚିଛି। ରାଜ୍ୟରେ ଆଜି ୫୫୭ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଯାହାଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୪୩୭୮କୁ ଖସି ଆସିଛି।
The post ରାଜ୍ୟର ୮୯% କରୋନା ରୋଗୀ ଗୃହ ପୃଥକବାସରେ: ୪୫୩ ପଜିଟିଭ୍, ୩ ମୃତ first appeared on Sambad.from କରୋନା | Sambad https://ift.tt/2ZQv25Y
0 Comments