ପୁଣେ: କୋଭିଡ୍-୧୯ର ତୃତୀୟ ଲହର କ୍ଷୀଣସ୍ଥାୟୀ ହେବ ଓ ଦ୍ବିତୀୟ ପରି ମାରାତ୍ମକ ହେବାର ସମ୍ଭାବନା ନାହିଁ ଏବଂ ଦ୍ବିତୀୟ ଲହର ଏବେ ଏନ୍‌ଡେମିକ୍ (ସ୍ଥାନୀୟ) ସ୍ତରରେ ଅଛି ବୋଲି ପ୍ରଖ୍ୟାତ ଭୂତାଣୁତତ୍ତ୍ବବିତ୍ ଡ. ଗଗନଦୀପ କାଙ୍ଗ କହିଛନ୍ତି। ଖ୍ରୀଷ୍ଟିଆନ ମେଡିକାଲ କଲେଜ, ଭେଲୋରର ପ୍ରଫେସର କାଙ୍ଗ କହିଲେ ଯେ, ଆସନ୍ତା ଦୁଇମାସ ଭିତରେ ବଡ଼ ଧରଣର ତୃତୀୟ ଲହର ଆସିବାର ସମ୍ଭାବନା ଦେଖାଯାଉ ନାହିଁ। କିନ୍ତୁ ଛୋଟ ଲହର ସୀମିତ ଅଞ୍ଚଳରେ ଦେଖାଯାଇପାରେ। ଦିଲ୍ଲୀରେ ସବୁ ସମ୍ଭାବ୍ୟତା ଅନୁସାରେ ଚାରିଟା ଲହର ଗଲାଣି। ଗୋଟିଏ ଲହର କହିଲେ ଏକ ଭୌଗୋଳିକ ଅଞ୍ଚଳରେ ସଂକ୍ରମଣ ହାର ହଠାତ୍ ବଢ଼ିବାଠାରୁ ଆରମ୍ଭ କରି ପୁଣି କମିବା ପର୍ଯ୍ୟନ୍ତ ଅବଧିକୁ ବୁଝାଏ। ଦ୍ବିତୀୟ ଲହରରେ ଯେଉଁଭଳି ଭାବରେ ସଂକ୍ରମଣ ବଢ଼ିଥିଲା, ତୃତୀୟ ଲହରରେ ସେପରି ହେବାର ସମ୍ଭାବନା ନାହିଁ। କାରଣ ବହୁଲୋକ ଟିକା ନେଇ ସାରିଥିବାରୁ କିମ୍ବା ଥରେ ସଂକ୍ରମିତ ହୋଇ ସାରିଥିବାରୁ ସଂକ୍ରମଣପ୍ରବଣ ଲୋକଙ୍କ ସଂଖ୍ୟା କମ୍ ରହିବା ସହ ନୂତନ ଭାରିଆଣ୍ଟ ବି ଆଉ ଦେଖିବାକୁ ମିଳିନାହିଁ।

କାଙ୍ଗ କହିଲେ ଯେ, ବର୍ତ୍ତମାନର ଭାରିଆଣ୍ଟ ଦ୍ବାରା ତୃତୀୟ ଲହର ଆସିବ ନାହିଁ ବୋଲି ସେ କହୁନାହାନ୍ତି। କିନ୍ତୁ ଯଦି ଆସେ ତାହା ସୀମିତ ଭୌଗୋଳିକ ଅଞ୍ଚଳରେ ଅଳ୍ପ ଲୋକଙ୍କୁ ସଂକ୍ରମିତ କରିବ ଓ ଅଳ୍ପକାଳ ସ୍ଥାୟୀ ହେବ। ପୂର୍ବରୁ ଅଧିକାଂଶ ଲୋକ ସଂକ୍ରମଣପ୍ରବଣ ହୋଇଥିବାରୁ ପ୍ରଥମ ଓ ଦ୍ବିତୀୟ ଲହରରେ ବହୁସଂଖ୍ୟାରେ ଲୋକ ସଂକ୍ରମିତ ହେଲେ। ବର୍ତ୍ତମାନ ସଂକ୍ରମଣପ୍ରବଣ ଲୋକଙ୍କ ସଂଖ୍ୟା କମିଯାଇଛି। ତେଣୁ ଭୂତାଣୁ ସଂକ୍ରମଣ ଅଧିକ ହେଲେ ବି ସଂକ୍ରମିତ ହୋଇ ରୋଗଗ୍ରସ୍ତ ହେବା ଲୋକଙ୍କ ସଂଖ୍ୟା କମିଯାଇଛି। ଯେଉଁମାନେ ଥରେ ସଂକ୍ରମିତ ହୋଇ ଭଲ ହୋଇଛନ୍ତି ଏବଂ ଯେଉଁମାନେ ଟିକା ନେଇଛନ୍ତି ସେମାନଙ୍କ ସଂକ୍ରମଣପ୍ରବଣତା କମିଯାଇଛି ବୋଲି କାଙ୍ଗ କହିଛନ୍ତି।
ଆଉ ଜଣେ ଭୂତାଣୁତତ୍ତ୍ବବିତ୍ ଜାକବ ଜନ୍‌ କହିଛନ୍ତି ଯେ ଆମେ ପ୍ରାୟ ତିନିମାସ ହେଲା ଏନ୍‌ଡେମିକ୍ (ସ୍ଥାନୀୟ) ସ୍ତରରେ ପହଞ୍ଚିଛୁ, ଯେଉଁଥିରେ ସଂକ୍ରମଣ ଖୁବ୍ ବେଶି ବଢ଼ିବା ଦେଖାଯାଉନାହିଁ। ଉଲ୍ଲେଖନୀୟ ଯେ ସ୍ଥାନୀୟ ସଂକ୍ରମଣକୁ ଏନ୍‌ଡେମିକ୍, ଗୋଟିଏ ଦେଶ ଭିତରେ ସଂକ୍ରମଣକୁ ଏପିଡେମିକ୍ ଓ ଦେଶ-ବିଦେଶରେ ସଂକ୍ରମଣକୁ ପାନ୍‌ଡେମିକ୍ କୁହାଯାଏ।

The post ଭାରତରେ ଦ୍ବିତୀୟ ଲହର ଏନ୍‌ଡେମିକ୍ ସ୍ତରରେ; ତୃତୀୟ ଲହର ମାରାତ୍ମକ ହେବନାହିଁ : ଭୂତାଣୁତତ୍ତ୍ବବିତ୍ first appeared on Sambad.

from କରୋନା | Sambad https://ift.tt/3EUd3f7