ନୂଆଦିଲ୍ଲୀ : ମୃତ୍ୟୁ ରୋକିବାରେ ପ୍ରଥମ ଡୋଜ୍‌ କୋଭିଡ୍‌ ଟିକା ୯୬.୬ ପ୍ରତିଶତ ଫଳପ୍ରଦ ଏବଂ ଦ୍ବିତୀୟ ଡୋଜ୍‌ ୯୭.୫ ପ୍ରତିଶତ ଫଳପ୍ରଦ । ଏପ୍ରିଲ ଏବଂ ଅଗଷ୍ଟ ମାସର ତଥ୍ୟ ଦର୍ଶାଇ ଆଇସିଏମ୍‌ଆର ଡିଜି ଡାକ୍ତର ବଳରାମ ଭାର୍ଗବ ଏହା କହିଛନ୍ତି। ଏପ୍ରିଲ ୧୮ରୁ ଅଗଷ୍ଟ ୧୫ ମଧ୍ୟରେ ସଂଗୃହୀତ ତଥ୍ୟକୁ ଦର୍ଶାଇ ଭାର୍ଗବ କହିଛନ୍ତି, ଟିକାକରଣ ମୃତ୍ୟୁ ରୋକିପାରୁଛି । ଦ୍ବିତୀୟ ଲହରରେ ଏପ୍ରିଲ-ମେ’ରେ ଟିକା ନେଇଥିବା‌ ଲୋକ ଅଧିକ କରୋନା ମୃତ୍ୟୁର ଶିକାର ହୋଇଛନ୍ତି। ସବୁ ବୟସର ଲୋକଙ୍କ କ୍ଷେତ୍ରରେ ଟିକା ମୃତ୍ୟୁ ରୋକିବାରେ ଫଳପ୍ରଦ ହେଉଛି। ୬୦ ବର୍ଷ ହେଉ କିମ୍ବା ୪୫-୫୯ ବର୍ଷ କିମ୍ବା ୧୮-୪୪ ବର୍ଷ ସମସ୍ତଙ୍କ ପାଇଁ ଟିକା ଫଳପ୍ରଦ ବୋଲି ଡାକ୍ତର ବଳରାମ ଭାର୍ଗବ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ କହିଛନ୍ତି। ନିତି ଆୟୋଗ ସଦସ୍ୟ ଡାକ୍ତର ଭିକେ ପୌଲ୍‌ କହିଛନ୍ତି, ୨ ଡୋଜ୍‌ ଟିକା ମୃତ୍ୟୁରୁ ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରୁଛି। ଦେଶରେ ୧୮ ବର୍ଷରୁ ଊର୍ଦ୍ଧ୍ବ ୫୮ ପ୍ରତିଶତ ଗୋଟିଏ ଡୋଜ୍‌ ଟିକା ନେଇସାରିଛନ୍ତି। ଭୂଷଣ କହିଛନ୍ତି, ମେ’ ୩୦ ଦିନରେ ଯେତିକି ଟିକା ଦିଆଯାଇଥିଲା ତା’ଠାରୁ ଅଧିକ ଟିକା ଗତ ୭ ଦିନରେ ଦିଆଯାଇଛି। ଗତ ୨୪ ଘଣ୍ଟାରେ ୮୬ ଲକ୍ଷ ଡୋଜ୍‌ ଦିଆଯାଇଛି। ପାର୍ବଣ ପୂର୍ବରୁ ଟିକାକରଣ ତ୍ବରାନ୍ବିତ ହେବ ବୋଲି ସେ କହିଛନ୍ତି ।

୩୫ ଜିଲ୍ଲାରେ ସାପ୍ତାହିକ ପଜିଟିଭ୍‌ ହାର ଏବେ ବି ୧୦ ପ୍ରତିଶତରୁ ଅଧିକ ରହିଛି। ଅନ୍ୟପକ୍ଷେ ୩୦ଟି ଜିଲ୍ଲାରେ ସାପ୍ତାହିକ ପଜିଟିଭ୍‌ ହାର ୫ରୁ ୧୦ ପ୍ରତିଶତ ରହିଛି। କେରଳରୁ ଦେଶର ୬୮.୫୮ ପ୍ରତିଶତ ମାମଲା ଚିହ୍ନଟ ହୋଇଛି ବୋଲି କେନ୍ଦ୍ର ସରକାର କହିଛନ୍ତି। ସିକ୍କିମ, ଦାଦ୍ରା ଏବଂ ନଗର ହାଭେଳି, ହିମାଚଳପ୍ରଦେଶରେ ୧୮ ବର୍ଷରୁ ଊର୍ଦ୍ଧ୍ବ ସମସ୍ତେ ପ୍ରଥମ ଡୋଜ୍‌ ଟିକା ନେଇସାରିଛନ୍ତି ବୋଲି ସରକାର କହିଛନ୍ତି। କରୋନା ବାଦ୍‌ ଅନ୍ୟ ସଂକ୍ରମଣକୁ ନେଇ ମଧ୍ୟ ସରକାର ସତର୍କ କରିଛନ୍ତି।

The post ମୃତ୍ୟୁ ରୋକିବାରେ ପ୍ରଥମ ଡୋଜ୍‌ ୯୬.୬ % ଫଳପ୍ରଦ ,ଦ୍ବିତୀୟ ଡୋଜ୍‌ ୯୭.୫ % first appeared on Sambad.

from କରୋନା | Sambad https://ift.tt/3tuQQPs