ନୂଆଦିଲ୍ଲୀ: କରୋନା ଯୋଗୁଁ ପ୍ରାଣ ହରାଇଥିବା ପରିବାରକୁ କ୍ଷତିପୂରଣ ହିସାବରେ ୫୦ ହଜାର ଟଙ୍କା ପ୍ରଦାନ କରାଯିବ। କେନ୍ଦ୍ର ସରକାର ଆଜି ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ କୋଭିଡ -୧୯ ରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସମ୍ପର୍କୀୟମାନେ ୫୦,୦୦୦ ଟଙ୍କା କ୍ଷତିପୂରଣ ଭାବେ ପାଇବେ | ତେବେ ଏହି ଅର୍ଥ ରାଜ୍ୟ ସରକାର ପ୍ରଦାନ କରିବେ ବୋଲି ସରକାର ମଧ୍ୟ କହିଛନ୍ତି। ସରକାର ଏହା ମଧ୍ୟ କହିଛନ୍ତି ଯେ କେବଳ ମୃତ୍ୟୁ ପୂର୍ବରୁ ନୁହେଁ ବରଂ ଭବିଷ୍ୟତ ପାଇଁ ମଧ୍ୟ କ୍ଷତିପୂରଣ ପ୍ରଦାନ କରାଯିବ। କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇଛନ୍ତି ଯେ କରୋନା କାରଣରୁ ମୃତ୍ୟୁବରଣ କରିଥିବା ସମ୍ପର୍କୀୟଙ୍କୁ ନ୍ୟାସନାଲ ଡ଼ିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି ୫୦,୦୦୦ ଟଙ୍କା କ୍ଷତିପୂରଣ ଭାବେ ସୁପାରିଶ କରିଛି |

ସରକାର କହିଛନ୍ତି ଯେ ଯଦି ମୃତ୍ୟୁ ପ୍ରମାଣପତ୍ରରେ ମୃତ୍ୟୁର କାରଣ କରୋନା ଲେଖାହୋଇଥାଏ, ତେବେ ମୃତକଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ସହାୟତା ଦିଆଯିବ। ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ କରୋନା ପୀଡିତଙ୍କ ପରିବାରକୁ ଏହି କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ ଭାବରେ କହିଛନ୍ତି। ସୂଚନା ଥାଉ କି ଯେ କ୍ଷତିପୂରଣ ରାଶି ସମ୍ପର୍କରେ ସୁପ୍ରିମକୋର୍ଟରେ ଅନେକ ଆବେଦନ କରାଯାଇଛି।

ସୁପ୍ରିମକୋର୍ଟରେ ବିଭିନ୍ନ ଆବେଦନ ଶୁଣାଣି ପୂର୍ବରୁ କେନ୍ଦ୍ର ସରକାର କହିଥିଲେ ଯେ କରୋନା ଯୋଗୁଁ ହୋଇଥିବା ସମସ୍ତଙ୍କ ମୃତ୍ୟୁକୁ ନେଇ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେଇହେବ ନାହିଁ। ତେବେ କୋର୍ଟ ମଧ୍ୟ ସରକାରଙ୍କ ଏହି ପ୍ରସଙ୍ଗରେ ସହମତି ପ୍ରକାଶ କରିଥିଲେ | କିନ୍ତୁ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଅନୁଯାୟୀ କ୍ଷତିପୂରଣ ସ୍ଥିର କରିବା ପାଇଁ କଣ କରାଯାଇଛି ବୋଲି କୋର୍ଟ କେନ୍ଦ୍ର ସରକାରଙ୍କୁ ପଚାରିଥିଲେ। ଏ ବିଷୟରେ କୋର୍ଟଙ୍କୁ ଅବଗତ ସଲିସିଟର ଜେନେରାଲ କୋର୍ଟଙ୍କୁ କହିଛନ୍ତି ଯେ ଏହି ବିବରଣୀ ସେପ୍ଟେମ୍ବର ୨୩ ରେ କୋର୍ଟରେ ଦାଖଲ କରାଯିବ |

The post କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, କୋଭିଡରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ମିଳିବ ଏତିକି ଟଙ୍କାର କ୍ଷତିପୂରଣ first appeared on Sambad.

from କରୋନା | Sambad https://ift.tt/3u22otG