
ବ୍ରାଜିଲିଆ: ଆଗାମୀ ସପ୍ତାହରେ ନ୍ୟୁୟର୍କରେ ହେବାକୁ ଥିବା ଜାତିସଂଘ କନ୍କ୍ଲେଭ୍ରେ ଯୋଗ ଦେବେ ବୋଲି କୋଭିଡ୍ ଟିକା ନେଇ ନ ଥିବା ବ୍ରାଜିଲ୍ର ରାଷ୍ଟ୍ରପତି ଜାଇର ବୋଲ୍ସୋନାରୋ ଗୁରୁବାର ଦିନ କହିଛନ୍ତି। କିନ୍ତୁ, ଯେକୌଣସି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ‘ଟିକାକରଣ ପ୍ରମାଣ’ ଆବଶ୍ୟକ ବୋଲି ନ୍ୟୁୟର୍କର ସରକାରୀ କର୍ତ୍ତୃପକ୍ଷମାନେ ନିକଟ ଅତୀତରେ ଘୋଷଣା କରିଛନ୍ତି।
ସାମାଜିକ ଗଣମାଧ୍ୟମରେ ପ୍ରସାରଣ ବେଳେ ରାଷ୍ଟ୍ରପତି ବୋଲ୍ସୋନାରୋ କହିଛନ୍ତି, ଆଗାମୀ ସପ୍ତାହରେ ମୁଁ ‘ୟୁଏନ୍ ଜେନେରାଲ୍ ଆସେମ୍ବ୍ଲି’ରେ (ୟୁଏନ୍ଜିଏ) ଥିବି। ମଙ୍ଗଳବାର ଦିନ ସେଠାରେ ମୁଁ ଉଦ୍ଘାଟନୀ ଭାଷଣ ଦେବି। ଭାଷଣଟି ବିବାଦରହିତ, ଖୁବ୍ ନିରପେକ୍ଷ ଏବଂ ଆମ ସ୍ବାର୍ଥଗତ ସମସ୍ୟା ଉପରେ ଆଲୋକପାତ କରିବ।
କରୋନାଭାଇରସ୍ ମହାମାରୀ ପ୍ରତି ବ୍ରାଜିଲ୍ର ଆଭିମୁଖ୍ୟ, ବ୍ରାଜିଲ୍ର କୃଷିଜାତ ବ୍ୟବସାୟ ଏବଂ ଶକ୍ତି ସଂକ୍ରାନ୍ତରେ ମଧ୍ୟ ସେ ଆଲୋଚନା କରିବେ ବୋଲି କହିଛନ୍ତି।
ଅପରପକ୍ଷରେ, ବୁଧବାର ଦିନ ନ୍ୟୁୟର୍କ ମେୟର୍ଙ୍କ କାର୍ଯ୍ୟାଳୟ କୋଭିଡ୍ ନିୟମ ପାଳନ ଗାଇଡ୍ଲାଇନ୍ ଉଲ୍ଲେଖ କରି ‘ୟୁଏନ୍ଜିଏ’କୁ ଚିଠି ଲେଖିଛନ୍ତି। ସଭାଗୃହ ମଧ୍ୟକୁ ପ୍ରବେଶ କରିବା ପାଇଁ ଅଂଶଗ୍ରହଣକାରୀମାନେ ଟିକାକରଣ ପ୍ରମାଣପତ୍ର ଦେଖାଇବା ଅତ୍ୟାବଶ୍ୟକ। ତେଣୁ, ଉକ୍ତ ବୈଠକରେ ବୋଲ୍ସୋନାରୋ ପ୍ରତ୍ୟକ୍ଷ ଭାବେ ଅଂଶଗ୍ରହଣ କରିପାରିବେ କି, ନାହିଁ ସନ୍ଦେହ ଜାତ ହୋଇଛି।
ନ୍ୟୁୟର୍କ ସହରର ସ୍ବାସ୍ଥ୍ୟ କମିସନର୍ଙ୍କ ସ୍ବାକ୍ଷର ଥିବା ଉକ୍ତ ପତ୍ରରେ ଉଲ୍ଲେଖ ଅଛି ଯେ, ଜାତିସଂଘ ସଭାଗୃହକୁ ‘କନ୍ଭେନ୍ସନ୍ ସେଣ୍ଟର୍’ ବର୍ଗୀଭୂତ କରାଯାଇଛି। ଅର୍ଥାତ୍ ବୈଠକରେ ଅଂଶ ଗ୍ରହଣ କରୁଥିବା ସମସ୍ତ ବ୍ୟକ୍ତି ଟିକା ନେଇଥିବା ଆବଶ୍ୟକ। ସହରର ସମସ୍ତ ‘ଇନ୍ଡୋର୍’ କାର୍ଯ୍ୟକ୍ରମରେ ଭାଗ ନେଉଥିବା ଜନସାଧାରଣଙ୍କ ପାଇଁ ମଧ୍ୟ ଉକ୍ତ ନିୟମ ଲାଗୁ କରାଯାଇଛି।
ଗତବର୍ଷ କୋଭିଡ୍-୧୯ ଆକ୍ରାନ୍ତ ହୋଇଥିବା ବୋଲ୍ସୋନାରୋ କହିଛନ୍ତି, ସମସ୍ତ ବ୍ରାଜିଲ୍ ଅଧିବାସୀ ଟିକା ନେଇ ସାରିଲେ ଯାଇ ସେ ଟିକା ନେବେ। ଏହାଛଡ଼ା, ସେ କହିଛନ୍ତି ଯେ, ତାଙ୍କର ରୋଗ ପ୍ରତିରୋଧକ ଶକ୍ତି ଶୀର୍ଷସ୍ତରରେ ଥିବାରୁ ତାଙ୍କର ଏବେ ଟିକା ନେବା ଅନାବଶ୍ୟକ ବୋଲି ସେ କହିଛନ୍ତି।
The post କୋଭିଡ୍ ଟିକା ନ ନେଇ ମଧ୍ୟ ଜାତିସଂଘ ବୈଠକରେ ଯୋଗ ଦେବେ ବ୍ରାଜିଲ୍ର ରାଷ୍ଟ୍ରପତି ବୋଲ୍ସୋନାରୋ first appeared on Sambad.from କରୋନା | Sambad https://ift.tt/3nHqvwQ
0 Comments